ଭିତରକନିକାରେ ବଢ଼ିଲେ ବିଦେଶାଗତ ପକ୍ଷୀ, ୧୧୫ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ୧,୧୮,୩୨୬

ଭାଙ୍ଗିଲା ୧୨ ବର୍ଷର ରେକର୍ଡ

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ୬ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୯ ହଜାର ୦୫୯ ପକ୍ଷୀ ଭିଡ଼ ଜମାଇଥିବାବେଳେ ଚଳିତବର୍ଷ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଛନ୍ତି। ଅର୍ଥାତ ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୯୨୬୭ ପକ୍ଷୀ ଅଧିକ ଆସିଥିବା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୭୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୫ ପ୍ରଜାତିର ପକ୍ଷୀ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ କମନପୋଚାର୍ଡ ପକ୍ଷୀ ଦେଖିବାକୁ ମିଳିଛି। ଗତ ୫ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁ ନଥିଲା। ଚଳିତବର୍ଷ ଏହି ଜାତୀୟ ୧୧ଟି ପକ୍ଷୀଙ୍କୁ ଗଣନା ବେଳେ ଚିହ୍ନଟ କରାଯାଇଛି।

ଗତ ୬ ତାରିଖ ଦିନ ୧୬ଟି ଟିମ୍‌ ଭିତରକନିକା ଅଭୟାରଣ୍ୟ ଓ ମହାନଦୀ ଡେଲଟା ଅଂଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା। ଭିତରକନିକା ଅଭୟାରଣ୍ୟ ଅଂଚଳରେ ୯ଟି ଟିମ ଓ ମହାନଦୀ ଡେଲ୍‌ଟା ଅଂଚଳରେ ୭ଟି ଟିମ ପକ୍ଷୀଗଣନା କରିଥିଲେ। ପକ୍ଷୀ ବିଶାରଦ ସୁନିଲ ଦତ୍ତ, ଡ. ଶିବ ପରିଡା, ଡ. ବିଶ୍ବଜିତ ମହାନ୍ତି, ମାଇକେଲ ପିଟର ପ୍ରମୁଖ ୫୮ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଗଣନା ସମୟରେ ଭିତରକନିକାକୁ ୧୧୫ ପ୍ରକାରର ୧ ଲକ୍ଷ ୧୮ ହଜାର ୩୨୬ଟି ପକ୍ଷୀ ଆସିଛନ୍ତି। ଗତବର୍ଷ ଭିତରକନକାକୁ ୭୪ ପ୍ରକାରର ୧ ଲକ୍ଷ ୯ହଜାର ୦୫୯ ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୫ ପ୍ରକାରର ପକ୍ଷୀ ଆସିଛନ୍ତି। ଚଳିତବର୍ଷ ଗ୍ରେବ୍ସ ଜାତୀୟ ପକ୍ଷୀ ଦୁଇ ପ୍ରକାରର ୧୫ଟି, ୪ ପ୍ରକାରର କର୍ମୋରାଂଟସ ଓ ଡାର୍ଟର ଜାତୀୟ ପକ୍ଷୀ ୨୩୮୪ଟି, ୧୦ ପ୍ରକାରର ହେରୋନ, ଇଗ୍ରେଟ୍ସ ଓ ବିଟନର୍ସ ଜାତୀୟ ପକ୍ଷୀ ୮୦୬୪ଟି, ୩ ପ୍ରକାର ଷ୍ଟ୍ରେ୍ରାର୍କସ ଜାତୀୟ ପକ୍ଷୀ ୫୦୯୨ଟି, ୨ ପ୍ରକାରର ଇବିଲ୍ସ ଓ ସ୍ପୁନବିଲ ଜାତୀୟ ପକ୍ଷୀ ୭୯୨ଟି, ୧୪ ପ୍ରକାରର ଗିଜ ଓ ଡକ ଜାତୀୟ ପକ୍ଷୀ ୭୮,୩୧୨ଟି, ରେଲସ, ଗ୍ୟାଲିନର୍ସ ଓ କୁଟ ଜାତୀୟ ପକ୍ଷୀ ୪ ପ୍ରକାରର ୪,୬୮୩ଟି, ୨ପ୍ରକାରର ଫିନପୁଟସ ଓ ଜାକାନାସ ଜାତୀୟ ପକ୍ଷୀ ୩୪୯ଟି, ୨୮ ପ୍ରକାରର ସୋରବାର୍ଡସ ଓ ୱାର୍ଡସ ଜାତୀୟ ପକ୍ଷୀ ୯୮୩୭ଟି, ୫ ପ୍ରକାରର ଗୁଲସ, ଟେନର୍ସ, ସ୍କିମର ଜାତୀୟ ପକ୍ଷୀ ୭,୭୯୯ଟି ଓ ୩୧ ପ୍ରକାରର ୱାଟର୍ସ ଜାତୀୟ ପକ୍ଷୀ ୯୯୪ଟି ଭିଡ ଜମାଇଥିବା ଗଣନା ବେଳେ ଜଣାପଡିଛି। ହଜାର ହଜାର ପଥ ଅତିକ୍ରମ କରି ସୁଦୂର ମାଲେସିଆ, ଶ୍ରୀଲଙ୍କା, ପାକିସ୍ତାନ, ଜାପାନ ଆଫଗାନିସ୍ତାନ ଆଦି ଦେଶରୁ ବିଦେଶୀ ପକ୍ଷୀମାନେ ଭିତରକନିକାରେ ଭିଡ଼ ଜମାଇଛନ୍ତି। ସେମାନଙ୍କ କାକଳିରେ ଭିତରକନିକା କୋଳାହଳମୟ ହୋଇ ଉଠିଛି। ଗତ ୧୨ ବର୍ଷର ଭିତରକନିକାରେ ଭିଡ଼ ଜମାଇଥିବା ବିଦେଶୀ ପକ୍ଷୀଙ୍କ ଗଣନା ରିପୋର୍ଟ ଅନୁସାରେ ଚଳିତବର୍ଷ ସର୍ବାଧିକ ବିଦେଶୀ ପକ୍ଷୀ ଭିଡ଼ ଜମାଇଛନ୍ତି।

ସମ୍ବନ୍ଧିତ ଖବର