ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଶେଷ

ସମ୍ବଲପୁର: ଶୁକ୍ରବାର ହୀରାକୁଦ ଜଳଭଣ୍ତାରରେ ବାର୍ଷିକ ପକ୍ଷୀ ଗଣନା‌ ଶେଷ ହୋଇଛି। ଅନ୍ୟ ବର୍ଷ ଭଳି ଏଥର ବି କମନ୍ କୁଟ୍‌, ଗ୍ରେଟ୍‌ କ୍ରେଷ୍ଟେଡ୍‌ ଗ୍ରିବ୍‌, ଲେସର ହ୍ବିସିଲିଂ ଡକ୍‌, କମନ୍ ପୋଚାର୍ଡ ଆଦି ପ୍ରଜାତିର ପକ୍ଷୀ ସର୍ବାଧିକ ଥିବା ସୂଚନା ମିଳିଛି। ତେବେ ପାଣି ଭରି ରହିଥିବାରୁ ଏଥର ପକ୍ଷୀ ସଂଖ୍ୟା ସାମାନ୍ୟ କମ୍ ଜଣା ପଡ଼ୁଥିବା ଗଣନାରେ ସାମିଲ କିଛି ବିଶେଷଜ୍ଞ କହିଛନ୍ତି। ତେବେ ସବୁ ସେକ୍ଟର୍‌ର ସଂଖ୍ୟା, ପ୍ରଜାତି ଅନୁଯାୟୀ ମିଶାଣ ଆଦି କଲା ପରେ ୧୦ ତାରିଖରେ ଚୂଡ଼ାନ୍ତ ପକ୍ଷୀ ସଂଖ୍ୟା ଘୋଷଣା କରାଯିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁ ପ୍ରଜ୍ଞା ଦାସ କହିଛନ୍ତି।

ପ୍ରଥମଥର ପାଇଁ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପୂରା ଦିନ ଗଣନା କରାଯାଇଛି। ଚଳିତ ବର୍ଷ ପ୍ରଥମ କରି ଜଳଭଣ୍ଡାରରେ ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଗଣନାକାରୀ ଯାଇ ପକ୍ଷୀ ଗଣନା କରିଛନ୍ତି। ପୂର୍ବରୁ ଥିବା ଛୋଟ ସେକ୍ଟର ଗୁଡ଼ିକୁ ମିଶାଯାଇ ଏଥର ୧୫ଟି ବଡ଼ ସେକ୍ଟର ଗଠନ କରା ଯାଇଥିଲା। ପ୍ରତି ସେକ୍ଟର୍‌ରେ ୨ଟି ଲେଖାଏଁ ଗ୍ରୁପ୍‌ ଗଣନା କରିଥିଲେ। ଉଭୟ ଗ୍ରୁପ୍‌ ପାଇଁ ଭିନ୍ନଭିନ୍ନ ମାର୍ଗ ନିର୍ଧାରିତ ହୋଇଥିଲା। ୩୦ଟି ଡଙ୍ଗାରେ ଗଣନାକାରୀ ମାନେ ଜଳଭଣ୍ଡାରର ୫୩୩ ବର୍ଗ କିଲୋମିଟର୍‌ ଓ ପାୱାର୍ ଚାନେଲ୍‌ର ୫.୭ ବର୍ଗ କିଲୋମିଟର୍ ଜଳକ୍ଷେତ୍ରରେ ପକ୍ଷୀ ଗଣନା କରିଥିଲେ। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଏଥର ୩୮ କିଲୋମିଟର୍‌ ଅଧିକ ଅଞ୍ଚଳକୁ ଗଣନାରେ ସାମିଲ କରା ଯାଇଥିଲା।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି), ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ତଥା ଓଡ଼ିଶା ଜୈବବିବିଧତା ବୋର୍ଡରୁ ମୋଟ ୧୭ ଜଣ ବିଶେଷଜ୍ଞ ସଦସ୍ୟ ଗଣନା ପାଇଁ ଆସିଥିଲେ। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୨୦ରୁ ଅଧିକ ବିଶେଷଜ୍ଞ ଗଣନାରେ ସାମିଲ ଥିଲେ। ସେହିପରି ପ୍ରତି ଗ୍ରୁପ୍‌ରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ବି ରହିଥିଲେ। ହୀରାକୁଦ, ବରଗଡ଼ ଓ ଝାରସୁଗୁଡ଼ା ବନଖଣ୍ଡରେ ବ୍ୟାପ୍ତ ହୀରାକୁଦ ଜଳଭଣ୍ଡାରରେ ଏଥର ଯୋଜନା ମୁତାବକ ସୁରୁଖୁରୁରେ ଗଣନା ହୋଇଥିବା ନୋଡାଲ୍ ଅଧିକାରୀ ତଥା ହୀରାକୁଦ ବନପ୍ରାଣୀ ଡିଏଫ୍‌ଓ ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର