ଭୁବନେଶ୍ବର: ଶନିବାର ରାଜ୍ୟରେ ପକ୍ଷୀଗଣନା ଅନୁଷ୍ଠିତ ହେବ। ଚଳିତବର୍ଷ ଗୋଟିଏ ଦିନରେ ରାଜ୍ୟର ସମସ୍ତ ସ୍ଥାନରେ ପକ୍ଷୀ ଗଣନା କରାଯିବାକୁ ଯୋଜନା ହୋଇଛି। ଗଣନାରେ ସାମିଲ୍ ହେବାକୁ ଥିବା ସମସ୍ତ ସଦସ୍ୟଙ୍କ ତାଲିମ ପ୍ରକ୍ରିୟା ଶେଷ ହୋଇଛି। ଗଣନା ଶନିବାର ଭୋର୍ରୁ ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଡିଭିଜନ୍ ସ୍ତରରୁ ରିପୋର୍ଟ ଆସିବା ପରେ ପକ୍ଷୀଙ୍କ ସଂଖ୍ୟା ଓ ପ୍ରଜାତି ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି। ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ଇରାୱାଡ଼ି ଡଲ୍ଫିନ୍ ଗଣନା ଅନୁଷ୍ଠିତ ହେବ। ସେଥିପାଇଁ ୧୯ ତାରିଖ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ବାଲୁଗାଁ ଓ ସାତପଡ଼ାରେ ଦୁଇଟି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ୧୮ଟି ଦଳ ଡଲ୍ଫିନ୍ ଗଣନା କାର୍ଯ୍ୟରେ ସାମିଲ ହେବେ।
ଏହି ଗଣନା ପ୍ରକ୍ରିୟା ରାଜ୍ୟର ପ୍ରମୁଖ ଜଳାଶୟଗୁଡ଼ିକରେ ଅନୁଷ୍ଠିତ ହେବ। ବିଶେଷକରି ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଗଣନାକୁ ତ୍ବରାନ୍ବିତ କରିବା ପାଇଁ ଚିଲିକାରେ ୨୧ଟି ୟୁନିଟ୍ ଗଠନ କରାଯାଇଥିବା ବେଳେ ଭିତରକନିକା ଓ ହୀରାକୁଦରେ ୧୮ଟି ଲେଖାଏଁ ୟୁନିଟ୍ ଗଠନ ହୋଇଛି। ପ୍ରତି ୟୁନିଟ୍ରେ ପକ୍ଷୀ ବିଶେଷଜ୍ଞ, ପକ୍ଷୀ ପ୍ରେମୀ, ବନବିଭାଗ କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀମାନେ ସାମିଲ ହୋଇଛନ୍ତି। ରାଜ୍ୟର ପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମୁଖ ସ୍ଥାନଗୁଡ଼ିକରେ ପକ୍ଷୀ ଗଣନାର ପୁଙ୍ଖାନୁପୁଙ୍ଖ ତଦାରଖ କରିବାକୁ ବନବିଭାଗ ମୁଖ୍ୟାଳୟର ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଗଣନା ପାଇଁ ଜଳାଶୟଗୁଡ଼ିକର ବିଭିନ୍ନ ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ଚିହ୍ନଟ କରାଯାଇଛି। ଗଣନା ବେଳେ ଆବଶ୍ୟକ କ୍ୟାମେରା, ବାଇନାକୁଲାର୍, ସ୍ପଟିଂ ସ୍କୋପ୍ସ ସହିତ ଏହାର ନିର୍ଦ୍ଦେଶାବଳୀ ଭଳି ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଛି।
ସରିଲା ତାଲିମ, ବ୍ୟବହାର ହେବ ସ୍ପଟିଂ ସ୍କୋପ୍ସ
୨୦ରେ ଡଲ୍ଫିନ୍ ଗଣନା
ଚିଲିକାର ବାଲୁଗାଁ, ସାତପଡ଼ା, ରମ୍ଭା, ଚିଲିକା ଓ ଟାଙ୍ଗୀ ଆଦି ୫ଟି ରେଞ୍ଜ୍ରେ ୨୧ଟି ଟିମ୍ର ମୋଟ ୧୧୫ ଜଣ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସାମିଲ ହେବେ। ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟି, ଡବ୍ଲୁ୍ଆଇଆଇ, ବିଏନ୍ଏଚ୍ଏସ୍ର ପ୍ରଫେସର ଓ ଅଧ୍ୟାପକ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ପକ୍ଷୀ ଗଣନା କାର୍ଯ୍ୟ କରିବେ। ସମଗ୍ର ଚିଲିକା ହ୍ରଦକୁ ୨୧ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଟିମ୍ରେ ଜଣେ ଜଣେ ପକ୍ଷୀ ବିଶାରଦ, ୩ରୁ ୫ ଜଣ ପକ୍ଷୀ ବିଶେଷଜ୍ଞ ଓ ଗାଇଡ଼୍ ରହିବେ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ୨୧ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ଗଠନ କରାଯାଇ ୪୮ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ସୂଚନାଯୋଗ୍ୟ, ଏ ବର୍ଷ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀଙ୍କ ଆଗମନ ସ୍ଥଳ ଜାଣିବାକୁ ବନ ବିଭାଗ ପ୍ରୟାସ କରିଛି। ବିଦେଶାଗତ ପକ୍ଷୀମାନେ କେଉଁ ଦେଶରୁ ଆସୁଛନ୍ତି, ତାହା ଜାଣିବାକୁ ସେମାନଙ୍କ ଶରୀରରେ ଟ୍ରାନ୍ସ୍ମିଟର ଲଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚିଲିକାକୁ ଆସିଥିବା ତିନିଟି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କଠାରେ ଏହି ଟ୍ରାନ୍ସ୍ମିଟର ଖଞ୍ଜାଯିବା ପ୍ରକ୍ରିୟା ଚାଲିଛି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସ୍ମିଟର ଲଗାଯାଇଛି। ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍ଏମ୍-ଜିପିଏସ୍ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ଫ୍ଲେମିଙ୍ଗୋ ଦ୍ବୟକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି, ଯାହାକି ପ୍ରତି ୧୦ ମିନିଟ୍ରେ ପକ୍ଷୀମାନଙ୍କ ଅବସ୍ଥିତି ରେକର୍ଡ କରିବ। ଏହି ଉପକରଣ ଶୀତଋତୁରେ ଚିଲିକାରେ ଫ୍ଲେମିଙ୍ଗୋଙ୍କର ଚଳପ୍ରଚଳ ଓ ଆଚରଣ ବୁଝିବାରେ ସହାୟକ ହେବ।