ଚର୍ଚ୍ଚାରେ ବୀରମିତ୍ରପୁର ଥାନା : ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାଠାରୁ ହାଜତ ମୃତ୍ୟୁ ଯାଏ

ରାଉରକେଲା (ତାପସ ଦାସ) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଏବେ ବିଭିନ୍ନ କାରଣକୁ ନେଇ ରର୍ଚ୍ଚାରେ। କେତେବେଳେ ଲକ୍ ଡାଉନ ସମୟରେ ଥାନା ପରିସରରେ ଥାନା ଅଧିକାରୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଘଟଣାକୁ ନେଇ ତ ଆଉ କେତେବେଳେ ଖୋଦ ଥାନା ଅଧିକାରୀ ତାଙ୍କ ପତିଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି। ଏତିକିରେ ଥମି ନ ଥିଲା ବୀରମିତ୍ରପୁର ଥାନାର ନାଁ। ରାଉରକେଲାର ବିଶିଷ୍ଟ ବ୍ୟବସାୟୀ ତଥା କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ଅପହରଣ ମାମଲାକୁ ନେଇ ସାରା ଜିଲ୍ଲା ଉଠିଲା ପଡିଲା। ପୁଲିସ ଅପହରଣକାରୀଙ୍କ ପତ୍ତା ନ ପାଉଣୁ ପ୍ରଦୀପ ନିଜେନିଜେ ଘରକୁ ଫେରି ଆସିଲେ। ଘଟଣା ଏବେ ବି ରହସ୍ୟମୟ। ଏହି ଘଟଣାକୁ ନେଇ ଚର୍ଚା ଟିକେ ନ ଥମୁଣୁ, ବୁଧବାର ତାରିକ ସଲେମ ନାମକ ଜଣେ ଯୁବକଙ୍କ ହାଜତ ପରିସରରେ ମୃତ୍ୟୁ। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଛି। କାହିଁକି ଜିଲ୍ଲାର ଏହି ଥାନାରେ ଏମତି ଘଟଣା ଘଟି ଯାଉଛି ତାକୁ ଏନେଇ ଏବେ ପୁଲିସ ବିଭାଗଠାରୁ ଆରମ୍ଭ କରି ସାଧାରଣରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଥାନାର ବାସ୍ତୁଦୋଷ ଠିକ ନ ଥିବା ଅନେକ କହୁଥିବାବେଳେ ଆଉ କେତେକ ଏହାକୁ ଗ୍ରହଣ କରୁନାହାନ୍ତି। ଏହି ଥାନା ପୁଲିସ ବିଭାଗକୁ ଏତେ ବଦନାମ କରି ଦେଲାଣି ଯେ ଖୋଦ ପୁଲିସ ଡିଜି ଅଭୟ, ନାବାଳିକା ଦୁଷ୍କର୍ମ ଘଟଣାରେ ନାବାଳିକାଙ୍କୁ ସୋସିଆଲ ମିଡିଆରେ ଭୁଲ୍ ମାଗିବା ସହିତ ନିସର୍ତ କ୍ଷମା ପ୍ରାର୍ଥନା ଚାହିଁଥିଲେ। କେବଳ ପୁଲିସ କାହିଁକି ରାଜ୍ୟ ସରକାର ମଧ୍ୟ ଏହି ଥାନାର କାର୍ଯ୍ୟ କଳାପ ପାଇଁ ଅପଦସ୍ତ ହେବା ସହିତ ବିବାଦ ମୁହଁକୁ ଠେଲି ହୋଇ ଯାଉଛନ୍ତି। ବିରୋଧୀ କଂଗ୍ରେସ ଓ ବିଜେପି ଏହାକୁ ଅସ୍ତ୍ର କରି ବିଧାନସଭାରେ ମଧ୍ୟ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଉଛନ୍ତି। ସମଗ୍ର ଜିଲ୍ଲାରେ ୧୪ଟି ଥାନା ଥିଲେ ମଧ୍ୟ ଏ ବୀରମିତ୍ରପୁର ଥାନା ଓ ଥାନା ଅଧିକାରୀ କାହିଁକି ଏତେ ବିବାଦୀୟ ଓ ଚର୍ଚିତ ତାକୁ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ।

India TV News

ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ:
ରକ୍ଷକ ସାଜିଲା ଭକ୍ଷକ। ଯିଏ ରକ୍ଷାକାରୀ ସିଏ ସାଜିଲା ପିଶାଚ। ନ୍ୟାୟ ଦେବା ଲୋକ କରି ବସିଲା, ଅନ୍ୟାୟ। ଏମିତି ଏକ ଘଟଣା ଘଟିଗଲା ଲକ୍ ଡାଉନ ସମୟରେ। ଯେଉଁ ସମୟରେ କେହି ଘରୁ ବାହରୁ ନ ଥିଲେ ସେହି ସମୟରେ ଥାନାବାବୁ ଜଣେ ନାବାଳିକାଙ୍କୁ ଥାନା ପରିସରରେ ରଖି କରି ଚାଲିଥିଲେ ଦୁଷ୍କର୍ମ। ତାହା ପୁଣି ଦିନେ କିମ୍ବା ଦୁଇ ଦିନ ନୁହେଁ। ମାସ ମାସ ଧରି ନିଜ ଯୌନ ପିପାଷା ମେଣ୍ଟାଉଥିଲେ। ଯେତେବେଳେ ନେଡିଗୁଡ କହୁଣୀକୁ ବୋହି ଗଲା। ମୁଣ୍ଡକୁ କୁବୁଦ୍ଧି ପଶିଲା। ନାବାଳିକାକୁ ନେଇ ଗର୍ଭପାତ କରାଇଲେ। ଏହା ପରେ କଥା ପ୍ରଘଟ ହେଲା। ଥାନାବାବୁ ଆନନ୍ଦ ଚନ୍ଦ୍ର ମାଝିଙ୍କ ନାଁରେ ଏତଲା ହେଲା। ଧିରେ ଧିରେ କଥା ପ୍ରଚାରିତ ହେବା ପରେ ଥାନାବାବୁ ଶ୍ରୀ ମାଝିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଗଲା। ଏହାର କିଛି ଦିନ ପରେ ପୁଲିସ ଡିଜି ଅଭୟ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହିତ ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଘଟଣା ପରେ ଥାନାବାବୁ ଶ୍ରୀ ମାଝି ଫେରାର ହୋଇ ଗଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟ ଉଠିଲା ପଡ଼ିଲା। ବିରୋଧୀ ଗର୍ଜନ ତର୍ଜନ ଛାଡିଲେ। ଶେଷରେ କ୍ରାଇମ ବ୍ରାଞ୍ଚ ଥାନାବାବୁ ଶ୍ରୀ ମାଝିଙ୍କୁ ଅନୁଗୁଳ ଜିଲ୍ଲା ହଣ୍ଡପା ନିକଟରେ ଥିବା ଏକ ଫାର୍ମ ହାଉସରୁ ଗିରଫ କରିଥିଲା। ଶ୍ରୀ ମାଝି ଏବେ ଜେଲରେ। ଏହି ଘଟଣା ପୁଲିସ ଇତିହାସ ପାଇଁ ଏକ କଳଙ୍କ ବୋଲି ପୁଲିସ ବିଭାଗରେ ଆଲୋଚନା ହେଉଛି। କ୍ରାଇମ ବ୍ରାଞ୍ଚ ଏବେ ସୁଦ୍ଧା ଏହି ଘଟଣାରେ ନାବାଳିକାଙ୍କ ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷ ଓ ହୋମଗାର୍ଡ( ଡ୍ରାଇଭର) ଗୁରୁଚରରଣ ଫକୀରଙ୍କୁ ଗିରଫ କରିଛି।

ଇନ୍ସପେକ୍ଟର ମଧ୍ୟ ଘରୋଇ ନିର୍ଯାତନାର ଶିକାର:
ପୂର୍ବତନ ଇନ୍ସପେକ୍ଟର ଆନନ୍ଦ ଚନ୍ଦ୍ର ମାଝି ଗିରଫ ହୋଇ ଜେଲ ଯିବା ପରେ, ସେହି ଥାନାରେ ପୋଷ୍ଟିଂ ନେବାକୁ ଅଧିକାଂଶ ପୁଲିସ ଅଫିସର କୁନ୍ଥୁକୁନ୍ଥୁ ହେଉଥିଲେ। ଆଉ କେତେକ ଅଫିସର ସିଧା ସଳଖ ମନା କରି ଦେଇଥିଲେ ସେହି ଥାନାରେ ଯୋଗ ଦେବାକୁ। ଏହି ସମୟରେ ପୁଲିସ ବିଭାଗ ପକ୍ଷରୁ ଜଣେ ଲେଡି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ବୀରମିତ୍ରପୁର ଥାନା ଦାୟିତ୍ବ ଦିଆଯାଇଥିଲା। ସ୍ନିଗ୍ଧାରାଣୀ ଯୋଗ ଦେବାର କିଛି ମାସ ପରେ ପୁଣି ଥରେ ଏହି ଥାନା ଚର୍ଚାକୁ ଆସିଥିଲା। ନିଜେ ପୁଲିସ ଇନ୍ସେପେକ୍ଟର ହୋଇ ମଧ୍ୟ ସେ ନ୍ୟାୟ ପାଇବା ପା‌ଇଁ ଥାନାର ଦ୍ବାରସ୍ତ ହୋଇଥିଲେ। ଯାହା ପୁଲିସ ମହଲରେ ଖୁବ୍ ଆଲୋଚନାର ବିଷୟ ହୋଇଥିଲା। ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ଏନେଇ ତାଙ୍କ ସ୍ବାମୀଙ୍କ ନାଁରେ ରାଉରାକେଲା ରଘୁନାଥପାଲ୍ଲୀ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଓଲଟି ତାଙ୍କର ବଦଳି ବୀରମିତ୍ରପୁର ଥାନାରୁ ପୁଲିସ ମୁଖ୍ୟାଳୟକୁ ହୋଇଥିଲା। ତାଙ୍କ ସ୍ଥାନରେ କିଛି ଦିନ ତଳୁ କେଉଁଝରରୁ ବଦଳି ହୋଇ ଆସିଥିବା ସ୍ମୃତିପ୍ରଭା ପ୍ରଧାନଙ୍କୁ ବୀରମିତ୍ରପୁର ଥାନା ଇନ୍ସପେକ୍ଟର ଦାୟିତ୍ବ ଦିଆଯାଇଥିଲା। ସେ ଯୋଗ ଦେଉ ଦେଉ ଥାନାରେ ହାଜତ ମୃତ୍ୟୁ ଘଟଣା ଘଟିଗଲା।

କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ଅପହରଣ ଓ ଘରକୁ ପ୍ରତ୍ୟାବର୍ତନ:
ଚଳିତ ମାସ ୮ ତାରିଖର ଘଟଣା। କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ବ୍ୟାବସାୟିକ କାମରେ ବୀରମିତ୍ରପୁର ଥାନା ଅଧୀନ ବିଜୟ ବାହାଲ ନିକଟ କ୍ରସର ୟୁନିଟକୁ ଯାଇଥିଲେ। ସେଠାରେ ସେ ତାଙ୍କ କାମ ସାରି ଘରକୁ ଫେରୁଥିବାବେଳେ ଜାତୀୟ ରାଜପଥ ଉପରେ ତାଙ୍କୁ କେହି ଅପହରଣ କରି ୧ କୋଟି ଟଙ୍କାର ମୁଣ୍ଡ ଜାମିନ ରଖିଥିଲା। ଏ ନେଇ ପ୍ରଦୀପଙ୍କ ପରିବାର ଲୋକ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୁଲିସ ୫ଟି ଟିମ୍ ଗଠନ କରି ପ୍ରଦୀପଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। କିନ୍ତୁ କେଉଁ ଆଡୁ ମଧ୍ୟ ପ୍ରଦୀପଙ୍କ ପତ୍ତା ପାଇ ନ ଥିଲା ପୁଲିସ। ଶେଷରେ ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ ପ୍ରଦୀପ ନିଜ ଘରକୁ ଫେରି ଆସିଥିଲେ। ତେବେ କେଉଁ ପରିସ୍ଥିତିରେ ପ୍ରଦୀପ ଫେରି ଆସିଥିଲେ ? ତାଙ୍କୁ କିଏ କିମ୍ବା କେଉଁ ଗ୍ୟାଙ୍ଗ ଅପହରଣ କରିଥିଲା ? ଏ ସମ୍ପର୍କରେ ନାଁ ପ୍ରଦୀପ ମୁହଁ ଖୋଲୁଛନ୍ତି ନା ପୁଲିସ। ଘଟଣା ଏବେ ବି ରହସ୍ୟମୟ। କୁହାଯାଉଛି, ପୁଲିସ ଏହି ଘଟଣାର ତଦନ୍ତ ପାଇଁ ତାରିକ ସଲେମକୁ ଥାନାକୁ ଆଣିଥିବାବେଳ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା।

ଥାନା ହାଜତରେ ମୃତ୍ୟୁ:
ବୀରମିତ୍ରପୁର ଥାନା ହାଜତରେ ନିର୍ଯାତନା ଦିଆଯିବା କାରଣରୁ ତାରିକଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କରିବା ପରେ ପୁଲିସ ଏହାକୁ ଏକ ହାଜତ ମୃତ୍ୟୁ ଜନିତ ମାମଲା( ପୁଲିସ ହେପାଜତରେ ହତ୍ୟା) ରୁଜୁ କରିଛି। ପୁଲିସ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ତଦନ୍ତ କରୁଛି ବୋଲି ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କିନ୍ତୁ ଗୋଟିଏ ଦିନରେ ରାଜ୍ୟର ଦୁଇ ଦୁଇଟି ଥାନା ଅଧୀନରେ ହାଜତ ମୃତ୍ୟୁ ଘଟଣା ଘଟିବା ପୁଲିସ ବିଭାଗରେ ହରଡ଼କମ୍ପ ସୃଷ୍ଟି କରିଛି। ଜିଲ୍ଲାର ବୀରମିତ୍ରପୁର ଥାନା ଏଥିପାଇଁ ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଛି। ଏହି ଘଟଣାକୁ ନେଇ ମଧ୍ୟ ବିରୋଧୀ ଇସ୍ୟୁ କରିବା ଆରମ୍ଭ କରି ଦେଇଛନ୍ତି।

ନିଜେ ଦୁଷ୍କର୍ମକାରୀଙ୍କୁ ବାନ୍ଧିଥିଲେ, ନିଜେ ଦୁଷ୍କର୍ମ କଲେ:
କି ଲଜ୍ଜା ଓ ଦୁଃଖର ବିଷୟ। ଯେଉଁ ଥାନା ପୁଲିସ ବର୍ଷକ ତଳେ ସାରା ଦେଶରେ ଏକ ଚର୍ଚିତ ଦୁଷ୍କର୍ମ ଘଟଣାର ମୂକସାକ୍ଷୀ ଥିଲା, ସେହି ଥାନାର ଥାନାବାବୁ ମାତ୍ର କିଛି ମାସ ପରେ ଜଣେ ନାବାଳିକାକୁ ଏକ ଗଣ ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ହୋଇ ଜଲେ ଜେଲ ଯିବେ, କେହି ଚିନ୍ତା ମଧ୍ୟ କରି ନ ଥିଲେ। ୨୦୧୯ ମସିହା, ଜୁଲାଇ ମାସ ୮ ତାରିଖ। ବୀରମିତ୍ରପୁର ଥାନା ଅଧୀନ ହରପାଲ୍ଲୀ ବସ୍ତି ନିକଟରେ ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ଜଣେ ନାବାଳିକାକୁ ୧୦ ଜଣ ଯୁବକ ଅତ୍ୟନ୍ତ ନିର୍ଦୟ ଭାବେ ଗଣ ଦୁଷ୍କର୍ମ କରିଥିଲେ। ଜଣେ ଦୁଷ୍କର୍ମ କରୁଥିବାବେଳେ ଅନ୍ୟ ଜଣେ ମୋବାଇଲ ଫୋନରେ ଭିଡିଓ ସୁଟିଂ କରୁଥିଲା। ଏହି ଦୁଷ୍କର୍ମ ଘଟଣାର ଭିଡିଓ କିଛି ଦିନ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ସାରା ରାଜ୍ୟ ଓ ଦେଶରେ ଚର୍ଚାର ବିଷୟ ପାଲଟିଥିଲା। ଏହି ଖବର ସେତେବେ‌ଳେ ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା। ପୁଲିସ ଏହି ଘଟଣାରରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ବି ଏହି ମାମଲାର ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେତେବେଳେ ବୀରମିତ୍ରପୁର ଥାନାର ଇନ୍ସପେକ୍ଟର ଥିଲେ ଆନନ୍ଦ ମାଝି। ସେ ହିଁ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। କିନ୍ତୁ ଠିକ୍ ବର୍ଷ ପରେ ତାଙ୍କ ନାଁରେ ଆସିଥିଲା, ଦୁଷ୍କର୍ମ ଅଭିଯୋଗ। ସେ ଏବେ ଗିରଫ ହୋଇ ଜେଲର ଚାରି କାନ୍ଥ ଭିତରେ। ଏହି କେତୋଟି ଘଟଣା, ବୀରମିତ୍ରପୁର ଥାନାକୁ ଚର୍ଚାରେ ରଖିଛି।

ସମ୍ବନ୍ଧିତ ଖବର