ଭୁବନେଶ୍ବର: ଜାନୁଆରି ୧୭ ଓ ୧୮ ତାରିଖରେ ସାରା ରାଜ୍ୟରେ ପକ୍ଷୀ ଗଣନା ଅନୁଷ୍ଠିତ ହେବ। ପକ୍ଷୀ ଗଣନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହ ବର୍ଷକ ମଧ୍ୟରେ ୧୦ଟି ବିଦେଶାଗତ ପ୍ରଜାତିଙ୍କଠାରେ ସାଟେଲାଇଟ୍‌ ରିଂ ଲଗାଯିବ। ସେମାନେ କେଉଁଠାରୁ ଆସୁଛନ୍ତି, ପ୍ରତିବର୍ଷ ଆସୁଛନ୍ତି କି ନାହିଁ, କେତେ ବାଟ ପର୍ଯ୍ୟନ୍ତ ଯାଉଛନ୍ତି ଆଦି ଅନୁଧ୍ୟାନ କରିବାକୁ ଏହି ରିଂ ଲାଗିବ। ପ୍ରଥମ ପର୍ଯ୍ୟାୟରେ ପକ୍ଷୀ ଗଣନା ସମୟରେ ୨ରୁ ୪ଟି ପ୍ରଜାତି ପକ୍ଷୀଙ୍କଠାରେ ଏହି ରିଂ ଲଗାଇବାକୁ ବନ ବିଭାଗ ଯୋଜନା‌ ପ୍ରସ୍ତୁତ କରିଛି। ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ଦେଇଥିବା ବେଳେ ଡବ୍ଲୁଆଇଆଇର ସହଯୋଗ ନିଆଯାଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି।

Advertisment

ପକ୍ଷୀ ଗଣନା ସମ୍ପର୍କରେ ଅଧିକ ସୂଚନା ଦେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା କହିଛନ୍ତି ଯେ ଗୋଟିଏ ସମୟରେ ରାଜ୍ୟର ପ୍ରମୁଖ ଜଳାଶୟଗୁଡ଼ିକରେ ଏହି ଗଣନା କରାଯିବ। ଚିଲିକା, ନଳବଣ, ଭିତରକନିକା, ଅଂଶୁପା, ହରାକୁଦ ପରି ପ୍ରମୁଖ ଜଳାଶୟରେ ଗଣନା ହେବ। ସାଟେଲାଇଟ୍‌ ରିଂ ଲାଗିବା ସମ୍ପର୍କରେ ଡବ୍ଲୁଆଇଆଇ ନିର୍ଦ୍ଦେଶକଙ୍କୁ ଅବଗତ କରାଯିବା ସହ ସେଠାକାର ବୈଜ୍ଞାନିକ ସୁରେଶଙ୍କ ସହାୟତା ନିଆଯାଇଛି। ଏଥର ୩ ପ୍ରକାର ପକ୍ଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କଠାରେ ରିଂ ଲାଗିବ। ପର୍ଯ୍ୟାୟକ୍ରମେ ବର୍ଷକ ମଧ୍ୟରେ ୧୦ଟି ପ୍ରଜାତିର ପକ୍ଷୀଙ୍କଠାରେ ସା‌ଟେଲାଇଟ୍‌ କଲର୍‌ ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଇରାନ୍‌ ଓ ସିରିଆରୁ ଆସୁଥିବା ପକ୍ଷୀଙ୍କୁ ଲଗାଯିବ। କଇଁଛ ଓ ପକ୍ଷୀଙ୍କ ଉପରେ ଗବେଷଣା ପାଇଁ ଚିଲିକାରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି। ବିଦେଶାଗତ ପକ୍ଷୀମାନଙ୍କ ପାଇଁ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର,୨ ଗୋଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ ତିନି ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନରକ୍ଷୀଙ୍କ ଦ୍ୱାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଛି।