ଭୁବନେଶ୍ବର : ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ରାଜ୍ୟତମାମ ଏ ନେଇ ଆତଙ୍କ ଖେଳିଯାଇଛି। ଯେଉଁ ଅଞ୍ଚଳରେ ପକ୍ଷୀ ମରୁଥିବା ଖବର ଆସୁଛି, ସେଠାରେ ଲୋକମାନେ ଆଶଙ୍କା ଭିତରେ ରହୁଛନ୍ତି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀ ମରିବା ଖବର ମିଳିଥିଲା ବେଳେ କିଛି ସ୍ଥାନରୁ ନମୁନା ସଂଗ୍ରହ କରାଯାଇଛି।
ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ଗଣମାଧ୍ୟମକୁ କହିଛନ୍ତି, କୃଷ୍ଣପ୍ରସାଦରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ବାର୍ଡ ଫ୍ଲୁ ନେଇ ସତର୍କ ଅଛନ୍ତି। ବାର୍ଡ ଫ୍ଲୁ ଯେପରି ଅନ୍ୟ ବ୍ଲକ୍କୁ ନ ବ୍ୟାପେ, ସେଥି ପ୍ରତି ପଦେକ୍ଷପ ନିଆଯାଉଛି। ପୁରୀରେ ମଧ୍ୟ କାଉ ମରିବାର ଖବର ଆସିଛି। କୃଷ୍ଣପ୍ରସାଦ ନିକଟବର୍ତ୍ତୀ ବ୍ଲକ୍ କଣାସ, ପୁରୀ ସଦର, ବ୍ରହ୍ମଗିରିରୁ ମଧ୍ୟ ପକ୍ଷୀ ନମୁନା ସଂଗ୍ରହ କରାଯାଇଛି। ଯେଉଁମାନଙ୍କ କୁକୁଡ଼ା ମରାଯାଉଛି, ସେମାନଙ୍କୁ ଆଇନ୍ ଅନୁଯାୟୀ କ୍ଷତିପୂରଣ ମିଳିବ।
ବ୍ରହ୍ମଗିରି ପ୍ରତିନିଧିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁରୀର ଜିଲ୍ଲାର ସିଡିଭିଓଙ୍କ ନେତୃତ୍ବରେ ୪୦ ଜଣିଆ ଟିମ୍ କୁକୁଡା ମାରିବା ପାଇଁ କୃଷ୍ଣପ୍ରସାଦ ଅଭିମୁଖେ ଯାଇଥିଲେ। ପ୍ରଥମେ ଫତେପୁର ବାତ୍ୟା ଆଶ୍ରୟସ୍ଥଳୀଠାରେ ଟିମ୍ର ସଦସ୍ୟମାନଙ୍କୁ ଡାକ୍ତରୀ ଟିମ ପରୀକ୍ଷା କରିଥିଲେ। ଏହାସହିତ ସେମାନଙ୍କୁ ଔଷଧ ଖାଇବାକୁ ଦିଆଯାଇଥିଲା। ଏହି ଟିମ୍ ମଧ୍ୟରୁ ୩ଟି ଟିମ୍ରେ ୧୨ଜଣ ମାଲୁଦ, ସାନସାହି, ବୁଦ୍ଧିବର ଅଞ୍ଚଳରେ ଥିବା କୁକୁଡା ଫାର୍ମରେ ପଶି କୁକୁଡା ମାରିଥିଲେ। ଆଜି ପ୍ରଥମ ଦିନରେ ପ୍ରଭାବିତ ସ୍ଥାନଠାରୁ ୧ କିମି ମଧ୍ୟରେ ୩୯୯ଟି କୁକୁଡା ମାରି ପୋତାଯାଉଛି। ଅନ୍ୟ ତିନିଟି ଟିମ୍ ଏକ କିଲୋମିଟର ଠାରୁ ୧୦ କିଲୋମିଟର ମଧ୍ୟରେ କୁକୁଡା, ବତକ ଓ ଅନ୍ୟ ଘରୋଇ ପକ୍ଷୀଙ୍କ ନମୁନା ସଂଗ୍ରହ କରିଥିଲେ। ବାକି ଦୁଇଟି ଟିମ୍ ଜରୁରୀ ଆବଶ୍ୟକତା ପାଇଁ ରଖାଯାଇଥିଲା। ପୂର୍ବାହ୍ନ ଗୋଟାଏ ବେଳକୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିଲା। ଅପରାହ୍ନ ଚାରିଟା ବେଳକୁ କୁକୁଡା ଫାର୍ମ ଠାରୁ ଦୂରରେ ଗାତ ଖୋଳା ଯାଇ ବ୍ଲିଚିଂ ଓ ଅନ୍ୟ ରାସାୟନିକ ସାମଗ୍ରୀ ପକାଯିବା ସହିତ ମୃତ କୁକୁଡା ସବୁକୁ ପୋତି ଦିଆଯାଇଛି। ପ୍ରଭାବିତ ଫାର୍ମଠାରୁ ଏକ କିଲୋମିଟର ମଧ୍ୟରେ ଆଜି ଏହି କୁକୁଡା ମରାହୋଇଛି। ଅନ୍ୟପକ୍ଷରେ ଏଡିଆର୍ଆଇର ଉପ ନିର୍ଦେଶକ ଡାକ୍ତର ଲୋକନାଥ ବେହେରାଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍ ୧୦୮ଟି ନମୁନା ସଂଗ୍ରହ କରିଛି। ଏହାକୁ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ପ୍ରଭାବିତ ଅଞ୍ଚଳଠାରୁ ୧୦ କିଲୋମିଟର ମଧ୍ୟରେ ବାର୍ଡ ଫ୍ଲୁ ଆଶଙ୍କା ଥିବାରୁ ଏହି ଅଞ୍ଚଳରେ ସମସ୍ତ ପକ୍ଷୀ ଉପରେ ନଜର ରଖାଯାଇଛି। ପ୍ରଭାବିତ ଇଲାକା ଠାରୁ ୧୦ କିଲୋମିଟର ଅଞ୍ଚଳକୁ ସର୍ବେକ୍ଷଣ କରାଯାଇ କାର୍ଯ୍ୟ ଚାଲିଛି।
ରାଉରକେଲା ପ୍ରତିନିଧିଙ୍କ ଠାରୁ ମିଳିିଥିବା ସୂଚନା ଅନୁଯାୟୀ ବନ୍ଧମୁଣ୍ଡା ଡିଜେଲ୍ କଲୋନି ଅଂଚଳରେ ପକ୍ଷୀ ମୃତ୍ୟୁ ଦେଖିବାକୁ ମିଳିବା ପରେ ଆଜି ପ୍ରାଣୀ ଚିକିତ୍ସାଧିକାରୀ ଓ କର୍ମଚାରୀ ନମୁନା ସଂଗ୍ରହ ଆରମ୍ଭ କରିଛନ୍ତି। ସେଠାରୁୁ ୮ଟି ନମୁନା ସଂଗ୍ରହ କରାଯାଇଛି। ଅଧିକାରୀମାନେ ମୃତ କାଉ ଓ ବଣିଙ୍କ ନମୁନା ସଂଗ୍ରହ କରିଥିଲେ। ସେହିଭଳି ଆଇଜି ପାର୍କରୁ ମଧ୍ୟ ଆଜି ୭ଟି ନମୁନା ସଂଗ୍ରହ କରାଯାଇଛି। ଏହା ବାଦ୍ ଛେଣ୍ଡ୍, ବାସନ୍ତୀ କଲୋନି ଅଞ୍ଚଳରୁ ମଧ୍ୟ ୮ଟି ନମୁନା କରାଯାଇଛି।
ଆସନ୍ତାକାଲି ଏସବୁ ଅଞ୍ଚଳରେ ଅଧିକ ନମୁନା ସଂଗ୍ରହ କାର୍ଯ୍ୟ ଜାରି ରହିବ। ବିଗତ ବର୍ଷରେ ସିଆଇଏସ୍ପି କଲୋନି, କଚାରୁ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଥିବାରୁ ସେଠାରେ ମଧ୍ୟ ଆସନ୍ତାକାଲି ନମୁନା ସଂଗ୍ରହ କରାଯିବ। ଏହାପରେ ଆସନ୍ତାକାଲି ହିଁ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଅପର ପକ୍ଷରେ ସହରରେ ପକ୍ଷୀ ମୃତ୍ୟୁ ଜାରି ରହିଛି। ଆଜି ମଧ୍ୟ ଡିଜେଲ୍ କଲୋନି ଅଞ୍ଚଳରେ ପାଖାପାଖି ୫/୬ଟି ପକ୍ଷୀର ମୃତ ଦେହ ପଡ଼ିଥିଲା। ସେହିପରି ଛେଣ୍ଡ୍ କଲୋନିରେ ଏକ ପାରା ମରିଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ, ଚିଲିକା କୂଳବର୍ତ୍ତୀ ଗଞ୍ଜାମ ଓ ଖଲିକୋଟ ବ୍ଲକ୍ରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।