ଶଙ୍ଖ ଭବନରେ ଆଲୋଚନା ପରେ ଫେରିଲେ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ସମର୍ଥକ

ଗ୍ରହଣ ହେଲାନି ଇସ୍ତଫା ପତ୍ର, ପୂର୍ବଭଳି କାମ କରିବାକୁ ପରାମର୍ଶ ଦେଲା ବିଜେଡି

ବୀରମହାରାଜପୁର: ଦଳୀୟ ଟିକେଟ୍‌ ନମିଳିବା ପରେ ଅମଙ୍ଗ ହୋଇ ଇସ୍ତଫା ଦେଇଥିବା ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତଥା ବିଜୁ ଯୁବ ଜନତା ଦଳର ସଭାପତି ନାରାୟଣ ଲୁହା, ବରିଷ୍ଠ ବିଜେଡ଼ି ନେତା ରୁଷି ନାଥ ମହାକୁଡ଼, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ। ଧୀରେନ୍ଦ୍ର ନାରାୟଣ ପଣ୍ଡାଙ୍କ ସମେତ ତାଙ୍କର ଅନ୍ୟ ସମର୍ଥକଙ୍କୁ ବିଜେଡି ବୁଝାଇଛି। ଅମଙ୍ଗ କର୍ମୀମାନେ ଗତ ୮ ତାରିଖରେ ଦେଇଥିବା ଇସ୍ତଫା ପତ୍ରକୁ ବିଜେଡି ଗ୍ରହଣ କରିନାହିଁ। ପ୍ରେସ୍‌ ବିଜ୍ଞପ୍ତି ଜାରି କରି ବିଜେଡି କହିଛି, କର୍ମୀମାନେ ପୂର୍ବ ଭଳି କାମ କରନ୍ତୁ।

ଶ୍ରୀ ଲୁହା ଗୋଷ୍ଠୀର ପ୍ରାୟ ୨୦ ଜଣ ସମର୍ଥକ ଭୁବନେଶ୍ଵରସ୍ଥିତ ଶଙ୍ଖ ଭବନରେ ବୁଧବାର ଭିକେ ପାଣ୍ଡିଆନ୍, ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟାନ୍ୟ ନେତାଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତ ନେତା ବିଜେଡି ଦଳରେ ରହିବେ ଓ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ଚିଠି କରିଛନ୍ତି। ଯଦିଓ ରାଜନୀତିରେ କେହି କାହାର ଶତୃ ଅଥବା ମିତ୍ର ନୁହଁନ୍ତି। ତଥାପି ବିଧାୟକ ପଦ୍ମନାଭ ବେହେରା ଓ ନାରାୟଣ ଲୁହା ଓ ତାଙ୍କ ସମର୍ଥକ କିଭଳି ମିଳିମିଶି କାର୍ଯ୍ୟ କରିବେ ତାହା ସମୟ ହିଁ କହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ଘୋଷଣା ପୂର୍ବରୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ବ୍ଳକ୍ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ମଧ୍ୟରେ ଟିକେଟ୍‌କୁ ନେଇ ବିବାଦ ଲାଗିଥିଲା। ଶ୍ରୀ ବେହେରାଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରିଥିଲା। ଏହା ପରେ ନାରାୟଣ ଲୁହାଙ୍କ ସମର୍ଥକମାନେ ବିଧାୟକ ଶ୍ରୀ ବେହେରାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପ୍ରାୟ ୫୨ ଜଣ କାର୍ଯ୍ୟକର୍ତ୍ତା, ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ ନେତା ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ପରେ ସୋନପୁର ବିଧାୟକ ତଥା ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବୀରମହାରାଜପୁର ଓ ରାମପୁରରେ ନାରାୟଣଙ୍କ ସମର୍ଥକଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ବିବାଦ ସମାଧାନ ହୋଇଥିଲା। ସେହି ସମୟରେ ନିରଞ୍ଜନ କୁଆଡ଼େ ତୁମମାନଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ। ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟରେ ଆଲୋଚନା ପରେ ସମାସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର