ଚିଲିକାରେ ବାର୍ଡ ଫ୍ଲୁ : ପକ୍ଷୀ ଅଭୟାରଣ୍ୟକୁ ମହାବିପଦ

ଆଜି କୁକୁଡ଼ା ମରା ଅଭିଯାନ, ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ୍‌, ରା‌ଉରକେଲାରେ ବି ବାର୍ଡ ଫ୍ଲୁ ଆଶଙ୍କା

ଭୁବନେଶ୍ବର/ପୁରୀ/ବ୍ରହ୍ମଗିରି/ରାଉରକେଲା : ଚିଲିକା ପକ୍ଷୀ ଅଭୟାରଣ୍ୟକୁ ମାଡ଼ି ଆସିଛି ମହାବିପଦ। ଗତ ତିନି ଦିନ ଧରି ଲଗାତାର ପକ୍ଷୀ, କୁକୁଡ଼ା ମଡ଼କ ହେବା ପରେ ଚିଲିକା ଅଞ୍ଚଳରେ ବାର୍ଡ -ଫ୍ଲୁକୁ ନେଇ ଯେଉଁ ଆଶଙ୍କା ଉପୁଜିଥିଲା ତାହା‌ ସତ ହୋଇଛି। କୃଷ୍ଣପ୍ରସାଦ ବ୍ଲକ୍‌ର ସାନସାଇ, ପଥରଗଞ୍ଜ, ମାଲୁଦ ଅଞ୍ଚଳରୁ ସଂଗୃହୀତ ରକ୍ତ ନମୁନାରୁ ବାର୍ଡ-ଫ୍ଲୁ ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତାକାଲି ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳର ୧ କିଲୋମିଟର ମଧ୍ୟରେ ରହିଥିବା କୁକୁଡ଼ା ଓ ବତକ ମାରି ପୋତି ଦେବାକୁ ନିଷ୍ପତ୍ତି ହୋଇଛି। କୃଷ୍ଣପ୍ରସାଦ ବ୍ଲକ୍‌ର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ୍ ଦିଆଯିବା ସହ ଚିକେନ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଅପର ପକ୍ଷରେ ରାଉରକେଲାରେ ମଧ୍ୟ ବାର୍ଡ ଫ୍ଲୁ ନେଇ ସନ୍ଦେହ ପ୍ରକାଶ କରାଯାଇଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗତ ୫ ଦିନ ଭିତରେ ୬୦ରୁ ଉର୍ଦ୍ଧ୍ବ କାଉ ଓ ବଣିଙ୍କର ମୃତ୍ୟୁ ନେଇ ଏହି ଆଶଙ୍କା ବଢ଼ିଯାଇଛି। ତେବେ ଏଠାରେ ଏ ପର୍ଯ୍ୟନ୍ତ ନମୁନା ପରୀକ୍ଷା କରାଯାଇ ନାହିଁ।

ଚିଲିକାରେ ବାର୍ଡ ଫ୍ଲୁ ଦେଖାଦେଇଥିବାରୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ମହଲରେ ନୈରାଶ୍ୟ ଖେଳିଯାଇଛି। ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ସମୟ ହୋଇଯାଇଥିଲା ବେଳେ ବାର୍ଡ ଫ୍ଲୁ ଏବେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ପୁଣି ପର୍ଯ୍ୟଟନ ଦୃଷ୍ଟିକୋଣରୁ ଚିଲିକା ରାଜ୍ୟର ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ବାର୍ଡ ଫ୍ଲୁ ଖବର ରାଜ୍ୟ ପର୍ଯ୍ୟଟନକୁ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସଚିବ ବିଶାଲ ଗଗନଙ୍କ ସୂଚନା ଅନୁଯାୟୀ କୃଷ୍ଣପ୍ରସାଦ ବ୍ଲକ୍‌ରେ କିଛି କାଉଙ୍କ ମରିବା ଖବର କିଛି ଦିନ ତଳେ ଆସିଥିଲା। ସେଠାରେ ଦୁଇଟି ଗାଁର ଥିବା ଦୁଇଟି ବ୍ରଏଲର୍ ଫାର୍ମରେ ମଧ୍ୟ ବ୍ରଏଲର୍‌ଙ୍କ ମରିବା ରିପୋର୍ଟ ଆସିଥିଲା। ଏହା ପରେ ସେଠାରୁ ନମୁନା ସଂଗ୍ରହ କରାଯାଇ ସ୍ବତନ୍ତ୍ର ବ୍ୟକ୍ତିଙ୍କ ଦ୍ବାରା ଭୋପାଳ ପଠାଯାଇଥିଲା ପରୀକ୍ଷା ପାଇଁ। ୨୦ ନମୁନା ପଠାଯାଇଥିଲା ବେଳେ ସେଥିରୁ ୬ଟି ପଜିଟିଭ୍ ରହିଛି। ଏହାର ପ୍ରତିକାର ବ୍ୟବସ୍ଥା ସ୍ବରୂପ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଏହା ଉପରେ ସତର୍କ ନଜର ରଖିଛନ୍ତି।

ବାର୍ଡ ଫ୍ଲୁ ଜଣାପଡ଼ିବା ପରେ ପୁରୀୁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ ଡକାଯାଇଥିଲା। ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ଜିଲ୍ଲ‌ାପାଳ ଜ୍ୟୋତିପ୍ରକାଶ ଦାସ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀ ଗିରିଜା ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ୮ଟି ଟିମ୍‌ ଗଠନ କରାଯାଇ ପ୍ରଶିକ୍ଷଣ ଦିଆଯାଇଛି। ବାର୍ଡ ଫ୍ଲୁକୁ ନେଇ ଜିଲ୍ଲା ପ୍ରଶାସନ ପୂରା ସଜାଗ ରହିଛି ଓ ଏଥିରେ ଆତଙ୍କିତ ନ ହେବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି। ନିୟମ ମୁତାବକ, ଯାହାର କୁକୁଡା ମରାଯିବ ତାଙ୍କୁ କ୍ଷତିପୂରଣ ଦିଆଯିବ। ଆସନ୍ତାକାଲି ସକାଳୁ କୁକୁଡ଼ା ମରା ଆରମ୍ଭ ହେବ। ଚିହ୍ନଟ ଅଞ୍ଚଳରେ ପ୍ରଥମେ ୭୬୦ କୁକୁଡ଼ା ମରାଯିବ ବୋଲି ଜିଲ୍ଲ‌ା ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ତେବେ ଯେଉଁ ଅଞ୍ଚଳରେ ବାର୍ଡ-ଫ୍ଲୁ ଚିହ୍ନଟ ହୋଇଛି ସେ ଅଞ୍ଚଳକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବାରୁ ପ୍ରଶାସନର ଏବେ ଚିନ୍ତା ବଢିଯାଇଛି। ଏ ନେଇ ଜଂଗଲ ଓ ବନ୍ୟଜନ୍ତୁ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ଇତିମଧ୍ୟରେ ଚିଲିକା ନଳବଣ ଅଞ୍ଚଳ‌ରେ ଆନିମଲ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍( ଏଡିଆରଆଇ) ଟିମ୍ ପହଞ୍ଚିଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ଭୋପାଳରୁ ମଧ୍ୟ ଏକ ସ୍ବତନ୍ତ୍ର ଟିମ୍ ଆସୁଥିବା ଜଣାପଡିଛି।

ଚିଲିକା ଅଞ୍ଚଳରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଏବେ ଚିଲିକାକୁ ଆସିଥିବା ପ୍ରାୟ ୪ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀଙ୍କ ଜୀବନ ପ୍ରତି ମହା ବିପଦ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଏକ ତିନି ଜଣିଆ ବିଶେଷଜ୍ଞ ଦଳ ଆଜି ନଳବଣ ଗସ୍ତ କରିଛନ୍ତି। ନଳବଣ ଓ ଚିଲିକା ଅଞ୍ଚଳରୁ ବିଦେଶୀ ପକ୍ଷୀଙ୍କ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ବିଦେଶୀ ପକ୍ଷୀଙ୍କ ଅବସ୍ଥା କ’ଣ ରହିଛି, ତାର ଚିତ୍ର ଏ ଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ନଳବଣରେ ବହୁ ଅସୁସ୍ଥ ପକ୍ଷୀ ମରି ପଡ଼ିଥିବାରୁ ବିଦେଶୀ ପକ୍ଷୀଙ୍କ ରକ୍ତ ନମୁନାରେ ବାର୍ଡ ଫ୍ଲୁ ଭୂତାଣୁ ସଞ୍ଚରିତ ହୋଇଥିବା ସନ୍ଦେହ କରାଯାଉଛି।

ଆମ ରାଉରକେଲା ପ୍ରତିନିଧିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ଧମୁଣ୍ଡା ଅଞ୍ଚଳରେ ଅଜଣା କାରଣରୁ ଗତ ୫ ଦିନ ଭିତରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ କାଉ ଓ ବଣିଙ୍କର ମୃତ୍ୟୁ ହୋଇଛି। ଉକ୍ତ କାଉ ଓ ବଣିଗୁଡ଼ିକ ମୃତ୍ୟୁ ପୂର୍ବରୁ ଘୁମାଉଥିବାରୁ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରାଯାଉଛି। ବନ୍ଧମୁଣ୍ଡା ଡିଜେଲ୍‌ କଲୋନିର କ୍ବାର୍ଟର ନଂ-ଏଲ୍‌-୩୯ ସମ୍ମୁଖରେ ପ୍ରାୟ ଅଧ କିଲୋମିଟିର ବ୍ୟାସାର୍ଦ୍ଧ୍ୟ ବିଶିଷ୍ଟ ଖୋଲା ଅଞ୍ଚଳ ରହିଛି। ସେଠାରେ ଥିବା ବଡ଼ ବଡ଼ ଗଛଗୁଡ଼ିକରେ କାଉ, ବଣି ଓ ଅନ୍ୟ ଚଢ଼େଇ ବସା ବାନ୍ଧି ରହିଥାନ୍ତି। ଗତ ୯ ତାରିଖରେ ସେଠାରେ ଗଛମୂଳେ ପ୍ରାୟ ୧୨/୧୩ଟି କାଉ ଓ ବଣି ମରି ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ। ତା’ ପରେ ପ୍ରତ୍ୟେକ ଦିନ ପକ୍ଷୀ ମରି ପଡ଼ିଥିବାର ଦେଖିବାକୁ ମିଳିଛି। ତେଣୁ ଏଠାରେ ବାର୍ଡ ଫ୍ଲୁ ଆତଙ୍କ କୋକୁଆ ଭୟ ଖେଳାଇ ଦେଇଛି। ବାର୍ଡ ଫ୍ଲୁ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ସକରାତ୍ମକ ପଦକ୍ଷେପ ଦେଖିବାକୁ ମିଳି ନ ଥିବା କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୬ ନଭେମ୍ବର ଓ ଡିସେମ୍ବର ମାସରେ ବାର୍ଡଫ୍ଲୁ ରାଉରକେଲାରେ ଆତଙ୍କ ସୃଷ୍ଟି କରିଥିଲା। ସିଆଇଏସ୍‌ଏଫ୍‌ କଲୋନି ଓ ଆଇ.ଜି. ପାର୍କରେ ପକ୍ଷୀ ମୃତ୍ୟୁ ପ୍ରଶାସନର ଚିନ୍ତା ବଢ଼ାଇଦେଇଥିଲା। ବାର୍ଡ ଫ୍ଲୁ ଯୋଗୁଁ କେବଳ ଆଇ.ଜି. ପାର୍କରେ ୨ଟି ଏମୁ, ୪ଟି ପେଲିକନ୍‌ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର