ବୀରମିତ୍ରପୁର ପୌରପାଳିକା:କୋଟିପତି ପୌରାଧ୍ୟକ୍ଷ ପ୍ରାର୍ଥୀ ସନ୍ଦୀପ

ପ୍ରତିଦ୍ବନ୍ଦ୍ବୀ ମହେନ୍ଦ୍ରଙ୍କ ସମ୍ପତି ମାତ୍ର ୧୦ ହଜାର

ରାଉରକେଲା: ଆସନ୍ତା ୨୪ରେ ହେବାକୁ ଯାଉଛି ପୌରପାଳିକା ନିର୍ବାଚନ। ପ୍ରକାଶ ପାଇ ସାରିଛି ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା। ସରଗରମ ହେଲାଣି ପ୍ରଚାର। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ବୈତରଣୀ ପାରି ହେବାକୁ ପୁରା ଦମ୍‌ରେ ଲାଗି ପଡିଛନ୍ତି। ରାଜନୀତିରେ ନେତାଙ୍କ ସମ୍ପତ୍ତି ତାଲିକା ମଧ୍ୟ କିଛି କମ୍‌ ନୁହେଁ। ଆଜି ଯିଏ ଲକ୍ଷପତି, ବର୍ଷ କେଇଟା ପରେ କୋଟିପତି। ପଞ୍ଚାୟତ, ପୌର ହେଉ ଅବା ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ସତ୍ୟପାଠରେ ଉଲ୍ଲେଖ ଥିବା ନେତାଙ୍କ ସମ୍ପତ୍ତି ତାଲିକା ଆଖି ତରଟିଲା ପରି।

ପୌରପାଳିକା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ପୌରାଧ୍ୟକ୍ଷ ଓ କାଉନ୍‌ସିଲରଙ୍କ ମଧ୍ୟରୁ କିଏ କୋଟିପତି, ଲକ୍ଷପତି ତ ଆଉ କିଏ ଫକିର। ଏମିତି ରୋଚକ ସ୍ଥିତି ଦେଖିବାକୁ ମିଳିଛି ବୀରମିତ୍ରପୁର ପୌରପାଳିକାରେ। ମୋଟ ୧୧ ୱାର୍ଡ ବିଶିଷ୍ଟ ପୌରପାଳିକାରେ ପୌରାଧ୍ୟକ୍ଷ ପାଇଁ ୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଜେଡି, ବିଜେପି, କଂଗ୍ରେସ, ବିଏସ୍‌ପି ଓ ଅନ୍ୟ ଜଣେ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ। ଧନି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ସନ୍ଦୀପ ମିଶ୍ର। ମୋଟ ସମ୍ପତ୍ତିର ମୂଲ୍ୟ ୩ କୋଟି ୨୭ ଲକ୍ଷ ୭୦ ହଜାର ୨୭୨ ଟଙ୍କା ଥିବା ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ସନ୍ଦିପଙ୍କ ନାଁରେ ମୋଟ ୧ କୋଟି ୬୭ ଲକ୍ଷ ୭ ହଜାର ୪୧୩ ଟଙ୍କା ଓ ତାଙ୍କ ପତ୍ନୀଙ୍କ ନାଁରେ ୧ କୋଟି  ୬୦ ଲକ୍ଷ ୬୨ ହଜାର ୮୫୯ ଟଙ୍କାର ସମ୍ପତ୍ତି ରହିଛି।

ସନ୍ଦୀପ ହାତରେ ୧୯ ହଜାର ଓ ତାଙ୍କ ପତ୍ନୀଙ୍କ ହାତରେ ୧୬ ହଜାର ଟଙ୍କା ରହିଛି। ସନ୍ଦିପଙ୍କର ବୀରମିତ୍ରପୁରସ୍ଥ ଦୁଇଟି ବ୍ୟାଙ୍କରେ ୧୦ ଲକ୍ଷ ୧୧ ହଜାର ୪୪୧ ଟଙ୍କା ଜମା ରହିଛି। ସେୟାର ବଜାର ଓ ଅନ୍ୟାନ୍ୟ ମ୍ୟୁଚୁଆଲ୍‌ ଫଣ୍ଡସ୍‌ରେ ୧ କୋଟି ୩ ଲକ୍ଷ ୫୧ ହଜାର ୪୧୪ ଟଙ୍କା ଜମା ନିବେଶ କରିଛନ୍ତି। ଏଲ୍‌ଆଇସିରେ ବିଭିନ୍ନ ପଲିସିରେ ମୋଟ ୩୬ ଲକ୍ଷ ୩୩ ହଜାର ୯୮୯ ଟଙ୍କା ଜମା ରହିଛି। ସେମିତି ତାଙ୍କ ନାଁରେ ୯ଟି ଟ୍ରକ ଓ ଗୋଟିଏ ଲୋଡର ରହିଛି। ଯାହା ବଜାର ଆନୁମାନିକ ମୂଲ୍ୟ  ୧୯ ଲକ୍ଷ ୫୪ ହଜାର ୬୨୮ ଟଙ୍କା। ୨ ଲକ୍ଷ ୫୦ ହଜାର ଟଙ୍କାର ସୁନାଗହଣା। ତାଙ୍କ ପତ୍ନୀଙ୍କ ନାଁରେ ୩୨ ଲକ୍ଷ ଟଙ୍କାର କାର୍‌ ରହିଛି। ଯାହାର ବର୍ତ୍ତମାନ ମୂଲ୍ୟ ୧୯ ଲକ୍ଷ ୫୪ ହଜାର ୬୨୮ ଟଙ୍କା ଦର୍ଶାଯାଇଛି। ୧୨ ଲକ୍ଷ ୫୦ ହଜାର ଟଙ୍କାର ସୁନାଗହଣା ରହିଛି।

ବୀରମିତ୍ରପୁର ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ୫ ହଜାର ୨୭୮ ଟଙ୍କାର ଜମା ରହିଛି। ସେମିତି ଅନ୍ୟ ତିନିଟି ଘରୋଇ ବ୍ୟାଙ୍କରେ ୯୯ ଲକ୍ଷ ୬୩ ହଜାର ୨୫୦ ଟଙ୍କା ଜମା ରହିଛି। ଏଥିସହ ଏଲ୍‌ଆଇସି‌ର ବିଭିନ୍ନ ପଲିସିରେ ତାଙ୍କ ନାଁରେ ୩ ଲକ୍ଷ ୨୯ ହଜାର ଟଙ୍କାର ଓ  କମ୍ପାନୀ ସହ ମ୍ୟୁଚୁଆଲ ଫଣ୍ଡରେ ମୋଟ ୧୬ ଲକ୍ଷ ୪୪ ହଜାର ୬୭୫ ଟଙ୍କା ନିବେଶ କରିଛନ୍ତି। ସନ୍ଦିପଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିବା ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପ୍ରାର୍ଥୀ ମହେନ୍ଦ୍ର ବାଘଙ୍କ ମୋଟ ସମ୍ପତ୍ତି ମାତ୍ର ୧୦ ହଜାର ଟଙ୍କା ରହିଥିବା ସେ ତାଙ୍କ ସତ୍ୟ ପାଠରେ ଦର୍ଶାଇଛନ୍ତି। କଂଗ୍ରେସର ଶଶୀ ସାଗର ହାତରେ ୨ ହଜାର ଟଙ୍କା ରହିଛି।

ଏଥିସହ ୧ ଲକ୍ଷ ୫ ହଜାର ଟଙ୍କାର ସ୍କୁଟି, ୨୧ ହଜାର ଟଙ୍କାର ସୁନାଗହଣା, ଦୁଇଟି ବ୍ୟାଙ୍କରେ ମାତ୍ର ୬ ହଜାର ଟଙ୍କା ଜମା ରହିଛି। ସେମିତି ଅନ୍ୟ ଜଣେ ପୌରାଧ୍ୟକ୍ଷ ପ୍ରାର୍ଥୀ ହେଲେ  ବିଜେପିର ସୁନୀଲ ତିୱାରୀ। ତାଙ୍କ ହାତରେ  ନଗଦ ୧୦ ହଜାର ଓ ତାଙ୍କ ପତ୍ନୀଙ୍କ ୫ ହଜାର ଟଙ୍କା ରହିଛି। ଏଥିସହ ବିଭିନ୍ନ ବ୍ୟାଙ୍କରେ ୧ ଲକ୍ଷ ୩ ହଜାର ଟଙ୍କା ଜମା ରହିଛି। ୭୦ ହଜାର ଟଙ୍କାର ସୁନାଗହଣା ରହିଥିବା ସେ ତାଙ୍କ ସତ୍ୟ ପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର