ଝାରସୁଗୁଡ଼ା: ଶୁକ୍ରବାର ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାର୍‌ ଏୟାରର ବିମାନ ଏସ୍‌-୫୨୨୯ ଭୁବନେଶ୍ବର ଅଭିମୁଖେ ଉଡ଼ାଣ କରିବାକୁ ଯିବା ବେଳେ ଇଞ୍ଜିନର ପ୍ରୋପେଲର୍‌ରେ ସମସ୍ୟା ଦେଖାଦେଇଥିଲା। ଯାଞ୍ଚ ସମୟରେ ଇଞ୍ଜିନ ପ୍ରୋପେଲର୍‌ରେ ପକ୍ଷୀମାଡ଼ ଯୋଗୁଁ ତାହା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିବା ପରେ ଭୁବନେଶ୍ବର ରୁଟ୍‌ର ଯାତ୍ରା ବାତିଲ କରିଦିଆଯାଇଛି।ଇଞ୍ଜିନିୟରମାନେ ଆସି ବିମାନର ଯାନ୍ତ୍ରିକ ତ୍ରୁଟି ମରାମତି କରୁଛନ୍ତି। ଏ ସଂପର୍କରେ ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧାଉଣ୍ଡିଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିମାନରେ ସମସ୍ୟା ହୋଇଛି। କିନ୍ତୁ କ’ଣ ସମସ୍ୟା ହୋଇଛି ସେ ସଂକ୍ରାନ୍ତରେ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। 

Advertisment

ଷ୍ଟାର୍‌ ଏୟାର ବିମାନ ଇଞ୍ଜିନ୍‌ରେ ତ୍ରୁଟି
ଭୁବନେଶ୍ବର ବିମାନ ବାତିଲ

ଆଜି ସକାଳେ ଷ୍ଟାର୍‌ ଏୟାରର ବିମାନ ହାଇଦ୍ରାବାଦରୁ ଝାରସୁଗୁଡ଼ା ଆସି ପୁଣି ଲକ୍ଷ୍ନୌ ଯାଇଥିଲା। ଲକ୍ଷ୍ନୌରୁ ଏହି ବିମାନ ଆସି ସନ୍ଧ୍ୟା ୭ଟା ୨୮ ମିନିଟ୍‌ରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ବିମାନ ୭୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ଉଡ଼ାଣ କରିବା ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଟେକ୍‌ନିସିଆନ୍‌ ଓ ଇଞ୍ଜିନିୟର ଆସି ଯାଞ୍ଚ କରିବା ବେଳେ ପ୍ରୋପେଲର୍‌ରେ ତ୍ରୁଟି ସାମନାକୁ ଆସିଥିଲା। ତେବେ ଲକ୍ଷ୍ନୌରୁ ଝାରସୁଗୁଡ଼ା ଆସିବା ବେଳେ ମଝି ଆକାଶରେ କୌଣସି ପକ୍ଷୀ ପ୍ରୋପେଲର୍‌ରେ ମାଡ଼ ହୋଇଥିବା ନେଇ ଇଞ୍ଜିନିୟରମାନେ ଆଶଙ୍କା କରୁଥିବା ଷ୍ଟାର୍‌ ଏୟାରର ଜଣେ କର୍ମଚାରୀ କହିଛନ୍ତି। ସେପଟେ, ଝାରସୁଗୁଡ଼ା ବିମାନ ବନ୍ଦରରେ ପକ୍ଷୀମାଡ଼‌ର କୌଣସି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ଷ୍ଟାର୍‌ ଏୟାରର ଉଡ଼ାଣ ପୂର୍ବରୁ ଏକାଧିକ ବିମାନ ଏଠାରୁ ଉଡ଼ାଣ କରିଥିବା ବିମାନବନ୍ଦରର ଜଣେ କର୍ମଚାରୀ କହିଛନ୍ତି। ତେବେ ଠିକଣା ସମୟରେ ଏହି ସମସ୍ୟା ଜଣାପଡ଼ିଯିବାରୁ ଏକ 
ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି।