ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବୀରବିକ୍ରମ ଯାଦବ। ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ଯାଦବ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ବୁଲି ଦେଖିଛନ୍ତି। ଶ୍ରୀ ଯାଦବ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ। ଦାୟିତ୍ବ ଗ୍ରହଣ ପରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀଙ୍କ ଗହଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ଓବିସିସି ଓ ଟାଟା ପ୍ରୋଜେକ୍ଟ ଲିମିଟେଡ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ପରିକ୍ରମା ପ୍ରକଳ୍ପ ବୁଲି ଭୁବନେଶ୍ବର ଫେରି ଯାଇଥିଲେ।
ଏହି ଅବସରରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ନୂ୍ଆକରି ଯୋଗ ଦେଇଥିବା ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ରଥଯାତ୍ରା ସଂପର୍କରେ ଆଲୋଚନା କରିଛି। ପୂର୍ବରୁ କୋଭିଡ୍ ଯୋଗୁଁ ରଥଯାତ୍ରା କଟକଣା ଭିତରେ କରାଯାଉଥିଲା। ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଥିଲେ। ଏଣୁ ଚଳିତବର୍ଷ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ନିଯୋଗ ଦାବି କରିଛି। ନିଯୋଗ ତରଫରୁ ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ର, ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର, ହରପ୍ରସାଦ ଦାସମହାପାତ୍ର ପ୍ରମୁଖ ତାଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f65s4h654sh65sfhsfh.jpg)