ତାତି ପ୍ରଭାବରେ ପକ୍ଷୀ ମଡ଼କ

ବେତନଟୀ: ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତ କିଛିଦିନ ଧରି ଅନୁଭୂତ ହେଉଥିବା ଗରମ ଓ ଗୁଳୁଗୁଳି ପ୍ରଭାବରେ ଜୀବନଯାତ୍ରା ଅସ୍ତ୍ୟବ୍ୟସ୍ତ ହୋଇପଡିଛି। ବେତନଟୀ ବ୍ଲକ୍‌ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହୁଛି। ତେବେ ଏହି ତାତି କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ବି ଅତିଷ୍ଠ କଲାଣି। ବେଧଡ଼କ ଗଛକଟା ଯାଉଥିବାରୁ ଏହାର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ପଡ଼ୁଛି। ଖାଦ୍ୟ ଅନ୍ବେଷଣରେ ସକାଳୁ ବସା ଛାଡ଼ି ବାହାରି ଆସୁଥିବା ପକ୍ଷୀମାନେ ଛାଇ ଟିକେ ନପାଇ ଖରା ତେଜରେ ଚେତାଶୂନ୍ୟ ହୋଇପଡୁଛନ୍ତି। ବିଶେଷ କରି ପାରା, କପୋତ, ବଣି, କାଉ ଭଳି ପକ୍ଷୀମାନେ ଟାଣଖରା ପ୍ରଭାବରେ ନିସ୍ତେଜ ହୋଇ ତଳକୁ ଖସିପଡ଼ି ପ୍ରାଣ ହରାଉଥିବାର ଦେଖିବାକୁ ମିଳୁଛି। ବେତନଟୀ ଅଞ୍ଚଳରେ ଏବେ ଏମିତି ଚିତ୍ର ସାମ୍ନାକୁ ଆସୁଛି।

ଏହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କଲେଣି। ପକ୍ଷୀମାନେ ଦିନରେ ଅନ୍ତତଃ ଦୁଇ ଥର ପାଣି ପିଅନ୍ତି। ହେଲେ ଏବେ ଜଳାଶୟ ଶୁଖିବାକୁ ବସିଛି। ତେଣୁ ଲୋକେ ନିଜ ଘର ଅଗଣା‌ରେ କିମ୍ବା ଛାତ ଉପରେ ପାଣିପାତ୍ର ରଖିବାକୁ ଆହ୍ବାନ କରିଛନ୍ତି ଅଧ୍ୟାପକ ଯୋଗେଶ୍ବର ମହାନ୍ତ। ଅନ୍ୟ ପକ୍ଷରେ ଜିଲ୍ଲାଦେଇ ଯାଉଥିବା ୪ ଥାକିଆ ଜାତୀୟ ରାଜପଥ ନିର୍ମାଣ ଓ ସୁବର୍ଣ୍ଣରେଖା କେନାଲ ନିର୍ମାଣ ପାଇଁ ହଜାର ହଜାର ଗଛ କଟାଯାଉଛି। ଗୋଟିଏ ଗଛ କାଟିଲେ ଏହାର ପ୍ରତିବଦଳରେ ୧୦ଟି ଗଛ ଲଗାଇବାର ନିୟମ ରହିଛି। କିନ୍ତୁ ବିଭାଗୀୟ ଉଦାସୀନତା ହେତୁ ଏହାକୁ ଗୁରୁତ୍ବ ଦିଆଯାଉନି। ଫଳରେ ଅଧିକ ତାତି ଅନୁଭୁତ ହେଉଛି ଓ ପଶୁପକ୍ଷୀ ଏହାର ପରିଣାମ ଭୋଗୁଛନ୍ତି।

ସମ୍ବନ୍ଧିତ ଖବର