ବିରିଡ଼ି: ଶୁକ୍ରବାର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି। ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ପାତ୍ରଙ୍କ ସମର୍ଥକଙ୍କ ଭିତରେ ମାରପିଟ ହେବାରୁ ୨ ଜଣ ଆହତ ହୋଇଛନ୍ତି। ଆଲୋଚନା ବେଳେ ବିଧାୟକ ଶ୍ରୀ ଭୋଇ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ବାହାରକୁ ଚାଲିଯିବାକୁ କହିବାରୁ ଉଭୟଙ୍କ ସମର୍ଥକଙ୍କ ଭିତରେ ବାଡ଼ିଆପିଟା ହୋଇଥିଲା। ସେଠାରେ ମୁତୟନ ପୁଲିସ ଉଭୟ ଗୋଷ୍ଠୀଙ୍କୁ ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ଘଉଡ଼ାଇ ଦେଇଥିଲେ ହେଁ ଏହି ଘଟଣା ପରେ ବ୍ଲକ୍ ବିଜେଡି ଦୁଇଫାଳ ହୋଇଯାଇଛି।
ବିଧାୟକ ଡ. ଭୋଇ ଆଜି ସକାଳ ୧୦ଟା ବେଳେ ଶୋଭାଯାତ୍ରାରେ ଦଳୀୟ କର୍ମୀଙ୍କ ସହ ବ୍ଲକ୍ କାର୍ଯ୍ୟାଳୟକୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିବାକୁ ଯିବାର ଥିଲା।
ଏଥିପାଇଁ ବିଭିନ୍ନ ପଞ୍ଚାୟତରୁ କର୍ମୀ ଓ ଜନପ୍ରତିନିଧିଙ୍କୁ ବିଧାୟକ ଦଳୀୟ ଗ୍ରୁପ୍ରେ ମେସେଜ୍ ପଠାଇଥିଲେ। କିଛି ଜନପ୍ରତିନିଧି ଓ କର୍ମୀ ବିରିଡ଼ି ବଜାରରେ ବିଧାୟକଙ୍କୁ ଅପେକ୍ଷା କରିଥିଲେ। ଏହା ଭିତରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ବ୍ଲକ୍ ପରିସରସ୍ଥିତ ନିଜ ପ୍ରକୋଷ୍ଠରେ ବସି ରହିଥିଲେ। କିଛି ସମୟ ପରେ ବିଧାୟକ ବଜାର ଛକରେ ଅପେକ୍ଷା କରିଥିବା କର୍ମୀ ଓ ଜନପ୍ରତିନିଧିଙ୍କ ସହ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଆୟୁଷୀ ପତିଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଅଧ୍ୟକ୍ଷାଙ୍କୁ ଟିକେ ବାହାରକୁ ଯିବାକୁ କହିବାରୁ ଅଧ୍ୟକ୍ଷା ନିଜ ପ୍ରକୋଷ୍ଠକୁ ଚାଲିଯାଇଥିଲେ। ଯାହାକୁ ନେଇ ତାଙ୍କ ସମର୍ଥକ ଉତ୍କ୍ଷିପ୍ତ ହୋଇଥିଲେ। ବିଧାୟକ ଯିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଇଟ୍ ଦେବାକୁ ବାହାରିବାରୁ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ମମତା ପାତ୍ର ଜିନ୍ଦାବାଦ, ବ୍ଲକ୍ ଅଧ୍ୟକ୍ଷା ଜିନ୍ଦାବାଦ, ରମାକାନ୍ତ ଭୋଇ ଗୋ-ବ୍ୟାକ୍ ସ୍ଲୋଗାନ୍ ଦେଇଥିଲେ। ଅପର ଗୋଷ୍ଠୀ ରମାକାନ୍ତ ଭୋଇ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ହାତାହାତିରେ ୨ଜଣ ଯୁବକ ଆହତ ହୋଇଥିଲେ। ପୁଲିସ ସ୍ଥିତି ନିୟନ୍ତ୍ରଣ କରିବା ପରେ ବିଧାୟକ ଓ ତାଙ୍କ ସମର୍ଥକ ସେଠାରୁ ଚାଲିଯାଇଥିଲେ। ପୁଲିସ୍ ଜଣଙ୍କୁ ନେଇ ପରେ ଛାଡ଼ି ଦେଇଥିଲା। ଏ ସଂକ୍ରାନ୍ତରେ ପୁଲିସରେ କିଛି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି।
ଏ ନେଇ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି, ବିଧାୟକ ବ୍ୟକ୍ତିଗତ ଆଲୋଚନା କହି ବିଡିଓଙ୍କ ପାଖରୁ ବିଦା କରି ଆମକୁ ଅଣଦେଖା କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ସେପଟେ ବିଧାୟକ କହିଛନ୍ତି, ବିଡିଓଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମୋର ବ୍ୟକ୍ତିଗତ ଆଲୋଚନା ଥିଲା। ଆଲୋଚନା ସାରି ବାହାରକୁ ଆସିବା ବେଳେ କିଛି କର୍ମୀ ବିଧାୟକ ଜିନ୍ଦାବାଦ ଓ ଆଉ କିଛି ବ୍ଲକ୍ ଅଧ୍ୟକ୍ଷା ଜିନ୍ଦାବାଦ କହିବାରୁ ଉତ୍ତେଜନା ପ୍ରକାଶ ପାଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।