ରାଜନଗର : ଚଳିତବର୍ଷର ଗଣନା ରିପୋର୍ଟରୁ ଭିତରକନିକାରେ ବଉଳା କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧିପାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନବିଭାଗ ପକ୍ଷରୁ ପୃଥକ୍ପୃଥକ୍ ଟିମ୍ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ୨୦ଟି ଟିମ୍ ଚଳିତମାସ ୩ ତାରିଖଠାରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇ ଆଜି ଶେଷ ହୋଇଥିଲା। ଗତବର୍ଷ କୁମ୍ଭୀର ସଂଖ୍ୟା ୧୬୮୨ ଥିବାବେଳେ ଚଳିତବର୍ଷ ଏହା ୧୬୯୮କୁ ବୃଦ୍ଧି ପାଇଛି ଅର୍ଥାତ୍ ଭିତରକନିକାରେ ୧୬ଟି କୁମ୍ଭୀର ଅଧିକ ରହିଥିବା ଗଣନା ପରେ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଏହି ଗଣନା ସମୟରେ ୬୧୦ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍ ୨ ଫୁଟିଆ କୁମ୍ଭୀର, ୩୩୮ଟି ବର୍ଷିକିଆ ଛୁଆ ଅର୍ଥାତ୍ ୨ ରୁ ୩ ଫୁଟିଆ, ୨୬୭ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟ, ୧୭୨ଟି ୪ ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଭିତରକନିକା ଭିତରେ ଥିବା ନଦୀ, ନାଳ ଗୁଡିକରେ ଚଳିତବର୍ଷ ୧୬୦୧ କୁମ୍ଭୀର ଥିବା ବେଳେ ଭିତରକନିକା ବାହାରେ ଥିବା ନଦୀ, ନାଳ ଗୁଡିକରେ ୯୭ଟି କୁମ୍ଭୀର ଥିବା ଡି.ଏଫ୍.ଓ. ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସେହିଭଳି, ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି। ଗତବର୍ଷ ଭିତରକନିକାରେ ୭୬,୨୬୮ ବିଦେଶୀ ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୩୭କୁ ବୃଦ୍ଧିପାଇଛି।