ବ୍ରହ୍ମଗିରି: ଚିଲିକାରେ ବିଦେଶୀ ପକ୍ଷୀ ପାଦ ଥାପିସାରିଲେଣି। ଦେଶବିଦେଶରୁ ରଙ୍ଗବେରଙ୍ଗର ପକ୍ଷୀଙ୍କ ସାଙ୍ଗକୁ ଦେଶୀୟ ପକ୍ଷୀଙ୍କ ଭିଡ଼ ମଧ୍ୟ ଜମିଲାଣି। ଏହି ସମୟରେ ଚିଲିକା ଉପକୂଳ ବ୍ରହ୍ମଗିରି ରେଞ୍ଜ୍‌ରେ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନବିଭାଗ ସଜାଗ ହୋଇଉଠିଛି। ବ୍ରହ୍ମଗିରି ରେଞ୍ଜ୍‌ର ବ୍ରହ୍ମଗିରି, କାଠୁଆଆରେଡ଼ି, ବାଲିହରଚଣ୍ଡୀ ଓ ସୁନାମୁହିଁ ବିଟ୍‌ ଅଞ୍ଚଳରେ ପ୍ରତିବର୍ଷ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଥାଏ। ତେବେ ପକ୍ଷୀ ଆସିବା ପରେ ମାଂସଲୋଭୀ ଶିକାରୀ ଏମାନଙ୍କର ଶିକାର ପାଇଁ ଜାଲ ବିଛାଇ ଥାଏ। ବିଶେଷକରି ବିଷ ଓ ଫାଶରେ ପକ୍ଷୀମାନଙ୍କୁ ଶିକାର କରିଥାଏ। ଗତବର୍ଷ ବନବିଭାଗ ୫୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ଶବ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ୧୫ରୁ ଅଧିକ ଶିକାରୀ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏମିତିକି ଘଟକୁଡ଼ି ଓ ଖଜୁରିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ହାଟ ଗହୀର ବିଲରେ ବସିଥାଏ। ବିଭାଗ ଚଢ଼ଉ କରି ମୃତ ପକ୍ଷୀ ଜବତ କରିଥିବା ନଜିର ରହିଛି। ସେହିଭଳି ବାଇକ୍‌ରେ ମୃତ ପକ୍ଷୀଙ୍କୁ ଶିକାରୀ ନେଇ ଯାଉଥିବା ବେଳେ ବନ ବିଭାଗ ଚଢ଼ଉରେ ବାଇକ୍‌ ଛାଡ଼ି ଶିକାରୀ ଫେରାର ହୋଇଯାଇଥିଲା। ବନ ବିଭାଗ ବାଇକ୍‌ ସହିତ ମୋବାଇଲ ଫୋନ ଓ ପକ୍ଷୀ ଶବ ଧରି ଫେରିଥିଲା।

Advertisment

ଏବେ ବିଦେଶାଗତ ଅତିଥି ପକ୍ଷୀ ଆସିବା ପରେ ବନବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ୪ଟି ବିଟ୍‌ରେ ୪ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୩ ଜଣ ସଦସ୍ୟ ରହିବେ। ଅତ୍ୟାଧୁନିକ ବାଇନାକୁଲାର୍‌ ସହିତ ସାଦାପୋଷାକରେ ପାଟ୍ରୋଲିଂ କରିବେ। ଏହି ଟିମ୍‌ ସହିତ ରେଞ୍ଜ୍‌ ଅଧିକାରୀ ପାଟ୍ରୋଲିଂର ତଦାରଖ କରିବେ। ସ୍ବତନ୍ତ୍ର ଭାବରେ ବାଇକ୍‌ ସହିତ ବନ ବିଭାଗର ଗାଡ଼ି ସଜାଗ ରହିବ। ଗୁଇନ୍ଦା ସୂଚନାକୁ ଅଧିକ ମଜଭୁତ କରାଯିବା ସହିତ ପକ୍ଷୀ ଶିକାର ରୋକିବାକୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ବ୍ରହ୍ମଗିରି ରେଞ୍ଜ୍‌ ଅଧିକାରୀ ଚନ୍ଦ୍ରଶେଖର ସାହୁ ସୂଚନା ଦେଇଛନ୍ତି।