ଘୋର ଆର୍ଥିକ ସଙ୍କଟରେ ବାଲେଶ୍ବର ଜିଲ୍ଲାର ପରିଚୟ ବିର୍ଲା ଟାୟାର୍ସ : ବିର୍ଲା ଟାୟାର୍ସକୁ ଭରସା ବ୍ୟାଙ୍କ

ଋଣ ମିଳିବା ନେଇ କମ୍ପାନିର ଦୃଢ଼ୋକ୍ତି, ଶ୍ରମିକ ସଙ୍ଗଠନର ସନ୍ଦେହ
ତୃତୀୟ ପକ୍ଷ ପୁଞ୍ଜି ନିବେଶ କଲେ ଚାଲିବ କାରଖାନା

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ପରିଚୟ ବିର୍ଲା ଟାୟାର୍ସ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏମିତି ଯେ, ବ୍ୟାଙ୍କ ଋଣ ଦେବାକୁ ରାଜି ହେଲେ ଯାଇ କାରଖାନା ଚାଲିପାରିବ। ଫେବ୍ରୁଆରିରେ କାରଖାନା ଚାଲିବ ବୋଲି ଖବର ମିଳିବା ପରେ ଶ୍ରମିକ-କର୍ମଚାରୀ ମହଲରେ ଖୁସି ଖେଳିଯାଇଥିଲା। କମ୍ପାନି କର୍ତ୍ତୃପକ୍ଷ ମଧ୍ୟ କାରଖାନା ଚାଲୁ କରିବା ନେଇ ଅଣ୍ଟା ଭିଡ଼ିଥିଲେ। ହେଲେ ଅର୍ଥାଭାବ ଏଥିରେ ପ୍ରତିବନ୍ଧକ ସାଜିଛି। ଶ୍ରମିକ ସଂଗଠନର କହିବା କଥା ହେଉଛି, ବ୍ୟାଙ୍କରୁ ଋଣ ମିଳିବା ଆଶା କ୍ଷୀଣ। ତେଣୁ ବିର୍ଲା ଟାୟାର୍ସ ଚାଲିବ କି ନାହିଁ ତାକୁ ନେଇ ସେମାନେ ସନ୍ଦେହରେ ଅଛନ୍ତି। ଅନ୍ୟପକ୍ଷରେ ବ୍ୟାଙ୍କ ଋଣ ଦେବାକୁ ରାଜି ହୋଇଥିବା କାରଖାନା କର୍ତ୍ତୃପକ୍ଷ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏମିତିକି ଏପ୍ରିଲ ସୁଦ୍ଧା ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଇଛି।

ସୂଚନା ମୁତାବକ, କାରଖାନା ଚଳାଇବା ପାଇଁ ବିର୍ଲା ଟାୟାର୍ସ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲା। ନିକଟରେ ବ୍ୟାଙ୍କର ପଦସ୍ଥ ଅଧିକାରୀମାନେ ଆସି କାରଖାନା ବୁଲି ଦେଖିଛନ୍ତି। ତେବେ ବ୍ୟାଙ୍କ ଋଣ ଦେବ କି ନାହିଁ ସେ ସଂପର୍କରେ ଏଯାବତ କିଛି ନିଷ୍ପତ୍ତି ହୋଇନାହିଁ। କାରଖାନା ପକ୍ଷରୁ କିନ୍ତୁ ଋଣ ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଥିବା ଜଣାପଡ଼ିଛି। ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଋଣ ମିଳିଯିବ ବୋଲି କମ୍ପାନି ଆଶା କରିଛି। ୧୯୯୧ ମସିହାରେ ବାଲେଶ୍ବର ଜିଲ୍ଲା ମହକୁମାଠାରୁ ୪ କିମି ଦୂର ଛଣପୁରଠାରେ ସ୍ଥାପିତ ହୋଇଥିଲା ବିର୍ଲା ଟାୟାର୍ସ। ‘ହଜାରେ ଦିନକୁ ହଜାରେ ଶିଳ୍ପ’ ଯୋଜନାରେ ଜିଲ୍ଲାରେ ଯେଉଁ କେତୋଟି ବଡ଼ କାରଖାନା ପ୍ରତିଷ୍ଠା ହୋଇଥିଲା, ସେଥିରେ ବିର୍ଲା ଟାୟାର୍ସ ଥିଲା ଅନ୍ୟତମ। ପ୍ରତିଦିନ କାରଖାନାରୁ ୩୭୦ ଟନ୍‌ରୁ ଅଧିକ ଟାୟାର, ଟ୍ୟୁବ୍‌ ଉତ୍ପାଦନ ହୋଇ ଦେଶର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା। କାରଖାନାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ୫ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଥିଲେ। ସରକାରୀସ୍ତରରେ ସହଯୋଗ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କାରଖାନା ଦିନ କେଇଟାରେ ଲାଭ କରିବା ସହ ହରିଦ୍ବାରର ଲସ୍କର, ଉତ୍ତରାଖଣ୍ଡ ଆଦି ସ୍ଥାନରେ ଏହାର ଶାଖା ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିଲା।

ତେବେ ପରିଚାଳନାଗତ ତ୍ରୁଟି, ଆର୍ଥିକ ଦୁରାବସ୍ଥା ଆଦି କାରଣରୁ ୨୦୧୦ ମସିହାରୁ ବିର୍ଲା ଟାୟାର୍ସର ଅଧୋଗତି ଆରମ୍ଭ ହୋଇଥିଲା। ୨୦୧୧ ମସିହା ପରେ କାରଖାନାର ସ୍ଥିତି ଏକପ୍ରକାର ରୁଗ୍‌ଣ ଅବସ୍ଥାକୁ ଆସି ଯାଇଥିଲା। ଏମିତିକି ଦରମା ବନ୍ଦ ହେବାରୁ କର୍ମଚାରୀମାନେ ରାଜରାସ୍ତାରେ ଆସି ବସିଲେ। ସ୍ଥିତି ଶୋଚନୀୟ ହୋଇ ପଡ଼ିବାରୁ କାରଖାନାରୁ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଅବଶ୍ୟ କାରଖାନା ବନ୍ଦ ପଛରେ ଅନ୍ୟାନ୍ୟ କାରଣ ବି ଥିଲା। କାରଖାନାକୁ ଚଳାଇବା ପାଇଁ କମ୍ପାନିର ଅନ୍ୟତମ ଅଂଶୀଦାର କେସୋରାମ୍‌ ବିଜନେସ୍‌ ଗ୍ରୁପ୍‌କୁ ବିର୍ଲା ଅଲଗା କରିବାକୁ ଚାହିଁଲା। ଯାହା କି ପରେ ସଫଳ ହୋଇଛି। ୨୦୧୯ ଡିସେମ୍ବର ୧୯ରେ ବିର୍ଲା ଟାୟାର୍ସ ଆଇନଗତ ଭାବେ ସ୍ବତନ୍ତ୍ର ହୋଇଯାଇଛି। ଏହାରି ଭିତରେ କାରଖାନାକୁ ଯେଉଁ ସବୁ ଅର୍ଡର ଆସିଛି କେବଳ ସେତିକି ହିଁ ଉତ୍ପାଦନ ହେଉଛି। କିନ୍ତୁ ମାସ ସାରା ଚଳାଇବା ପାଇଁ କମ୍ପାନି ପାଖରେ ‌ସେତିକି ସମ୍ବଳ ନାହିଁ। ତେଣୁ ବ୍ୟାଙ୍କରୁ ଋଣ ପାଇଲେ କାରଖାନା ସଫଳ ରୂପେ ଚାଲିବ। ଏଭଳି ପରିସ୍ଥିତିରେ ତୃତୀୟ ପକ୍ଷ ଯଦି କାରଖାନାରେ ପୁଞ୍ଜିନିବେଶ କରନ୍ତି ତା ହେଲେ କାରଖାନା ପୂର୍ବଭଳି ଚାଲିପାରିବ। କିନ୍ତୁ କମ୍ପାନିର ଇତିହାସ ଦେଖି ତୃତୀୟ ପକ୍ଷ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ହେଉନାହାନ୍ତି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଆଗରୁ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ମଧ୍ୟ ଶ୍ରମିକ ସଂଗଠନଗୁଡ଼ିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର