ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଛି। ବିମାନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ହୋଇଥିବାବେଳେ ବିମାନରେ ଥିବା ୧୮୦ଜଣ ଯାତ୍ରୀ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ୪ଟା ୨୦ରେ ଇଣ୍ଡିଗୋ ବିମାନ ୬ଇ-୬୭୧୭ ବିମାନ ରନ୍ୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ବିମାନର ସାମନା ଭାଗରେ ମାଡ଼ ହୋଇଥିଲା। ଏପରିକି ବିମାନର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା। ବିମାନ ସମ୍ମୁଖ ଭାଗ ନଷ୍ଟ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ। ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ବିମାନଟି ହଠାତ୍ ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।
ନିକଟରେ ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ସମସ୍ତଙ୍କ ଆଖି ଆଗରେ ନାଚି ଉଠିଥିଲା। ଯାତ୍ରୀମାନେ ବିମାନରେ ଚିତ୍କାର କରିଥିଲେ। ହେଲେ ପାଇଲଟ୍ କିଛି ବଡ଼ ସମସ୍ୟା ହୋଇନି ବୋଲି ଘୋଷଣା କରିବାରୁ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ। ଏହାପରେ ବିମାନଟି ପାର୍କିଂସ୍ଥଳୀକୁ ଆସିଥିଲା। ବହୁ ସମୟଧରି ଇଣ୍ଡିଗୋ ଇଞ୍ଜିନିୟର ସେଠାରେ ବିମାନ ଯାଞ୍ଚ କରିଥିଲେ ହେଁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ ଦିଆଯାଇନଥିଲା। ବିମାନବନ୍ଦର ନିର୍ଦ୍ଦେଶକ ଭୁବନେଶ୍ବର-କୋଲକାତା ବିମାନରେ ପକ୍ଷୀ ମାଡ଼ ହୋଇଥିବା ଘଟଣାକୁ ନିଶ୍ଚିତ କରିଥିଲେ ହେଁ କେତେବେଳେ ବିମାନ କୋଲକାତା ଅଭିମୁଖେ ଗଲା କି ଅନ୍ୟ ଏକ ବିମାନରେ ଯାତ୍ରୀମାନେ କୋଲକାତା ଗଲେ, ସେ ସଂପର୍କରେ କିଛି ସୂଚନା ଦେଇନଥିଲେ।