ସମ୍ବଲପୁର : ଶୁକ୍ରବାର ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ଚଳିତ ବର୍ଷ ଅଧିକ ସଂଖ୍ୟାରେ ପକ୍ଷୀ ଆସିଥିବା ବିଶେଷଜ୍ଞମାନେ ଅନୁମାନ କରୁଥିବାରୁ ତଥା ସଂପୂର୍ଣ୍ଣ ଜଳଭଣ୍ଡାରରେ ଗଣନା କରାଯିବାକୁ ଥିବାରୁ ପକ୍ଷୀ ସଂଖ୍ୟା ରେକର୍ଡ ଛୁଇଁବ ବୋଲି ଆଶା କରାଯାଉଛି। ଶୁକ୍ରବାର ସକାଳ ୬ଟାରୁ ଗଣନାକାରୀମାନେ ଜଳଭଣ୍ଡାରକୁ ପ୍ରବେଶ କରି ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଜାରି ରଖିବେ। ଏଥି ପାଇଁ ସମସ୍ତ ପ୍ରସ୍ତୁତି, ତାଲିମ ଓ ଯୋଜନା ଚୂଡ଼ାନ୍ତ ହୋଇଛି।
/sambad/media/post_attachments/wp-content/uploads/2022/01/hirakud-bird.jpg)
ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ୫୩୩ ବର୍ଗ କିଲୋମିଟର୍ ଅଞ୍ଚଳ ଓ ପାୱାର୍ ଚାନେଲର ୫.୭ ବର୍ଗ କିଲୋମିଟର୍ ଜଳକ୍ଷେତ୍ରକୁ ମୋଟ ୧୫ଟି ସେକ୍ଟର୍ରେ ବିଭକ୍ତ କରାଯାଇଛି। ୩୮ଟି ଗଣନାକାରୀ ଦଳ ୩୦ଟି ବୋଟ୍ରେ ଗଣନା କରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛତିଶଗଡ଼ ସୀମା (ଅନ୍ତରାଡ଼ି, ସୁଖାସୋଡ଼ା) ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଏଥର ୩୮ କିଲୋମିଟର୍ ଅଧିକ ଅଞ୍ଚଳକୁ ଗଣନାରେ ସାମିଲ କରାଯାଇଛି। ପ୍ରତି ଗଣନାକାରୀ ଦଳରେ ୨ରୁ ୩ ଜଣ ଗଣନାକାରୀ ଓ ବିଶେଷଜ୍ଞ ରହିବେ। ଏହି ଗଣନାରେ ବାହାରୁ ଆସିଥିବା ୧୭ ଜଣ ବିଶେଷଜ୍ଞ, ଓୟୁଏଟି ବିଦ୍ୟାର୍ଥୀ, ସ୍ଥାନୀୟ ପକ୍ଷୀ ପ୍ରେମୀ ଓ ବନ ବିଭାଗ କର୍ମଚାରୀ ସାମିଲ ହୋଇଛନ୍ତି। ସେମାନଙ୍କୁ ଲାଇଫ୍ ଜ୍ୟାକେଟ୍, ବାଇନୋକୁଲାର, କ୍ୟାମେରା, ମାନଚିତ୍ର, ପକ୍ଷୀଙ୍କ ପ୍ରଜାତି ଓ ଚିହ୍ନଟ କରିବା ସଂପର୍କିତ ସୂଚନା ପୁସ୍ତିକା ଆଦି ପ୍ରଦାନ କରାଯାଇଛି।
ଶୁକ୍ରବାର ସଂଧ୍ୟାରେ ଗଣନା ଶେଷ ହେଲେ ବି ୯ ତାରିଖ ରବିବାର ଦିନ ଚୂଡ଼ାନ୍ତ ସଂଖ୍ୟା ଜଣା ପଡ଼ିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bird-hirakud-dam.jpg)