ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଲେ ବୀରେନ୍ଦ୍ର ଲାକ୍ରା

ରାଉରକେଲା : ଭାରତୀୟ ପୁରୁଷହକି ଦଳର ଅନ୍ୟତମ ନିର୍ଭରଯୋଗ୍ୟ ଡିଫେଣ୍ଡର୍‌, ଟୋକିଓ ଅଲିମ୍ପିକ୍ସ ଦଳର ଉପଅଧିନାୟକ ତଥା ସୁନ୍ଦରଗଡ଼ ମାଟିର ଗର୍ବ ଓ ଗୌରବ ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅବସର ଘୋଷଣା କରିଛନ୍ତି ସେ। ବୀରେନ୍ଦ୍ର ଅବସର ଘୋଷଣା କରିବା ପରେ ଭାରତୀୟ ହକିରେ ଏକ ସୁବର୍ଣ୍ଣ ଯୁଗର ଅବସାନ ଘଟିଛି। କାରଣ ବୀରେନ୍ଦ୍ର ଥିଲେ ଭାରତୀୟ ଦଳର ଅଭେଦ୍ୟ ରକ୍ଷାପ୍ରାଚୀର, ଦକ୍ଷ ଡିଫେଣ୍ଡର ଓ ରକ୍ଷଣାତ୍ମକ ହକିର ଶ୍ରେଷ୍ଠ ଉଦାହରଣ। ରାଉରକେଲାର ସେଲ୍ ହକି ଏକାଡେମିରୁ ଖେଳାଳି ଜୀବନ ଆରମ୍ଭ କରି ଟୋକିଓ ଅଲିମ୍ପିକ୍ସର ପୋଡିୟମ୍‌ରେ ଛିଡ଼ା ହେବାର ଅନନ୍ୟ ଓ ଗୌରବମୟ ସଫଳତା ଭିତରେ ବୀରେନ୍ଦ୍ର ଛୁଇଁଛନ୍ତି ଅନେକ ସ୍ମରଣୀୟ ମାଇଲଖୁଣ୍ଟ। ଏସୀୟ କ୍ରୀଡ଼ା, ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଭଳି ପ୍ରତିଯୋଗିତାର ବିଜେତା ମୁକୁଟ ପିନ୍ଧିଛନ୍ତି ସେ। ଦୁଇଟି ଲେଖାଏଁ ବିଶ୍ବକପ୍ ଓ ଅଲିମ୍ପିକ୍ସ ଖେଳିବାର ଗୌରବ ଲାଭ କରିଛନ୍ତି ବୀରୁ।

ନିଜ ୧୧ ବର୍ଷର ଅନ୍ତର୍ଜାତୀୟ ହକି ଜୀବନରେ ଅନେକ ସ୍ମରଣୀୟ ସଫଳତା ସାଉଣ୍ଟିଥିବା ବୀରେନ୍ଦ୍ରଙ୍କ ଏଭଳି ଆକସ୍ମିକ ଅବସର ସମସ୍ତଙ୍କୁ ଚକିତ କରିଛି। ଭାରତୀୟ ଦଳ ପକ୍ଷରୁ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିଥିବା ବୀରେନ୍ଦ୍ରଙ୍କ ଅଚାନକ ଅବସର ନିଷ୍ପତ୍ତିରେ ବହୁ କ୍ରୀଡ଼ାପ୍ରେମୀ, କ୍ରୀଡ଼ା ବିଶେଷଜ୍ଞ ବିସ୍ମୟ ପ୍ରକଟ କରିଛନ୍ତି। ଆଘାତଜନିତ ସମସ୍ୟାରୁ ବାରମ୍ବାର ସଫଳ ପ୍ରତ୍ୟାବର୍ତ୍ତନ କରି ଅନ୍ତର୍ଜାତୀୟ ସ୍ତରରେ ଚମକିବା ହେଉ ଅବା ସଦ୍ୟ ସମାପ୍ତ ଟୋକିଓ ଅଲିମ୍ପିକ୍‌ରେ ଉନ୍ନତମାନର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିବା, ବୀରେନ୍ଦ୍ର ସବୁବେଳେ ଜଣେ ଲଢ଼ୁଆ ଖେଳାଳିର ପରିଚୟ ଦେଇ ଆସୁଥିଲେ। ଏବେ ବି ବହୁ ହକିପ୍ରେମୀ ବୀରେନ୍ଦ୍ରଙ୍କ ଅବସରକୁ ଗ୍ରହଣ କରିପାରୁନାହାନ୍ତି, କିନ୍ତୁ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୀରେନ୍ଦ୍ରଙ୍କ ସହ ଭାରତୀୟ ଦଳର ଦକ୍ଷ ଡ୍ରାଗ୍ ଫ୍ଲିକର ରୂପୀନ୍ଦର ପାଲ ସିଂହ ମଧ୍ୟ ଆଜି ଅବସର ଘୋଷଣା କରିଛନ୍ତି।

ଅଲିମ୍ପିକ୍ସ କାଂସ୍ୟ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ
ଗତ ୧୧ ବର୍ଷ ଭିତରେ କ୍ରୀଡ଼ା ଜୀବନରେ ଅନେକ ଉଦ୍‌ଥାନ ଓ ପତନ ଦେଖିଛି, ଏସବୁ ଭିତରେ ଅଲିମ୍ପିକ୍‌ କାଂସ୍ୟ ପଦକ ଜିତିବା ଜୀବନର ଶ୍ରେଷ୍ଠତମ ମୁହୂର୍ତ। ହକି ମୋତ ବହୁତ କିଛି ଦେଇଛି, ଏଣୁ ଏହି କ୍ରୀଡ଼ାକୁ ବିଭିନ୍ନ ମାଧ୍ୟମରେ ଅବଦାନ ଦେବାକୁ ପ୍ରୟାସ ଜାରି ରଖିବି। କ୍ରୀଡ଼ା ଜୀବନରେ ଅନେକ ସୁଃଖଦ ମୂହୁର୍ତ୍ତ ଦେଇଥିବା ତଥା ବହୁତ କିଛି ଶିକ୍ଷା ଦେଇଥିବା ପ୍ରଶିକ୍ଷକ, ସାଥୀ ଖେଳାଳୀଙ୍କ ଅବଦାନ ଅତୁଳନୀୟ। ଏହାସହ କଠିନ ସମୟରେ ସବୁବେଳେ ମୋତେ ନିସ୍ବାର୍ଥପର ସମର୍ଥନ ଦେଇଥିବା ପରିବାର, ବନ୍ଧୁବାନ୍ଧବ ଓ ସମର୍ଥକଙ୍କୁ ହୃଦୟ ଭିତରୁ ଧନ୍ୟବାଦ। ଅବସର ପରେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ପଥରେ ମଧ୍ୟ ମୋତେ ଆପଣମାନେ ପୂର୍ବଭଳି ଆକୁଣ୍ଠ ସମର୍ଥନ ଜଣାଇବା ସହ ହୃଦୟରେ ରଖିବେବୋଲି ଆଶାବାଦୀ। ଆପଣମାନେ ବି ସର୍ବଦା ମୋ ହୃଦୟରେ ରହିବେବୋଲି ବୀରେନ୍ଦ୍ର ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର