ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ : ଆଜି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍‌

ଦ୍ବିତୀୟ ଦିନରେ ମରାଗଲା ୮୦ କୁକୁଡ଼ା ଓ ବତକ, ନନ୍ଦନକାନନ ପକ୍ଷୀ ବିହାରରୁ ସଂଗ୍ରହ ହେଲା ନମୁନା

ଭୁବନେଶ୍ବର : ଓୟୁଏଟି କୁକୁଡ଼ା‌ ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ରାଜଧାନୀରେ ଆତଙ୍କ ଖେଳି ଯାଇଛି। ସହରବାସୀଙ୍କ ସମେତ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ଆଉ କେଉଁ ସ୍ଥାନରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ନିକଟସ୍ଥ ଜଳାଶୟରୁ ପକ୍ଷୀଙ୍କ ଲାଳ ନମୁନା ସଂଗ୍ରହ କରାଯାଉଛି। ଗତକାଲି ପରି ଆଜି ମଧ୍ୟ ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଫୁଲନଖରା ପଠାଯାଇଛି। ନନ୍ଦନକାନନ ପକ୍ଷୀ ବିହାରରୁ ବି ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି (ଗୁରୁବାର) ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ। ସେମାନେ ଓୟୁଏଟି ଫାର୍ମ ହାଉସ ସମେତ ଏହାର ନିକଟବର୍ତୀ ଅଞ୍ଚଳ ବୁଲିବେ। କିଭଳି ରହିଛି ସ୍ଥିତି, କ’ଣ ସବୁ ପଦକ୍ଷେପ ନିଆଯାଇଛି, କିଛି ତ୍ରୁଟି ରହିଛି କି, କେଉଁଥିପାଇଁ ବାର୍ଡ ଫ୍ଲୁ ବ୍ୟାପିଲା ଏବଂ ରାଜଧାନୀରେ ଥିବା ଏହି ଫାର୍ମରେ ବାରମ୍ବାର ବାର୍ଡ ଫ୍ଲୁ ହେଉଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପରି ବିଷୟ ଉପରେ ଆଲୋଚନା କରିବେ। ରାଜ୍ୟ ସରକାରଙ୍କ ସହ ମଧ୍ୟ କେନ୍ଦ୍ରୀୟ ପ୍ରତିନିଧିଦଳର ସଦସ୍ୟମାନେ ଆଲୋଚନା କରିବେ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଓୟୁଏଟି ଫାର୍ମ ହାଉସ ସମେତ ଏହାର ପାର୍ଶ୍ବବର୍ତୀ ଅଞ୍ଚଳରେ ଆଜି ବି କୁକୁଡ଼ାମରା ଅଭିଯାନ ଜାରି ରହିଥିଲା। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ବିତୀୟ ଦିବସରେ ସଂକ୍ରମିତ ସ୍ଥାନରେ ନିୟୋଜିତ ରାପିଡ୍‌ ରେସପନ୍ସ ଟିମ୍‌ କୁକୁଡ଼ା ଫାର୍ମ ଭିତରେ ୨ ପ୍ରତିଶତ ସୋଡିଅମ୍‌ ହାଇପୋକ୍ଲୋରାଇଟ ଓ ୪ ପ୍ରତିଶତ ଫର୍ମାଲିନ ଦ୍ରବଣ ସିଞ୍ଚନ କରି ସଂକ୍ରମିତ ସ୍ଥାନକୁ ବିଶୋଧନ କରିଥିଲେ। ଅନ୍ୟ ୫ଟି ଟିମ୍‌ ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଥିବା କୁକୁଡ଼ା ଦୋକାନ ଓ କୁକୁଡ଼ା ଚାଷୀଙ୍କ ୮୦ଟି କୁକୁଡ଼ା ଓ ବତକଙ୍କୁ ମାରି ଗଭୀର ଗାତରେ ପୋତି ଦେଇଛନ୍ତି। ୮୦ଟି କୁକୁଡ଼ାଙ୍କ ମଧ୍ୟରେ ୩୮ଟି ଲେୟର ଚିଆଁ, ୩୮ଟି ଲେୟର କୁକୁଡ଼ା ଓ ୪ଟି ବତକ ରହିଥିଲେ। ଏଥିସହ ୧୦୫୯ଟି ଅଣ୍ଡା ଓ ୧୦ କେଜି କୁକୁଡ଼ା ଖାଦ୍ୟ ଗଭୀର ଗାତରେ ପୋତିଛନ୍ତି। ପୋତିବା ସମୟରେ ସେମାନେ ଗାତରେ ବିଶୋଧକ ଭାବେ ଚୂନ ଓ ବ୍ଲିଚିଂ ପାଉଡର ପ୍ରୟୋଗ କରିଥିଲେ।

କ୍ଷତିପୂରଣ ବାବଦକୁ ଲେୟର ଚିଆଁ ପିଛା ୨୦ ଟଙ୍କା, ଲେୟର କୁକୁଡ଼ା ପିଛା ୯୦ ଟଙ୍କା, ବତକ ପ୍ରତି ୧୩୫ ଟଙ୍କା, ଅଣ୍ଡା ପିଛା ୩ ଟଙ୍କା ଓ କୁକୁଡ଼ା ଦାନା କେଜି ପିଛା ୧୨ ଟଙ୍କା ହିସାବରେ ମୋଟ ୮୦୧୭ ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରଥମ ଦିନର କ୍ଷତିପୂରଣକୁ ମିଶାଇ ଏବେ ସୁଦ୍ଧା ମୋଟ ୨୫ ହଜାର ୯୦୪ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଓୟୁଏଟି କୁକୁଡ଼ା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଆସୁଥିବା ଅଞ୍ଚଳଗୁଡ଼ିକରେ ଆସନ୍ତାକାଲି ମଧ୍ୟ କୁକୁଡ଼ାମରା ଅଭିଯାନ ଓ ବିଶୋଧନ ପ୍ରକ୍ରିୟା ଚାଲୁ ରହିବ। ଏହାବ୍ୟତୀତ ୧ରୁ ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ୬ଟି ରାପିଡ୍‌ ରେସପନ୍ସ ଟିମ୍‌ଙ୍କ ଦ୍ବାରା ଆଜି ତନ୍ନତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଏହି ପ୍ରକ୍ରିୟା ଗୁରୁବାର ମଧ୍ୟ ଜାରି ରହିବ।

ସମ୍ବନ୍ଧିତ ଖବର