ବିରଜା ରାଉତରାୟ ପାଇବେ ‘କନ୍‌ହେଇ କଥା’ ପୁରସ୍କାର

ବାଲେଶ୍ବର: କରୋନା ପାଇଁ ଗତ ଦୁଇବର୍ଷ ଧରି ବାଲେଶ୍ବରଠାରେ କନ୍‌ହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ପାଳନ କରାଯାଉଥିବା ସ୍ମୃତି ଉତ୍ସବ ଆୟୋଜନ କରା ଯାଇନାହିଁ। ଚଳିତ ବର୍ଷ ଜୁଲାଇ ୨୪ ତାରିଖ ରବିବାର ସଂଧ୍ୟା ୬ଟାରେ ସ୍ଥାନୀୟ ଆତିଥ୍ୟ ପ୍ରେକ୍ଷାଳୟରେ ଷଷ୍ଠ କନ୍‌ହେଇ ଉତ୍ସବ ପାଳିତ ହେବାକୁ ସ୍ଥିରୀକୃତ ହୋଇଛି।

ଏହା ଓଡ଼ିଶା ସାହିତ୍ୟ ଏକାଡେମିର ମିଳିତ ସହଭାଗିତାରେ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ‘ସଂକେତ’ ପରିସରରେ ଅନୁଷ୍ଠିତ ହୋଇଯାଇଛି। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ସଭାପତି ସୁଲେଖକ ସୁବାସ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ସମ୍ପାଦକ କବି ଉତ୍ପଳ ମହାନ୍ତି, ଗାଳ୍ପିକ ନିବାରଣ ଜେନା, କବି ସରୋଜ ବଳ, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, କବି ରଞ୍ଜନ ବାଗ, ସହ ସମ୍ପାଦକ ଶୁଭେନ୍ଦୁ ଦାସ, ଯାଦବେଶ ମିଶ୍ର, ଅରୁଣାଂଶୁ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। କବି ଓ ଗାଳ୍ପିକ ସରୋଜ ବଳଙ୍କୁ ସଂସଦର ନୂତନ ସଭ୍ୟ ଭାବେ ଗ୍ରହଣ ପୂର୍ବକ ସ୍ବାଗତ କରାଯାଇଥିଲା। ବୈଠକରେ ଚଳିତ ବର୍ଷ କନ୍‌ହେଇଲାଲ ସ୍ମାରକୀ କଥା ପୁରସ୍କାର ପାଇବା ପାଇଁ ଗାଳ୍ପିକ ବିରଜା ରାଉତରାୟଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ୫୦ ବର୍ଷ ବୟସ ସୀମା ଭିତରେ ରାଜ୍ୟର ଜଣେ ପ୍ରତିଭାବାନ ଗାଳ୍ପିକଙ୍କୁ ଏହି ପୁରସ୍କାର ପାଇଁ ବଛାଯାଇଥାଏ।

ଚଳିତ ବର୍ଷରୁ ପୁରସ୍କାର ଅର୍ଥରାଶି ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍ମୃତି ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଶ୍ୟାମାପ୍ରସାଦ ଚୌଧୁରୀ ଓ କଥାକାର ତଥା ଔପନ୍ୟାସିକ ଭୀମ ପୃଷ୍ଟି ଯୋଗ ଦେବେ ବୋଲି ଜଣାପଡ଼ିଛି। ଶେଷରେ ସମ୍ପାଦକ ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର