ବଗଗହନକୁ ଫେରିବେ ପକ୍ଷୀ!

ଭିତରକନିକା ଅଞ୍ଚଳରେ ୨୮ବର୍ଷ ଧରି ରହୁଥିଲେ, ୬ବର୍ଷ ଧରି ଅନ୍ୟ ସ୍ଥାନରେ ବସା ବାନ୍ଧୁଥିଲେ

ରାଜନଗର : ଦେଶୀୟ ପକ୍ଷୀଙ୍କ ତୀର୍ଥସ୍ଥଳୀ ବଗଗହନରେ ପୁଣି ଶୁଭିଲାଣି କିଚିରି ମିଚିରି ଶବ୍ଦ। ପୁଣି ବଗଗହନ ଅଞ୍ଚଳ ଉପରେ ହଜାର ହଜାର ପକ୍ଷୀଙ୍କ କାକଳି ଶୁଣିବାକୁ ମିଳିଲାଣି। ଦୀର୍ଘ ୬ ବର୍ଷ ହେଲା ବଗଗହନକୁ ମୁହଁ ମୋଡ଼ି ଅନ୍ୟ ସ୍ଥାନରେ ବସା ବାନ୍ଧୁଥିବା ଦେଶୀୟ ପକ୍ଷୀ ଏ ବର୍ଷ ପୁଣି ବଗଗହନକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ବଗଗହନ ଅଞ୍ଚଳକୁ ଖୋଳାଯିବା ସହ ଜୁଆରପାଣି ଆସିବାର ବ୍ୟବସ୍ଥା କରାଯିବା ପରେ ଆଶା ସଂଚାର ହୋଇଛି। ହଜାର ହଜାର ସଂଖ୍ୟାରେ ପକ୍ଷୀ ଉଡ଼ିବା ଏହାର ପ୍ରାରମ୍ଭିକ ସୂଚନା ବୋଲି କୁହାଯାଉଛି।

Navodaya Times

୧୯୭୨ମସିହାରେ ଭିତରକନିକା ଅଞ୍ଚଳ ଅନ୍ତର୍ଗତ କାଳିଭଂଜଡିଆରେ ଦେଶୀୟ ପକ୍ଷୀ ଭିଡ଼ ଜମାଉଥିଲେ। ୧୯୮୧ରେ କାଳିଭଂଜଡିଆ ପରିବର୍ତ୍ତେ ଶୁଆଯୋରରେ ବସା ବାନ୍ଧିଥିଲେ। ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ ଦେଶୀୟ ପକ୍ଷୀ। ୧୯୮୮ରୁ ୨୦୧୬ ମସିହା ଯାଏ ଦୀର୍ଘ ୨୮ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ୩ ହେକ୍ଟର ପରିମିତ ବଗଗହନ ପକ୍ଷୀଙ୍କ ତୀର୍ଥସ୍ଥଳୀ ପାଲଟି ଯାଇଥିଲା। ଦେଶୀୟ ପକ୍ଷୀଙ୍କ କାକଳି ସହିତ ବସା ବାନ୍ଧିବା, କାଠିକୁଟା ଧରି ଉଡିବାର ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ସେଠାରେ ୧୯୯୫ରେ ୱାଚ ଟାୱାର ନିର୍ମାଣ ହୋଇଛି। ପର୍ଯ୍ୟଟକମାନେ ୱାଚ ଟାୱାର ଉପରେ ଚଢି ଏକା ସମୟରେ ଗୋଟିଏ ସ୍ଥାନରେ ଲକ୍ଷାଧିକ ପକ୍ଷୀ ଦେଖିବାର ମଜା ନେଇଥାନ୍ତି। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରେ କେବଳ ଗେଣ୍ତାଳିଆ ବସା ବାନ୍ଧିଥିଲେ। ୨୦୧୬ ପରଠୁଁ ବଗଗହନରେ ଆଉ ଦେଶୀୟ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଶୁଭୁନଥିଲା।

ଦୀର୍ଘ ୨୮ ବର୍ଷ ଧରି ସ୍ଥାୟୀ ଠିକଣା କରି ନେଇଥିବା ବଗଗହନକୁ ଦେଶୀୟ ପକ୍ଷୀ କାହିଁକି ମୁହଁ ମୋଡ଼ିଲେ ? ଏହାପଛର କାରଣ କ’ଣ? ଯେଉଁ କାରଣ ପାଇଁ ଦେଶୀୟ ପକ୍ଷୀ ବଗଗହନକୁ ମୁହଁ ମୋଡ଼ିଲେ, ସେହି କାରଣ ଭିତରକନିକାକୁ ବିପଦ ମୁହଁକୁ ଠେଲି ଦେବନି ତ? ଏଭଳି ପ୍ରଶ୍ନକୁ ନେଇ ତର୍ଜମା ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ; ପକ୍ଷୀମାନେ ମୁଖ୍ୟତଃ ଜଳପକ୍ଷୀ ହୋଇଥିବାରୁ ଯେଉଁଠି ଗଛ ତଳେ ପାଣି ମାଡୁଥାଏ, ସେହି ଗଛମାନଙ୍କରେ ବସା ବାନ୍ଧିବାକୁ ପସନ୍ଦ କରିଥା’ନ୍ତି। ପୂର୍ବରୁ ପ୍ରତିଦିନ ଜୁଆର ପାଣି ୩ ହେକ୍ଟର ବିଶିଷ୍ଟ ବଗଗହନ ଅଂଚଳକୁ ସମ୍ପୂର୍ଣ୍ଣ ମାଡୁଥିଲା। ଜୁଆର ଛାଡ଼ିବା ପରେ ବି ଜଙ୍ଗଲ ମଧ୍ୟରେ ପାଣି ଜମି ରହୁଥିଲା। ଗତ ୮ ବର୍ଷହେଲା ବଗଗହନ ଅଂଚଳକୁ ପ୍ରତିଦିନ ଜୁଆର ପାଣି ମାଡୁ ନ ଥିଲା। ଉଠିଆ ମୁଣ୍ତରେ ଜୁଆର ପାଣି ମାଡୁଥିଲେ ମଧ୍ୟ ଜଙ୍ଗଲ ମଧ୍ୟରେ ପାଣି ଜମି ରହୁନଥିଲା। ଏହାବାଦ୍‌ ଗଛ ଗୁଡିକ ଥୁଣ୍ଟା ହୋଇଯିବାରୁ ବସାର ସୁରକ୍ଷା କମିବା, ବର୍ଷ ବର୍ଷ ଧରି ବସାର କାଠି କୁଟାଗୁଡିକ ତଳେ ପଡ଼ି ଜମାଟ ବାନ୍ଧି ଖାଲ ସବୁ ଉଚ୍ଚା ହୋଇଯିବା, ଦେଶୀୟ ପକ୍ଷୀ ଠିକଣା ବଦଳାଇବାର ଅନ୍ୟ ଏକ କାରଣ ବୋଲି ବିଶେଷଜ୍ଞଙ୍କ ମତ।

The New Indian Express

ତେବେ, ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି ଏହି ଅଂଚଳ ବୁଲି ଦେଖିବା ପରେ ବଗଗହନର ପୁନରୁତ୍ଥାନ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଶୁଆଯୋରରୁ ବଗଗହନ ଯାଏ ଦେଢ କିଲୋମିଟର ଧରି ନୂଆ କ୍ରିକ ଖୋଳାଯାଇଛି। ୩ହେକ୍ଟର ପରିମିତ ବଗଗହନ ହୋଇଥିବା ବେଳେ ୫ ହେକ୍ଟର ପରିମିତ ଜଙ୍ଗଲ ଚାରିପାଖରେ ଚ୍ୟାନେଜ (ନାଳ) ଖୋଳାଯାଇଛି। ୫ ହେକ୍ଟର ବାଦ୍‌ ମଧ୍ୟ ଚ୍ୟାନେଜ ଖୋଳାଯାଇଛି। ଏହି କ୍ରିକ୍‌ ଓ ଚ୍ୟାନେଜ ଖୋଳାଯିବା ପରେ ବଗଗହନ ଅଂଚଳକୁ ଜୁଆର ପାଣି ଯା’ଆସ କରୁଛି। ଜୁଆର ପାଣି ବଗଗହନ ଅଂଚଳକୁ ପୁଣି ପୂର୍ବ ପରି ଯାଆସ କରିବା ଯୋଗୁଁ ସେଠାରେ ମରି ଯାଉଥିବା ଲୁଣା ଜଙ୍ଗଲ ପୁଣି ‌ଚେଇଁଉଠିଛି। ଯେଉଁଥିପାଇଁ ଏ ବର୍ଷ ବର୍ଷାଋତୁ ଆସୁ ଆସୁ ବଗଗହନ ଅଂଚଳରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀ ଉଡୁଥିବା ଦେଖିବାକୁ ମିଳୁଛି। ଦେଶୀୟ ପକ୍ଷୀ ବଗଗହନ ଉପରେ ଉଡୁଥିବାରୁ ପୁଣି ବଗଗହନକୁ ଦେଶୀୟ ପକ୍ଷୀ ଫେରିବା ନେଇ ଆଶା ସଂଚାର ହୋଇଛି।

ସମ୍ବନ୍ଧିତ ଖବର