ରାଉରକେଲା: ଆଗାମୀ ୨୪ରେ ହେବାକୁ ଯାଉଛି ପୌର ନିର୍ବାଚନ। ଗତ ୨ରୁ ଆରମ୍ଭ ହୋଇଛି ନାମାନଙ୍କ ପତ୍ର ଦାଖଲ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିବାରେ ଗତ ତିନି ଦିନ ଭିତରେ ଦାଖଲ କରି ନାହାନ୍ତି ଜଣେ ହେଲେ ପୌରାଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର। ପଞ୍ଚାୟତ ଫଳାଫଳ ପରେ ଉଭୟ ବିଜେପି ଓ କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି। ଏସବୁ ଭିତରେ ଆଜି ଶାସକ ଦଳ ବିଜେଡି ବୀରମିତ୍ରପୁର ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Advertisment

ବୀରମିତ୍ରପୁରର ସହରର ଜଣାଶୁଣା ନେତା ସନ୍ଦୀପ ମିଶ୍ରଙ୍କୁ ବିଜେଡି ପୌରାଧ୍ୟକ୍ଷ ଟିକେଟ ଦେଇଛି। ବିଜେଡିର ଚର୍ଚ୍ଚାରେ ସବୁଠୁ ଆଗରେ ରହିଥିଲେ ସନ୍ଦୀପ ମିଶ୍ର। ତାଙ୍କ ବାପା ପୂର୍ବରୁ ଦୁଇ ଦୁଇଥର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିଥିଲେ। ସେ ବୀରମିତ୍ରପୁର ପୌରପାଳିକାରେ ବେଶ୍‌ ଜଣାଶୁଣା ବ୍ୟକ୍ତିତ୍ବ।

ରେସ୍‌ରେ ଦ୍ବିତୀୟ ସ୍ଥାନରେ ରହିଥିଲେ ବିଜେଡିର ସହର ସଭାପତି କୁନା ଦେଓ। ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ବିକାଶ ବରୁଆ ଓ ଫଲ୍‌ ଚାନ୍ଦ। ଅନୁରୂପ ଭାବେ ୧୧ ୱାର୍ଡର ପ୍ରାର୍ଥୀ ଓ ପ୍ରାର୍ଥୀନିଙ୍କ ନାମ ମଧ୍ୟ ଦଳର ସୁପ୍ରିମୋ  ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ୱାର୍ଡ ନଂ ୧ରୁ ନିବେଦିତା ବାଗେ, ୱାର୍ଡ ନଂ ୨ରୁ ଉଶା ଜୟପୁରିଆ, ୱାର୍ଡ ନଂ ୩ରୁ କମଲେଶ ସିଂହ,  ୱାର୍ଡ ନଂ ୪ରୁ ମାଧୁରିଆ ନାଗ, ୱାର୍ଡ ନଂ ୫ରୁ ରୋଶନ ଦୀପ ଟିକେଟ ପାଇଛନ୍ତି।

ସେମିତି ୱାର୍ଡ ନଂ  ୬ରୁ ଅନୀଲ ବେହେରା, ୱାର୍ଡ ନଂ ୭ରୁ ମୋନା କେଶରୀ ଭେଙ୍ଗ୍ରା, ୱାର୍ଡ ନଂ ୮ରୁ ବିନ୍‌କୋ ‌କଚୁଆ, ୱାର୍ଡ ନଂ ୯ରୁ ନିର୍ମଳା କୁଜୁର, ୱାର୍ଡ ନଂ ୧୦ରୁ ରୀତା ବାରିକ୍‌ ଓ ୱାର୍ଡ ନଂ ୧୧ରୁ ଜ୍ଞାନୀ ଚନ୍ଦ୍ର ବାଗ୍‌ଙ୍କୁ ଟିକେଟ ମିଳିଛି। ବିଜେଡିର ଉଭୟ ପୌରାଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ କଂଗ୍ରେସ ଓ ବିଜେପି ଏମାନଙ୍କୁ ଟକ୍କର ଦେବାଭଳି ପ୍ରାର୍ଥୀ ଓ ପ୍ରାର୍ଥୀନୀ ଖୋଜୁଛନ୍ତି। ଗତ ୪ ଦିନ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବୀରମିତ୍ରପୁର ବୈଠକ କରିଥିଲେ।

ପୌରାଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଜୁଏଲ ଓରାମ ପଞ୍ଚାୟତର ଫଳାଫଳର ପ୍ରତିଶୋଧ ପୌର ନିର୍ବାଚନରେ ନେବୁ ବୋଲି ଦମ୍ଭୋକ୍ତିର ସହ କହିଥିଲେ। ଏଣୁ ନିର୍ବାଚନରେ ବିଜେଡି ପୌରାଧ୍ୟକ୍ଷ ଓ କାଉନିଲର ପ୍ରାର୍ଥୀ ଓ ପ୍ରାର୍ଥୀନିଙ୍କୁ ସାମ୍ନା କରିବା ଭଳି ପ୍ରାର୍ଥୀ ଖୋଜୁ ନାହାନ୍ତି ତ ? ଯଦି ବିଜେପି ଉପଯୁକ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡା କରି ନ ପାରିଲା, ପଞ୍ଚାୟତ ନିର୍ବାଚନ ପରି ଫଳ ନିଶ୍ଚିତ ଭୋଗିବ, ଏଥିରେ ସନ୍ଦେହ ନାହିଁ। ଶନିବାର ଅବା ରବିବାର ସୁଦ୍ଧା ବିଜେପି ପୌରାଧ୍ୟକ୍ଷ ଓ କାଉନିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବୋଲି କୁହାଯାଉଛି।

ଅନୁରୂପ ଭାବେ କଂଗ୍ରେସ ବିଜେପିର ପନ୍ଥା ଅନୁସରଣ କରିଛି। କଂଗ୍ରେସର ଭଙ୍ଗ ଧରିଥିବା ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି  ଜର୍ଜ ତିର୍କୀ ନିଜ ଗଡ଼ ବଞ୍ଚାଇବାକୁ ଉପଯୁକ୍ତ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏସବୁ କାରଣରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସ ମଧ୍ୟ ‌ପୌରାଧ୍ୟକ୍ଷ ଓ କାଉନସିଲରଙ୍କ ନାମ ଘୋଷଣା କରିବାକୁ ଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଆଗାମୀ ନିର୍ବାଚନରେ କଂଗ୍ରେସର ଜର୍ଜ ଓ ବିଜେପିର ଜୁଏଲ ବିଜେଡି ଉପରେ ପ୍ରତିଶୋଧ ନେଇପାରୁଛନ୍ତି  କି ନାହିଁ, ତାହା ଫଳଫଳ ହିଁ ଜଣାପଡିବ।

ଉଲ୍ଲେଖଯୋଗ୍ୟ,  ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁର ପୌରପାଳିକା ୧୧ଟି ୱାର୍ଡ ରହିଛି। ୨୦୨୧ ଜନଗଣନା ଅନୁଯାୟୀ ବୀରମିତ୍ରପୁର ପୌରପାଳିକାର ମୋଟ ଜନସଂଖ୍ୟା ଥିଲା ୩୩, ୪୪୨। ଏମାନଙ୍କ ମଧ୍ୟରେ ୧୬,୮୫୪ ହେଉଛନ୍ତି ପୁରୁଷ। ମହିଳା ସଂଖ୍ୟା ୧୬, ୫୮୮। ତେବେ ଏହି ନିର୍ବାଚନରେ ମତଦାତା ହେଉଛନ୍ତି ୨୪ ହଜାର ୪୦ ଭୋଟର।