ଗଡ଼ିଶାଗୋଦା : ଶୀତଋତୁ ଆସିଲେ ଚିଲିକାକୁ ପୃଥିବୀର ବିଭିନ୍ନ ଦେଶରୁ ନାନା ପ୍ରଜାତିର ପକ୍ଷୀମାନେ ଛୁଟି ଆସିଥାନ୍ତି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସାତପଡ଼ା ଓ ଟାଙ୍ଗୀ ବନବିଭାଗ(ବନ୍ୟପ୍ରାଣୀ) କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଚିଲିକାର ଉତ୍ତର ନାସି ଦୟା ନଦୀର ମୁହାଣଠାରୁ ମକରା ନଦୀର ମୁହାଣ ପର୍ଯ୍ୟନ୍ତ ଅଞ୍ଚଳରେ ପକ୍ଷୀ ସୁରକ୍ଷା ଦାୟିତ୍ୱ କାହାରିକୁ ଦିଆଯାଇ ନଥିବାରୁ ପକ୍ଷୀ ଶିକାର ବଢ଼ୁଥିବା ଜଣାପଡ଼ିଛି। ସୁରକ୍ଷା ବ୍ୟବସ୍ଥା ଢିଲା ହେଉଥିବାରୁ ଶିକାରୀମାନଙ୍କୁ ଶିକାର କରିବା ପାଇଁ ସହଜ ହେଉଛି। ବର୍ତ୍ତମାନ ବିଦେଶୀ ପକ୍ଷୀମାନେ ଚିଲିକାରେ ପହଞ୍ଚିବା ପରେ ଖାଦ୍ୟ ଅନ୍ୱେଷଣରେ ଚିଲିକା ଉତ୍ତର ନାସିରେ ଠୁଳ ହେବାରେ ଲାଗିଛନ୍ତି। ତୁରନ୍ତ ପକ୍ଷୀମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ରାଜ୍ୟ ସରକାରଙ୍କୁ ପକ୍ଷୀପ୍ରେମୀମାନେ ନିବେଦନ କରିଛନ୍ତି।