କୁତ୍ରା : ବିଦେଶରୁ, ସେ ପୁଣି ବିଦେଶର ଜେଲ୍‌ରୁ ଘରକୁ ଫେରିବାର ଖୁସି ଅତି ସ୍ବତନ୍ତ୍ର। କିନ୍ତୁ ସେ ଖୁସିରେ ବି ଥାଏ କିଛି କଳାଦାଗ। କେବେ କେବେ ଗୋଟିଏ ଶୂନ୍ୟତାରୁ ଆଉ ଗୋଟିଏ ଶୂନ୍ୟତାକୁ ଫେରିବା ଭଳି ଘଟଣା ଘଟେ। ଯାହାକୁ ନେଇ ଜଣେ ଖୁସି ହେବ ନା ଦୁଃଖ କରିବ, ଦ୍ବନ୍ଦ ଉପୁଜେ। ବୋଧହୁଏ ପାଖାପାଖି ସେଭଳି ଗୋଟିଏ ସ୍ଥିତିକୁ ସାମ୍‌ନା କରିବାକୁ ଯାଉଛନ୍ତି ପାକିସ୍ତାନୀ ଜେଲ୍‌ରେ ଦୀର୍ଘ ୨୦ ବର୍ଷ ବନ୍ଦୀ ଭାବେ ରହିବାପରେ ଘରକୁ ଫେରୁଥିବା ଏବଂ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବିରଜୁ।

Advertisment

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ୍‌ ଅନ୍ତର୍ଗତ କଟଙ୍ଗ ପଞ୍ଚାୟତର ଜଙ୍ଗରପଡାର ଏହି ଯୁବକ ବିରଜୁ ଓରଫ ମାର୍କସ କୁଲୁ ମାମୁ ଘର ଝାଡ଼ଖଣ୍ଡରେ ରହି ଦଶମ ଯାଏଁ ପାଠପଢି ପରେ ରାଞ୍ଚିରେ କାମ କରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ସେ ମାନସିକ ଭାବେ କିଛିଟା ଅନଗ୍ରସର ଥିଲେ। ଏବେ ଜଣା ପଡୁଛି ଯେ ଏଣେତେଣେ ବୁଲୁବୁଲୁ ଭୁଲବଶତଃ ଅଜାଣତରେ ପାକିସ୍ତାନ ସୀମାରେ ପଶି ଯାଇଥିଲେ ଦୀର୍ଘ ୨୦ ବର୍ଷ ତଳେ। ସେଠାରେ ତାଙ୍କୁ ଗିରଫ କରି ଜେଲ୍‌ରେ ରଖା ଯାଇଥିଲା। ସନ୍ଦେହ କରା ଯାଉଥିଲା ଯେ ସେ ଜଣେ ଭାରତୀୟ ଗୁପ୍ତଚର। ଘରଲୋକ କିନ୍ତୁ ଏସବୁ କିଛି ଜାଣି ନଥିଲେ। ହୁଏତ ଭାରତ ସରକାରଙ୍କ ନିକଟରେ ମଧ୍ୟ କିଛି ସୂଚନା ନଥିଲା ତାଙ୍କ ବିଷୟରେ, ଅନ୍ତତଃ ଯୁବକଙ୍କୁ ପାକିସ୍ତାନରେ ଗିରଫ କରାଯିବା ନେଇ ପରିବାରକୁ ସରକାରଙ୍କ ପକ୍ଷରୁ ସେ ବିଷୟରେ କିଛି ସୂଚନା ଦିଆ ଯାଇ ନଥିଲା। ହୁଏତ ଦୁଇଦେଶର ଜଟିଳ ସଂପର୍କ କାରଣରୁ ପାକିସ୍ତାନୀ କର୍ତ୍ତୃପକ୍ଷ କିଛି ଜଣାଇ ନଥିବେ! ତେବେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମାଆ ବର୍ଷକ ଭିତରେ ଆରପାରିକୁ ଚାଲି ଯାଇଥିଲେ। ବାପା ଗଲେ ଗଲା ବର୍ଷ। ଏକମାତ୍ର ଭଉଣୀ ଏବେ ବାହା ହୋଇ ଶାଶୂଘରେ। ବିରଜୁ ୨୦ ବର୍ଷ ପରେ ଜେଲ୍‌ରୁ ମୁକୁଳି ପଞ୍ଜାବ ଦେଇ କୋଭିଡ୍ କାଳର ଆଇସୋଲେସନ୍ ସମୟ ବିତାଇବାପରେ ଘରକୁ ଫେରୁଛନ୍ତି।

publive-image

ଚାଷ ଜମି ଭାବେ ଯେଉଁ ୨ ଏକର ଜମି ମଧ୍ୟ ତାଙ୍କ ବାପାଙ୍କର ଥିଲା, ତାହା ଆଜି ବି ଅଛି। ବାପା ମରିଗଲା ପରେ କକାପୁଅ ବିପିନ କିଶୋର କୁଲୁ ତାକୁ ଚାଷ କରୁଛନ୍ତି। ଯେଉଁ ଝାଟିମାଟିର ଘରେ ତାଙ୍କର ପିଲାଦିନ ବିତିଥିଲା, ସେ ଘର ଆଜି ଭାଙ୍ଗିରୁଜି ମାଟିରେ ମିଶିଯାଇଛି। ସେ ସ୍ଥାନରେ ଜଙ୍ଗଲ ହୋଇଯାଇଛି। ଏବେ ଆସିଲେ ବିରଜୁ ରହିବେ କେଉଁଠି ? ତାଙ୍କ ଚାଷଜମି ମଧ୍ୟ ସେ ଦେଖିନାହାନ୍ତି କି ଚିହ୍ନିନାହାନ୍ତି। କେବେ ଚାଷ କରିନାହାନ୍ତି କି ଚାଷ କରିବା ଶିଖି ନାହାନ୍ତି। ୨୦ ବର୍ଷ ଭିତରେ ତାଙ୍କ ବାପା ଓ ମାଆ ସମେତ ତାଙ୍କ କକାଙ୍କର ମଧ୍ୟ ମୃତ୍ୟୁ ‌ହୋଇଥିବାବେଳେ କକା ପୁଅ ବିପିନ କିଶୋର କୁଲୁ ଓ ମନୋଜ କୁଲୁ ଅଛନ୍ତି। ମନୋଜ କହୁଛନ୍ତି, ବଡଭାଇ ବିରଜୁ ଆସିଲେ ତାଙ୍କ ପାଖରେ ରହିବେ। ବିରଜୁଙ୍କର ପିଲାଦିନର ସାଙ୍ଗ ତାନିସ କୁଲୁ, ଓସକାର କୁଲୁ, ପ୍ରଦୀପ କୁଲୁ ଓ ସାନ ଭାଇ ବିପିନ କିଶୋର କୁଲୁ ପିଲାଦିନ କଥା ମନେପକେଇ ତାଙ୍କ ସହିତ କେମିତି ଗିଲିଦଣ୍ଡା ,ବାଟି ଓ ଚାନାଟ ଖେଳୁଥିଲେ ଆଜି ଉତ୍ସାହର ସହିତ ବଖାଣନ୍ତି। ସେମାନେ ଏକସ୍ବରରେ କହିଲେ, ‘‘ ବିରଜୁ ଏବେ ଫଟୋରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ଦେଖାଯାଉଥିବାରୁ ତାକୁ ଚିହ୍ନି ହେଉନି। ତେବେ ସେ ଗାଁ କୁ ଆସୁଥିବାରୁ ଆମେ ବହୁତ ଖୁସି। ଗାଁଟି ଯାକର ଲୋକ ବର୍ତ୍ତମାନ ତାର ଫେରିବା ବାଟକୁ ଚାହିଁ ସ୍ବାଗତ ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି।’’