ନୀଳଗିରି: ନୀଳଗିରି ବ୍ଲକ୍‌ ଜାମୁଡ଼ିହା ଗାଁ ଶବର ସାହିର ଏକ ଶିମଳି ଗଛ ଉପରୁ ଶନିବାର ସକାଳେ ଗୋଟିଏ ପରେ ଗୋଟିଏ; ମୋଟ ୧୮ଟି ପକ୍ଷୀ ତଳକୁ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୨ଟି ବିରଳ ପ୍ରଜାତିର କୁମ୍ଭାଟୁଆ, ଗୋଟିଏ କାଠହଣା, ୬ଟି ବଣି ଓ ୯ଟି ଗୁହକାଳିକା ପକ୍ଷୀ। ୫ରୁ ୧୦ ମିନିଟ୍‌ ମଧ୍ୟରେ ପକ୍ଷୀଗୁଡ଼ିକ ଛଟପଟ ହୋଇ ମରିଯାଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ଗଛ ନିକଟରେ କୌଣସି ବିଦ୍ୟୁତ୍‌ ଖୁଣ୍ଟ କିମ୍ବା ଉଚ୍ଚଶକ୍ତି ସଂପନ୍ନ ଟାୱାର ନଥିବା ବେଳେ ହଠାତ ଏକକାଳୀନ ପକ୍ଷୀମାନଙ୍କର ମୃତ୍ୟୁ ନେଇ ଗାଁ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମୃତ୍ୟୁ କାରଣ ଜଣାପଡ଼ି ନଥିଲେ ମଧ୍ୟ ଅତ୍ୟଧିକ ଥଣ୍ଡା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଆଶଙ୍କା କରିଛନ୍ତି। କେତେକ ଏହାକୁ ବାର୍ଡ-ଫ୍ଲୁ’ର ପ୍ରଭାବ ବୋଲି କହୁଥିବାରୁ ଏ ସଂକ୍ରାନ୍ତରେ ଅଧିକ ଯାଞ୍ଚ ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ପକ୍ଷୀଗୁଡ଼ିକୁ ପରୀକ୍ଷା ପାଇଁ ନେଇଛନ୍ତି। ସୂଚନାଥାଉକି, ୨ ମାସ ତଳେ ଜାମୁଡ଼ିହା ଗାଁରେ କୁକୁଡ଼ା ମଡ଼କ ମଧ୍ୟ ଦେଖାଦେଇଥିଲା।