ବୀରମିତ୍ରପୁର ଦୁଷ୍କର୍ମ ଘଟଣା : ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ଡାକ୍ତରୀ ଦଳ ଦେଲା ରିପୋର୍ଟ, ବୀରମିତ୍ରଥାନାକୁ ଯାଇ ପଚରାଉଚରା କଲେ ଏସ୍‌ପି

ରାଉରକେଲା : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା ଏବେ ବି ଅନ୍ଧାରରେ ରହିଛି। ନାବାଳିକାଙ୍କର ଗର୍ଭପାତରେ ସମସ୍ତ ନୀତିନିୟମକୁ ଅନୁସରଣ କରାଯାଇଛି ଏବଂ ସେଥିରେ ଆଇନର କୌଣସି ଉଲ୍ଲଘଂନ କରାଯାଇନାହିଁ ବୋଲି ଡାକ୍ତରୀ ଦଳ ରିପୋର୍ଟ ଦେଇଥିଲେ ମାମଲା ଏବେ ବି ସନ୍ଦେହମୁକ୍ତ ହୋଇନାହିଁ। ଅନ୍ୟପକ୍ଷରେ, ସମ୍ପୃକ୍ତ ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ କରିଥିବା ୪ ଜଣିଆ ଡାକ୍ତରୀଦଳ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ ନିକଟରେ ଦାଖଲ କରିଛନ୍ତି। ଏହାର ଏକ ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଡାକ୍ତରୀ ଦଳ ଗର୍ଭପାତ ବେଳେ ରହିଥିବା ନୀତି ନିୟମକୁ ପାଳନ କରାଯାଇଛି କି ନାହିଁ ତାର ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ରିପୋର୍ଟର ସଂପୂର୍ଣ୍ଣ ବିବରଣୀ ହସ୍ତଗତ ହୋଇ ନଥିଲେ ସେଥିରେ ନାବାଳିକାଙ୍କର ଗର୍ଭପାତ ବେଳେ ସଂପୃକ୍ତ ବିଷୟରେ ଥିବା ନୀତିନିୟମକୁ ପାଳନ କରାଯାଇଥିବା କଥା କୁହାଯାଇଛି। ତଥାପି ମଧ୍ୟ ମାମଲାଟି ଏପର୍ଯ୍ୟନ୍ତ ସନ୍ଦେହମୁକ୍ତ ହୋଇନାହିଁ। କାରଣ ‌ଗର୍ଭପାତ ପୂର୍ବରୁ ପୁଲିସ ସେ ବିଷୟରେ ସିଡବ୍ଲ୍ୟୁସିକୁ ନଜଣାଇବା ଏବଂ କେଉଁ କାରଣରୁ ଜଣାଇବାଲାଗି ୨ ଦିନ ନିଆଗଲା, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଡାକ୍ତରୀ ଟିମ୍‌ର ରିପୋର୍ଟକୁ ସିଡବ୍ଲ୍ୟୁସି ସଂପୂର୍ଣ୍ଣ ଭାବେ ଗ୍ରହଣ କରିନେବ ନା କିଛି ଆପତ୍ତି ଉଠାଇବ, ତାହା ଦେଖିବାର କଥା। ଆହୁରି ମଧ୍ୟ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଉପରୁ ବର୍ତ୍ତମାନ ଯାଏ ଟିକିଏ ହେଲେ ପରଦା ଉଠିନାହିଁ। ରିପୋର୍ଟ ପାଇବା ପରେ ଜିଲ୍ଲାପାଳ କି କାର୍ଯ୍ୟାନୁଷ୍ଠାନର ସୁପାରିଶ କରୁଛନ୍ତି, ତା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର।

ମାମଲାର ପୁଲିସ ତଦନ୍ତ ପାଇଁ ଗତକାଲି ନିଜେ ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ର ବୀରମିତ୍ରପୁର ଥାନାକୁ ଯାଇଥିଲେ। ମାମଲାରେ ଅଭିଯୁକ୍ତ ଥାନା ବଡବାବୁ, ଅନ୍ୟ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ପ୍ରାୟ ସେ ଏକ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲେ। ନାବାଳିକା ପୂର୍ବରୁ ଦେଇଥିବା ବୟାନ ଆଧାରରେ ଦୁହିଁଙ୍କୁ ପୃଥକ ରୁଦ୍ଧ କୋଠରୀରେ ଉକ୍ତ ସମ୍ବେଦନଶୀଳ ଘଟଣା ସଂକ୍ରାନ୍ତରେ ପଚାରିଥିଲେ। ତେବେ ସେ ସମ୍ପର୍କରେ ଏସ୍‌ପି ମିଡିଆକୁ କିଛି କହିବାକୁ ମନା କରିଦେଇଥିଲେ।

ଅନ୍ୟପକ୍ଷରେ, ଆଜି ନାବାଳିକାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବା ଖବର ପାଇ ତଦନ୍ତ କରୁଥିବା ଡିଏସ୍‌ପିଙ୍କ ଟିମ୍ ‘ଦିଶା’ରେ ପହଞ୍ଚି ତାଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲ (ଆର୍‌ଜିଏଚ୍)ରେ ଭର୍ତ୍ତି କରିଛନ୍ତି। ବାରମ୍ବାର ଜେରା ଓ ପଚରାଉଚରା କାରଣରୁ ସେ ଭୀଷଣ ମାନସିକ ଚାପରେ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର