ପାରାଦୀପରେ ବାର୍ଡ ଫ୍ଲୁ! : ଆରମ୍ଭ ହେଲା କୁକୁଡ଼ା ମରା ଓ ଅଣ୍ଡା ନଷ୍ଟ ଅଭିଯାନ

ଜଗତସିଂହପୁର : ପାରାଦୀପର ବଡ଼ପଡ଼ିଆ ଓ ଷଣ୍ଢକୁଦ ଅଞ୍ଚଳରୁ ସଂଗୃହୀତ କୁକୁଡ଼ା ଓ ବତକ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଛି। ଏହା ପରେ ଚେତିଛି ଜିଲ୍ଲା ପ୍ରଶାସନ। ଗତକାଲି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାରାଦୀପରେ କୁକୁଡ଼ା, ବତକ ଓ ଅଣ୍ଡା ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଏ ନେଇ ଯାଞ୍ଚ କରିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କ ନେତୃତ୍ଵରେ ଏକ ଟିମ୍‍ ପାରାଦୀପରେ ପହଞ୍ଚିଥିଲା। ଏହି ଟିମ୍‌ ବଡ଼ପଡ଼ିଆ ବଜାରରୁ ୬୦ରୁ ଅଧିକ କୁକୁଡ଼ା ଓ ଶତାଧିକ ଅଣ୍ଡାକୁ ନେଇ ବଙ୍ଗାଳିପଡ଼ା ସନ୍ନିକଟ ଡମ୍ପିଂ ୟାର୍ଡରେ ପୋତି ଦେଇଛନ୍ତି। ଆସନ୍ତାକାଲି ସକାଳୁ ଏହି ଟିମ୍‍ ପୁଣି କୁକୁଡ଼ା ଓ ବତକ ମରା ଏବଂ ଅଣ୍ଡା ଜବତ କାର୍ଯ୍ୟରେ ନିୟୋଜିତ ହେବ। ସୂଚନାଯୋଗ୍ୟ, ବାର୍ଡ ଫ୍ଲୁ ସଂକ୍ରମଣ ଆଶଙ୍କା ଥିବାରୁ ପାରାଦୀପବାସୀ କୁକୁଡ଼ା, ବତକ ମାଂସ ଓ ଅଣ୍ଡା ଖାଇବାରୁ ନିବୃତ୍ତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଭୂତାଣୁ ଚିହ୍ନଟ ହୋଇଥିବା ଅଞ୍ଚଳର ୧କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡ଼ା, ବତକ ମାଂସ ଓ ଅଣ୍ଡା ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର