ଭୁବନେଶ୍ୱର: ରାଜ୍ୟ ବନ ବିଭାଗ ପକ୍ଷରୁ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଏଥିରୁ ମିଳିଥିବା ତଥ୍ୟ ମୁତାବକ ରାଜ୍ୟରେ ଏବେ ପ୍ରାୟ ୨୦୦ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାବେଶ ହୋଇଛି। କେବଳ ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ ହେଉଛନ୍ତି ବିଦେଶୀ ପକ୍ଷୀ ଏବଂ ୮୭ ପ୍ରଜାତିର ୪୦ ହଜାର ହେଉଛନ୍ତି ସ୍ଥାନୀୟ ବା ଦେଶୀ ପକ୍ଷୀ। ପକ୍ଷୀ ଅଭୟାରଣ୍ୟ କୁହାଯାଉଥିବା ନଳବଣରେ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ ପକ୍ଷୀଙ୍କର ସମାବେଶ ହୋଇଛି। ୨୦୨୪ରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀଙ୍କର ସମାବେଶ ହୋଇଥିଲା। 

Advertisment

୨୦୦ ପ୍ରଜାତିର ୧୫ ଲକ୍ଷ ପକ୍ଷୀ
କେବଳ ଚିଲିକାରେ ୧୧.୨୭ ଲକ୍ଷ

ଚଳିତବର୍ଷ ହୀରାକୁଦରେ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ୭୨୩ ପକ୍ଷୀଙ୍କର ସମାବେଶ ହୋଇଛି। ଗତବର୍ଷ ଏହି ସମୟରେ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୪୫ ପକ୍ଷୀଙ୍କ ଆଗମନ ହୋଇଥିଲା। ଭିତରକନିକାରେ ୧୧୮ ପ୍ରଜାତିର ୧ ଲକ୍ଷ ୫୧ ହଜାର ୬୧୪ ପକ୍ଷୀ ରହିଛନ୍ତି। ଯେତେବେଳେ କି ଗତବର୍ଷ ଏହି ସମୟରେ ୧୨୧ ପ୍ରଜାତିର ମୋଟ ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀଙ୍କର ସମାବେଶ ହୋଇଥିଲା।  ଏହି ପକ୍ଷୀ ଗଣନା ରାଜ୍ୟର ମୋଟ ୭୦୦ ବର୍ଗ କିଲୋମିଟର ଜଳାଶୟକୁ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇଥିଲା। ସେଥିରେ ୩୨ଟି ଦଳର ୭୦ରୁ ଅଧିକ ପକ୍ଷୀ ଗେବେଷକ, ପକ୍ଷୀ ବିଶାରଦ, ପକ୍ଷୀପ୍ରେମୀ, ଛାତ୍ରଛାତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ପ୍ରତିବର୍ଷ ରାଜ୍ୟରେ ବିଦେଶାଗତ ଏବଂ ସ୍ଥାନୀୟ ଜଳ ପକ୍ଷୀ ଗଣନା ଡିସେମ୍ବର-ଜାନୁଆରୀ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏହି ଗଣନା ଜାନୁଆରୀ ୧୮ ତାରିଖରେ ସମଗ୍ର ରାଜ୍ୟରେ ଗୋଟିଏ ସମୟରେ ହୋଇଥିଲା। ଯଦିଓ ଏହି ପକ୍ଷୀ ଗଣନା ସମସ୍ତ ଆର୍ଦ୍ରଭୂମି ଓ ପକ୍ଷୀମଣ୍ଡଳୀରେ ହୋଇଥିଲା, ତଥାପି ଚିଲିକା, ଭିତରକନିକା ଏବଂ ହୀରାକୁଦ,  ରାଜ୍ୟର ତିନୋଟି ପ୍ରମୁଖ ଆର୍ଦ୍ରଭୂମି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା।

ଗତବର୍ଷଠାରୁ ଚଳିତବର୍ଷ ଏହି ପକ୍ଷୀ ଗଣନା ଏକ ଭିନ୍ନ ଢଙ୍ଗରେ କରାଯାଇଛି। ଗଣନା ପୂର୍ବରୁ ପକ୍ଷୀ ଗଣନାକାରୀ ଦଳଙ୍କୁ ୧୭ ତାରିଖ ଦିନ ତାଲିମ ଦିଆଯାଇଥିଲା। ଏହି ତାଲିମ ଶିବିରରେ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇଥିଲେ। ତାଲିମ ପରେ ୧୮ ତାରିଖ ଦିନ ପକ୍ଷୀ ଗଣନା ପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟ ସହ କ୍ୟାମେରା, ବାଇନକୁଲାର, ସ୍ପଟିଂ ସ୍କୋପ ଆଦି ଉପକରଣ ଯୋଗାଇ ଦିଆଯାଇଥିଲା। ଚଳିତବର୍ଷ ଆଶାତୀତ ଭାବେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇନଥିଲେ ମଧ୍ୟ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇଛି ବୋଲି ରାଜ୍ୟ ବନ୍ୟପ୍ରାଣୀ ବିଭାଗ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍ତି।