ହୀରାକୁଦ ଜଳଭଣ୍ଡାର ପାର୍ଶ୍ବରେ ପକ୍ଷୀ ଗଣନା

୭୪ ପ୍ରଜାତିର ନୂଆ ବିଦେଶୀ ପକ୍ଷୀ ଆସିଥିବା ଅନୁମାନ

ବ୍ରଜରାଜନଗର: ହୀରାକୁଦ ଜଳଭଣ୍ଡାର ପାର୍ଶ୍ବରେ ଗୁରୁବାର ବିଦେଶୀ ପକ୍ଷୀ ଗଣନା କରାଯାଇଥିଲା। ଏହି ଗଣନା କାର୍ଯ୍ୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଲାଗି ରହିଥିବା ବ୍ରଜରାଜନଗର ବନାଞ୍ଚଳର ୧୧ ନମ୍ବର ସେକ୍ଟର୍‌ର ବନହରପାଲି ଓ ସାହାଜବାହାଲ ଆଦି ଅଞ୍ଚଳ ଓ ସେକ୍ଟର ୧୨ନମ୍ବରର ତିଲିଆ ସହିତ ବେଲପାହାଡ଼ ବନାଞ୍ଚଳର ୭ ନମ୍ବରର ମହାଦେବ ପାଲି, ୮ ନମ୍ବର ସେକ୍ଟରର କଦମ୍ବଡିହି ଓ ସମାରବଗା ଅଞ୍ଚଳ, ୯ ନମ୍ବର ସେକ୍ଟର୍‌ର ବାଘମୁଣ୍ଡା, ୧୦ ନମ୍ବର ସେକ୍ଟର୍‌ର ବୀରଂଗବନ୍ଧ ଓ କୁତ୍ରିପାଲି ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଥିଲା।ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୧ଟାରେ ସରିଥିଲା।

ବ୍ରଜରାଜନଗର ବନାଞ୍ଚଳରୁ ସଂଯୋଜକ ରୂପେ ସହକାରୀ କଞ୍ଜରଭେଟର୍‌ ଅଫ ଫରେଷ୍ଟ ସସ୍ମିତ ସାହୁ, ରେଂଜର୍‌ ଆରତୀ ନେଗିଙ୍କ ସମେତ ଫରେଷ୍ଟର ସୁଜିତ ଚୌଧୁରୀ, ଗୌରାଙ୍ଗ ସାହୁ, ଫରେଷ୍ଟ ଗାର୍ଡ ତହସିଲ ବେହେରା, ଉପେନ୍ଦ୍ର ବେସନ, କିଶୋର ଷଣ୍ଢ ପ୍ରମୁଖ ଥିଲେ। ସେହିପରି ବେଲପାହାଡ଼ ବନାଞ୍ଚଳରେ ସଂଯୋଜକ ଭାବେ ରେଞ୍ଜର ସୁବାସ ମହାପାତ୍ରଙ୍କ ସମେତ ଫରେଷ୍ଟର ଗୌରାଙ୍ଗ ତ୍ରିପାଠୀ, ପ୍ରଶାନ୍ତ ବାଗ, ଅରକ୍ଷିତ ପ୍ରଧାନ, ସୁନିଲ ଭୋଇ, ପ୍ରଦୀପ ନାୟକ, ଫରେଷ୍ଟ ଗାର୍ଡ ସୁରେନ୍ଦ୍ର ଖମାରୀ, କନ୍ଦର୍ପ ସାହୁ, ଯୁଧିଷ୍ଠିର ବାରୁ ଓ ରୋହିତ ମାଝି ଥିଲେ। ହୀରାକୁଦ ଜଳଭଣ୍ଡାରର ୭ ନମ୍ବର ସେକ୍ଟରରୁ ୧୨ ନମ୍ବର ସେକ୍ଟର ପର୍ଯ୍ୟନ୍ତ ୬ଟି ବେସ୍‌ କ୍ୟାମ୍ପ ପାଇଁ ବିଶେଷଜ୍ଞ ଭାବେ ସରୋଜ ପଣ୍ଡା, ତପନ ବେହେରା, ଭକ୍ତ ପଦାରବନ୍ଦ ରଥ, ବିମଲ ପ୍ରଧାନ, ଅମିତ ସିଂହ, ପ୍ରତୀକ ସ୍ବାଇଁ ଯୋଗଦେଇ ପକ୍ଷୀ ଗଣନା କରିଥିଲେ।

୧୧ ଓ ୧୨ ନମ୍ବର ସେକ୍ଟର୍‌ରୁ ପାଖାପାଖି ୨୩ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିବା ବେଳେ ୭ ରୁ ୧୦ ନମ୍ବର ସେକ୍ଟର୍‌ରେ ସର୍ବାଧିକ ୫୧ ପ୍ରଜାତିର ପକ୍ଷୀ ଦୃଷ୍ଟି ଗୋଚର ହୋଇଥିଲା। ଚଳିତ ବର୍ଷ ନୂତନ ଭାବରେ ବ୍ରାହ୍ମଣୀ ଟାଇପ ପକ୍ଷୀ ଦେଖା ଦେଇଛନ୍ତି। ଏହା ୭ ବର୍ଷ ପରେ ଆସିଥିବା କୁହାଯାଉଛି। ଚଳିତବର୍ଷ ଅଧିକ ସଂଖ୍ୟାରେ ଲେଜର୍‌ ହୁଇଲ ସିଲିଂଗ ଡକ, କମନ କୁଟ, ବ୍ରାଉନ୍‌ ହେଡେଡ୍‌ ଗଲ, ଗ୍ରେଟ୍‌ ଗ୍ରେଷ୍ଟେଡ୍‌ ଗ୍ରିଡ୍‌, ଇଣ୍ଡିଆନ କଟନ ଟିଲ, ଟିପଟେଡ୍‌ ଡକ, ଲିଟିଲ କର ମୋରାନ ଆଦି ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ କରତିଲଟା, ଦୁବୁଲାଲଟା, ଘରପୋଡି ଲଟା ସହିତ ପାଣିରେ ଭାସୁଥିବା ଜଗଲ ଲତା, ଛୋଟ ଚିଙ୍ଗୁଡ଼ି ଓ ଗେଣ୍ଡା ଆଦି ଖାଦ୍ୟ ଆକର୍ଷଣରେ ବିଦେଶୀ ପକ୍ଷୀମନେ ଏଠାକୁ ଆସୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର