ଭୁବନେଶ୍ବର/ବାରଙ୍ଗ : ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ମଙ୍ଗଳବାର)ଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୱାକ୍-ଥ୍ରୁ-ବାର୍ଡ ଆଭିୟରି ବା ମୁକ୍ତାକାଶ ଚଲାପଥ ପକ୍ଷୀ ବିହାର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ସେଠାରେ ଥିବା କୌଣସି ପକ୍ଷୀ ସଂକ୍ରମିତ ହେଲେ ସେମାନଙ୍କଠାରୁ ଭୂତାଣୁ ପର୍ଯ୍ୟଟକଙ୍କ ଦେହକୁ ସଂକ୍ରମିତ ହୋଇ ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଥିବା ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ତେବେ ସବୁ ଦିନ ଭଳି ପର୍ଯ୍ୟଟକମାନେ ଆସି ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିପାରିବେ। ପକ୍ଷୀମାନେ ଯେଭଳି ସଂକ୍ରମିତ ନ ହୁଅନ୍ତି ସେଥିଲାଗି ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ବିଶୋଧକ ପକାଇ ବ୍ୟବସ୍ଥା ମାନ କରାଯାଉଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଚିହ୍ନଟ ହେବାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ବାର୍ଡ ଫ୍ଲୁକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବା ସହ ନିକଟବର୍ତୀ ଅଞ୍ଚଳର ପକ୍ଷୀଗୁଡ଼ିକ ଯେପରି ଏଚ୍୫ ଏନ୍୧ ଇନ୍ଫ୍ଲୁୟେଞ୍ଜା ଭୂତାଣୁରେ ସଂକ୍ରମିତ ନ ହୁଅନ୍ତି ସେଦିଗରେ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଚିଠି ମିଳିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗକୁ ସଜାଗ କରାଯାଇଛି। ବିଶେଷକରି ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ ସତର୍କତା ଅବଲମ୍ବନ କରିବା ସହ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭୋପାଳସ୍ଥିତ ଏନ୍ଆଇଏଚ୍ଏସ୍ଏଡି(ନ୍ୟାସନାଲ ଇ୍ଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଅନିମଲ୍ ଡିଜିଜ୍)ରେ ମୃତ କୁକୁଡ଼ାଙ୍କ ନମୁନା ଯାଞ୍ଚ କରାଯିବା ପରେ ବାର୍ଡ ଫ୍ଲୁ ହୋଇଥିବା ନେଇ ଜାନୁଆରି ୨୬ରେ ଜଣାପଡ଼ିଥିଲା। ତେଣୁ ଏହାକୁ ରୋକିବା ଦିଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ କର। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବର କଲ୍ୟାଣ ମନ୍ତ୍ରଣାଳୟକୁ ଏବିଷୟରେ ଅବଗତ କରିବା ସହ ପ୍ରତିଦିନ ୧୦ଟା ସୁଦ୍ଧା ବାର୍ଡ ଫ୍ଲୁ ନିୟନ୍ତ୍ରଣ ଦିଗରେ କିଭଳି ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଓୟୁଏଟିଠାରୁ ୧୦ କିମି ଅଞ୍ଚଳକୁ ନୀରିକ୍ଷଣ ଅଞ୍ଚଳ ରୂପେ ଘୋଷଣା କରିବାକୁ ନିର୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି। ଜଙ୍ଗଲ ଅଞ୍ଚଳରେ ଜଙ୍ଗଲୀ ଓ ବିଦେଶାଗତ ପକ୍ଷୀଙ୍କ ନିୟମିତ ନିରୀକ୍ଷଣ କରିବା, ବିଦେଶାଗତ ପକ୍ଷୀଙ୍କ ଅଞ୍ଚଳକୁ ଚିହ୍ନଟ କରିବା, ବିଜ୍ଞାପିତ ଜଳାଶ୍ରୟ ଓ ପକ୍ଷୀ ଅଭୟାରଣ୍ୟକୁ ଚିହ୍ନଟ କରିବା ସହ ତାଲିକା ପ୍ରସ୍ତୁତ କରି ସେଠାରେ ବାର୍ଡ ଫ୍ଲୁ ଭୂତାଣୁ ନିରୀକ୍ଷଣ କାର୍ଯ୍ୟ କରିବା, ଅସ୍ବାଭାବିକ ଭାବେ ପକ୍ଷୀ/ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ ହେଲେ ତୁରନ୍ତ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ନ ହେଲେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ବିଦେଶାଗତ ପକ୍ଷୀଙ୍କ ଆଗମନ ମାର୍ଗ ଚିହ୍ନଟ କରିବା, ବିଜ୍ଞାପିତ ଜଳାଶ୍ରୟ ଓ ପକ୍ଷୀ ଅଭୟାରଣ୍ୟକୁ ଲାଗିରହିଥିବା ପ୍ରାଣୀ ଚିକିତ୍ସାଳୟ ଓ ସ୍ବାସ୍ଥ୍ୟ ସେବା କେନ୍ଦ୍ରକୁ ସଜାଗ ରଖିବାକୁ ନିର୍ଦେଶ ଦିଆଯାଇଛି।