ବଣାଇଗଡ଼: ଗତ କିଛିଦିନ ହେବ ବଣାଇ ସହରରେ କାଉ ଓ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଆଜି ସକାଳେ ମଧ୍ୟ ଅନେକ ସ୍ଥାନରେ କାଉ ମରିଥିବା ଦେଖିବା ପରେ ସାଧାରଣରେ ଭୟ ଓ ଆଶଙ୍କା ପ୍ରକାଶ ପାଇଛି। ଅତ୍ୟଧିକ ଥଣ୍ଡା ନା ବାର୍ଡଫ୍ଲୁ ପାଇଁ ଏଭଳି ପକ୍ଷୀ ମଡ଼କ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। କାଉ ଗୁଡ଼ିକ ଅସୁସ୍ଥ ହୋଇ କିଛି ସମୟ ଛଟପଟ ହେବା ପରେ ମରି ଯାଉଥିବାବେଳେ ଘରେ ପାଳିତ କୁକୁଡ଼ା ମଧ୍ୟ ବିନା କାରଣରେ ମରି ପଡ଼ୁଥିବା ପରିଲକ୍ଷିତ ହେଉଛି। ତେବେ କାଉ କୁକୁଡ଼ା ମଲା ପରେ ମଧ୍ୟ ପଶୁସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଛି। ତାପମାତ୍ରା ହ୍ରାସ ଯୋଗୁ ଏହି ପକ୍ଷୀ ମଡ଼କ ହେଉଥିବା ଆଲୋଚନା ହେଉଛି। ପ୍ରାଣୀଧନ ଚିକିତ୍ସକଙ୍କ ଦ୍ୱାରା ଏସବୁର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଗଲେ ମଡ଼କର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।