ଓକିଲଙ୍କ ଆଇନଗତ ନୋଟିସ୍‌କୁ ନେଇ ଆମେ ବିବ୍ରତ ନୋହୁଁ, ଆମେ ଭୁଲ୍ ମାଗିବୁ ନାହିଁ: ହେତୁବାଦୀ ଡ.ପ୍ରତାପ ରଥ

ବାଲେଶ୍ବର: ସୂର୍ଯ୍ୟୋପରାଗରେ ହେତୁବାଦୀ ସମାଜର କର୍ମକର୍ତ୍ତା ବିରିୟାନି ଖାଇବା ଏବଂ ଅନ୍ୟମାନଙ୍କୁ ଖାଇବାକୁ ଦେବା ନେଇ ରାଜ୍ୟରେ ଏକ ନୂଆ ବିବାଦ ଛିଡ଼ା ହୋଇଛି। ଏମିତିକି ଏହାକୁ କେନ୍ଦ୍ର କରି ହେତୁବାଦୀ ଓ ଧର୍ମୀୟ ଭାବନା ସହ ଜଡ଼ିତ ବ୍ୟକ୍ତିବିଶେଷ ମୁହାଁମୁହିଁ ପରିସ୍ଥିତିକୁ ଚାଲିଆସିଛନ୍ତି। ବିଜ୍ଞାନ ସମ୍ମତ ଆଧାର ଉପରେ ଯୁକ୍ତି ରଖୁଥିବା ହେତୁବାଦୀଙ୍କ ମତରେ ଆଧ୍ୟାତ୍ମିକତା ନାଁରେ ଲୋକମାନଙ୍କୁ ଶାସ୍ତ୍ର ଓ ପୁରାଣର ଭୁଲ୍‌ ପାଠ ପଢ଼ାଯାଉଛି। ଅନ୍ୟପକ୍ଷରେ ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ହେତୁବାଦୀଙ୍କଠାରେ ଅଜ୍ଞାନତା ରହିଛି ବୋଲି କହିଛନ୍ତି। ଏପ୍ରକାର ବାଦବିବାଦ ମଧ୍ୟରେ ହେତୁବାଦୀଙ୍କ ନାମରେ ଥାନା‌ରେ ଗୋଟିଏ ପରେ ଗୋଟିଏ ଏତଲା ରୁଜୁ ହୋଇ ଚାଲିଥିବାବେଳେ ଓକିଲଙ୍କ ଜରିଆରେ ଆଇନଗତ ନୋଟିସ୍‌ ମଧ୍ୟ ଜାରି କରାଗଲାଣି। ଅନ୍ୟପଟେ ମାମଲା କୋର୍ଟକୁ ଗଲେ ତାକୁ ସାମ୍‌ନା‌ କରିବାକୁ ପ୍ରସ୍ତୁତ ବୋଲି କହିଛି ହେତୁବାଦୀ ସମାଜ। ବିଶିଷ୍ଟ ମନସ୍ତତ୍ବବିତ୍‌ ଡ.ପ୍ରତାପ କୁମାର ରଥ ଶୁକ୍ରବାର ବାଲେଶ୍ବର ଗସ୍ତରେ ଆସିଥିବା ବେଳେ ସମଗ୍ର ଘଟଣା ଉପରେ ତାଙ୍କ ସହ ଆଲୋଚନା କରିଥିଲେ ‘ସମ୍ବାଦ’ର ସହ ସଂପାଦକ ରୁଦ୍ରରଞ୍ଜନ ଶେଜପଡ଼ା।

ସମ୍ବାଦ: ଆପଣ ସୂର୍ଯ୍ୟୋପରାଗରେ ବିରିୟାନି ଖାଇଲେ କାହିଁକି?
ସବୁଦିନ ପରି ସେଦିନ ବି ଆମେ ଖାଇଲୁ। ସୂର୍ଯ୍ୟୋପରାଗ ଏକ ମହାଜାଗତିକ ପ୍ରକ୍ରିୟା। ଖାଦ୍ୟ ସହିତ ଏହାର କିଛି ସଂପର୍କ ନାହିଁ। ଲୋକମାନଙ୍କ ମୁଣ୍ଡରେ କାଳକାଳରୁ ଭୁଲ୍‌ କଥା ପୂରାଇ ଦିଆଯାଇଛି। ତେଣୁ ସେମାନେ ଭୋକରେ ରହୁଛନ୍ତି। ଆମେ ମାତ୍ର ୨୦ରୁ ୨୫ ଜଣ ଖାଇଥିଲୁ ଏବଂ ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବାକୁ ଚେଷ୍ଟା କରିଥିଲୁ। ଏଥିରେ ଅସୁବିଧା କେଉଁଠି ରହିଲା? ହିଁ ଏଇୟା ହେଲା ଯେ, ଆମ କଥାଟା ଗଣମାଧ୍ୟମରେ ଅଧିକ ପ୍ରଚାର ହୋଇଗଲା। ଫଳରେ ଶାସ୍ତ୍ରବିତ୍‌, ପଣ୍ଡିତ ଓ ଜ୍ୟୋତିଷମାନେ ଏ କଥାକୁ ସହ୍ୟ କରିପାରିଲେ ନାହିଁ।
ସମ୍ବାଦ: ଆପଣଙ୍କୁ ଧର୍ମ ବିରୋଧୀ ବୋଲି କୁହାଯାଉଛି।
ଉତ୍ତର: ମୁଁ କ’ଣ ହିନ୍ଦୁ ନୁହେଁ? ଏଠି ଧର୍ମ କି ସାମ୍ପ୍ରଦାୟିକତା କଥା ଉଠୁନି। ଏହା ଭୁଲ୍‌ଠିକ୍‌ର ପ୍ରସଙ୍ଗ। ଆମ ହିନ୍ଦୁ ସମାଜରେ ଯଦି କିଛି ଭୁଲ୍‌ ପ୍ରଥା ବା ପରମ୍ପରା ରହିଛି, ସେଗୁଡ଼ିକର ପରିହାର ପାଇଁ ଲୋକଙ୍କୁ ସଚେତନ କରିବା ନାଗରିକ ଭାବେ ଆମର ଦାୟିତ୍ବ। ମୋ ଘରେ ଯଦି କିଛି ଭୁଲ୍‌ ବା ତ୍ରୁଟି ହେଉଛି, ତାକୁ ସୁଧାରିବା ଜଣେ ସଦସ୍ୟ ଭାବେ ମୋର କର୍ତ୍ତବ୍ୟ।
ସମ୍ବାଦ: ହେତୁବାଦୀଙ୍କୁ ଶଙ୍କରାଚାର୍ଯ୍ୟ ଅଜ୍ଞ ବୋଲି କହିଲେ। ଆପଣଙ୍କର ପ୍ରତିକ୍ରିୟା କ’ଣ?
ଉତ୍ତର: ଶଙ୍କରାଚାର୍ଯ୍ୟ ହୁଅନ୍ତୁ କି ବାବା ବଳିଆ ହୁଅନ୍ତୁ; ସେମାନେ ଆଧ୍ୟାତ୍ମିକତାର କଥା କହୁଛନ୍ତି। କୁହନ୍ତୁ। ତାଙ୍କ କଥା ଆମେ କାହିଁକି ଶୁଣିବୁ? ଆମେ କିଛି ଭୁଲ୍‌ କଥା ବାବଦରେ କହୁଛୁ। ଯିଏ ବୁଝିଲେ ବୁଝିବ, ନହେଲେ ନାହିଁ।
ସମ୍ବାଦ: ଆପଣ କୁପ୍ରଥା, ଅନ୍ଧବିଶ୍ବାସ ବିରୋଧ‌ରେ ଲଢ଼ୁଛନ୍ତି। ଡାଆଣି, ଗୁଣିଗାରେଡ଼ି ସନ୍ଦେହରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ମୁଣ୍ଡ ଗଡ଼ୁଛି। ତାକୁ ରୋକିବା ଛାଡ଼ି ବିରିୟାନି ବିବାଦ କାହିଁକି?
ଉତ୍ତର: ଆମେ ସମ୍ବିଧାନସମ୍ମତ କଥା କହୁଛୁ। ବିକୃତ ପରମ୍ପରା ନେଇ ଜନଜାଗରଣ ସୃଷ୍ଟି କରିବା ସହ ଅନ୍ଧବିଶ୍ବାସ ବିରୋଧରେ ମଧ୍ୟ ଲଢ଼ୁଛୁ। ବିଭିନ୍ନ ସ୍ଥାନରେ ସଭାସମିତି କରୁଛୁ। ଲୋକଙ୍କୁ ବୁଝାଉଛୁ। ଏଠି ତ ସହରରେ ଅଜ୍ଞ ଲୋକ ଭର୍ତ୍ତି ହୋଇଛନ୍ତି। ଗାଁ ଗହଳି କଥା କ’ଣ କହିବା। ରାଜଧାନୀ ଭୁବନେଶ୍ବର ସତ୍ୟନଗର ମଶାଣି ପାଖ‌ରେ ଗୋଟେ ବୋର୍ଡ ଲାଗିଛି। ସେଠି ଲେଖା ହୋଇଛି, ଜଣ୍ଡିସ୍‌ର ଝଡ଼ାଫୁଙ୍କା ଚିକିତ୍ସା କରାଯାଏ। ସରକାରୀ ବାବୁମାନେ ଦେଖୁଛନ୍ତି, ପଣ୍ଡିତମାନେ ଦେଖୁଛନ୍ତି। ହେଲେ କାହାର କିଛି ପ୍ରତିକ୍ରିୟା ନାହିଁ।
ସମ୍ବାଦ: ସବୁ ବିଦ୍ୟା ପରି ଜ୍ୟୋତିଷ ବିଦ୍ୟା ବି ଅଛି। ଆପଣ ତାକୁ ପାଠ ଭାବେ ମାନନ୍ତି ନା ନାହିଁ?
ଉତ୍ତର: ସେ କି ପାଠ? ଆମେ ଛାତ୍ରଛାତ୍ରୀଙ୍କୁ କ’ଣ ପଢ଼ିବ ବୋଲି ପଚାରିଲେ କିଏ କେବେ ଜ୍ୟୋତିଷ ପାଠ ପଢ଼ିବି ବୋଲି କହିଛି କି? କେହି କେବେ ବଡ଼ ହେଲେ ବାବା କି ଜ୍ୟୋତିଷ ହେବ ବୋଲି କହିଛି କି? ବାସ୍ତୁଶାସ୍ତ୍ର ନାମରେ ବି ସେମିତି ଭାଣ୍ଡାମି ଚାଲିଛି।
ସମ୍ବାଦ: ଆପଣଙ୍କ ପରି ହେତୁବାଦୀମାନେ କ’ଣ ଆଭିମୁଖ୍ୟ ରଖନ୍ତି?
ଉତ୍ତର: ଆମେ ସମ୍ବିଧାନସମ୍ମତ ହେତୁବାଦୀ ଚିନ୍ତାଧାରାର ଲୋକ। ଏହାକୁ ଆଗକୁ ନେବୁ।
ସମ୍ବାଦ: ଧର୍ମୀୟ ଭାବନା ରଖୁଥିବା ଲୋକଙ୍କୁ ଆପଣ ଆଘାତ ଦେଇଛନ୍ତି। ସେଥିପାଇଁ ଆପଣଙ୍କ ନାମରେ ଆଇନଗତ ନୋଟିସ୍‌ ମଧ୍ୟ ଜାରି ହେଲାଣି।
ଉତ୍ତର: ଓକିଲଙ୍କ ଆଇନଗତ ନୋଟିସ୍‌କୁ ନେଇ ଆମେ ବିବ୍ରତ ନୋହୁଁ। ଆମେ ଭୁଲ୍ ମାଗିବୁ ନାହିଁ। କୋର୍ଟ ଯଦି ଆମ ଯୁକ୍ତିକୁ ଅମୂଳକ ବୋଲି କହନ୍ତି, ତେବେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛୁ। ଆବଶ୍ୟକ ପଡ଼ିଲେ ଉପର କୋର୍ଟକୁ ଯିବୁ ଏବଂ ଆମର ସାମ୍ବିଧାନିକ ଦାୟିତ୍ବ କ’ଣ, ସେ ସଂପର୍କରେ ପକ୍ଷ ରଖିବୁ।
ସମ୍ବାଦ: ସମାଜ ପାଇଁ ଆପଣଙ୍କର ସିଧା ବାର୍ତ୍ତା କ’ଣ ରହିବ?
ଉତ୍ତର: ଯୁଗ କୋଉଠି ଆସି ପହଞ୍ଚିଲାଣି। ଚନ୍ଦ୍ରକୁ ପାଦ ବଢ଼ାଇଲୁଣି। ହେଲେ ଆମେ ଏବେ ବି ଭୂତପ୍ରେତଙ୍କ ପାଖରେ ଅଟକିଛୁ। ଜ୍ୟୋତିଷଙ୍କ କଥା ମାନୁଛୁ। ଏମିତି ମାନସିକତା ଆଉ ନରହୁ।

ସମ୍ବନ୍ଧିତ ଖବର