ନୂଆ ରୂପରେ ବିର୍ଲା ଟାୟାର୍ସ କାରଖାନା, ଫେବ୍ରୁଆରିରେ ଚାଲୁ ହୋଇପାରେ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ପୁରୁଣା ଶିଳ୍ପାନୁଷ୍ଠାନ ମଧ୍ୟରେ ଜଣାଶୁଣା ବିର୍ଲା ଟାୟାର୍ସର ନବକଳେବର ଚାଲିଛି। ବର୍ଷ ବର୍ଷ ଧରି ରୁଗ୍‌ଣ ଅବସ୍ଥାରେ ଥିବା ଏହି କାରଖାନା ନୂଆ ବୈଷୟିକ ଜ୍ଞାନକୌଶଳରେ ପୁଣିଥରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଯଦି ସବୁ ଠିକଠାକ୍‌ ଚାଲେ ତେବେ ହଜାର ହଜାର ଲୋକଙ୍କ ପେଟପାଟଣାର ଉତ୍ସ ସାଜିଥିବା ଏହି କାରଖାନାଟି ଆସନ୍ତା ଫେବ୍ରୁଆରି ମାସରୁ ଚାଲିପାରେ ବୋଲି ଖବର ମିଳିଛି।

୧୯୯୧ ମସିହାରେ ଜିଲ୍ଲା ମହକୁମାଠାରୁ ୪ କିମି ଦୂର ଛଣପୁରଠାରେ ସ୍ଥାପିତ ହୋଇଥିଲା ଏହି କାରଖାନା। ‘ହଜାରେ ଦିନକୁ ହଜାରେ ଶିଳ୍ପ ଯୋଜନା’ରେ ଜିଲ୍ଲାରେ ଯେଉଁ କେତୋଟି ବଡ଼ କାରଖାନା ପ୍ରତିଷ୍ଠା ହୋଇଥିଲା, ସେଥିରେ ବିର୍ଲା ଟାୟାର୍ସ ଥିଲା ଅନ୍ୟତମ। ପ୍ରତିଦିନ କାରଖାନାରୁ ୩୭୦ ଟନ୍‌ରୁ ଅଧିକ ଟାୟାର, ଟ୍ୟୁବ୍‌ ଉତ୍ପାଦନ ହୋଇ ଦେଶର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା। କାରଖାନାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ୫ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଥିଲେ। ଜିଲ୍ଲାର ବେକାରୀ ସମସ୍ୟାକୁ ଏହି କାରଖାନା କେତେକାଂଶରେ ଲାଘବ ବି କରିଥିଲା। ସରକାରଙ୍କ ସହଯୋଗ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି କାରଖାନା ଦିନ କେତେଟାରେ ଲାଭ କରିବା ସହ ହରିଦ୍ବାରର ଲସ୍କର, ଉତ୍ତରାଖଣ୍ଡ ଆଦି ସ୍ଥାନରେ ଏହାର ବିଭିନ୍ନ ପ୍ଲାଣ୍ଟ ସବୁ ପ୍ରତିଷ୍ଠା ହେଲା। ତେବେ ୨୦୧୦ ମସିହାରେ ବିର୍ଲା ଟାୟାର୍ସର ଭାଗ୍ୟାକାଶରେ ଦେଖାଦେଇଥିଲା ବଳାବାଦଲ। ପରିଚାଳନାଗତ ତ୍ରୁଟି, ଆର୍ଥିକ ଦୁରବସ୍ଥା କାରଣରୁ କାରଖାନାଟି ଧୀରେ ଧୀରେ ତଳସ୍ତରକୁ ‌ଯିବା ଆରମ୍ଭ କଲା। ୨୦୧୧ ମସିହା ପରେ କାରଖାନାର ସ୍ଥିତି ଏକପ୍ରକାର ରୁଗ୍‌ଣ ଅବସ୍ଥାକୁ ଆସି ଯାଇଥିଲା। ଏମିତିକି ଦରମା ବନ୍ଦ ହେବାରୁ କର୍ମଚାରୀମାନେ ରାଜରାସ୍ତାରେ ଆସି ବସିଲେ। ସ୍ଥିତି ଶୋଚନୀୟ ହୋଇ ପଡ଼ିବାରୁ କାରଖାନାରୁ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ କରିଦିଆଗଲା।

କାରଖାନାକୁ ଚଳାଇବା ପାଇଁ ଗୋଟିଏ ନୂଆ ପିସିଆର୍‌ (ପ୍ୟାସେଞ୍ଜର କାର୍‌ ରେଡିୟାଲ) ୟୁନିଟ୍‌ ପ୍ଲାଣ୍ଟ ଖୋଲିବା ପାଇଁ ହଜାରେ କୋଟି ଟଙ୍କା ବ୍ୟାଙ୍କରୁ ଋଣ ନିଆଗଲା। ୨୦୧୧ରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା କଥା। କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ଚାଲି ପାରିଲା ନାହିଁ। ବ୍ୟାଙ୍କ ଋଣକୁ ଭରଣା କରିବା ଲାଗି କାରଖାନା କର୍ତ୍ତୃପକ୍ଷ ଯଥାସାଧ୍ୟ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହେଲେ ନାହିଁ। ପରେ ଏହି ଋଣ ବଢ଼ି ବଢ଼ି ୨୦୧୮ ବେଳକୁ ୪ ହଜାର କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ଯାହା କାରଖାନା ପକ୍ଷରେ ସୁଝିବା କଷ୍ଟକର ହେଲା। ଏହି ସମୟରେ ଆଉ ଏକ ସମସ୍ୟା ସୃଷ୍ଟି ହେଲା। କେସୋରାମ୍‌ ଗ୍ରୁପ୍‌ ବିର୍ଲାଠୁ ଅଲଗା ହେବାକୁ ଚାହିଁଲା। ୨୦୧୯ ଡିସେମ୍ବର ୧୯ରେ ବିର୍ଲା ଟାୟାର୍ସ ଆଇନଗତ ଭାବେ ସ୍ବତନ୍ତ୍ର ହୋଇଗଲା। ଫଳରେ କାରଖାନାର ସମସ୍ୟା ଯାହା ଥିଲା ତାହା ଆହୁରି ଜଟିଳ ହେବାରେ ଲାଗିଲା। ତେବେ ଅନେକ ମାସର ନିରବତା ପରେ ଏବେ ବିର୍ଲା ନୂଆ ଆଶାର କିରଣ ଦେଖାଇଛି। ଏହି କାରଖାନାର ଅଂଶୀଦାରମାନେ ଆସନ୍ତା ଫେବ୍ରୁଆରିରୁ କାରଖାନାରୁ ଉତ୍ପାଦନ ପାଇଁ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ୪ ବର୍ଷ ଧରି ଅଚଳ ହୋଇ ପଡ଼ିଥିବା ପିସିଆର୍‌ ପ୍ଲାଣ୍ଟକୁ ନୂଆ ଭାବେ କାର୍ଯ୍ୟକ୍ଷମ କରିବାକୁ ଚାଲିଛି ଉଦ୍ୟମ ଚାଲିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଏହା ଶେଷ ହେବ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ, କର୍ମଚାରୀମାନଙ୍କ ଦରମା ଆକାଉଣ୍ଟ ନୂଆ କରି ଖୋଲାଯିବା ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର