ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲା : ବୀରମିତ୍ରପୁର ଥାନା ଅଧିକାରୀ ନିଲମ୍ବିତ

ସମ୍ବାଦର ପ୍ରଭାବ 

ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?
ନାବାଳିକାର ୧୬୧ ବୟାନ ରେକର୍ଡ

ରାଉରକେଲା : ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ନିଲମ୍ବନ କରାଯାଇଛି। ବେଆଇନ ଗର୍ଭପାତ ଓ କାର୍ଯ୍ୟରେ ଅବେହଳା କରିବା ଅଭିଯୋଗରେ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶ୍ରୀ ମାଝିଙ୍କ ସ୍ଥାନରେ ସୁନ୍ଦରଗଡ ଟାଉନଥାନାର ଇନ୍ସପେକ୍ଟର ସ୍ମିତାରାଣୀ ସୁନା ବୀରମିତ୍ରପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନିଲମ୍ବନ ପରେ ଥାନା ଅଧିକାରୀ ଫେରାର ହୋଇଯାଇଥିବା ନେଇ ସହରରେ ଆଲୋଚନା ହେଉଛି, କିନ୍ତୁ ଏ ସଂପର୍କ ବିଧିବଦ୍ଧ ଭାବେ କିଛି ଖବର ନାହିଁ।

ଗତ ବୁଧବାର ଦିନ ଅତିରିକ୍ତ ଏସ୍‌ପି ରବି ନାରାୟଣ ଜେନା ଓ ଡିଏସ୍‌ପି ଜ୍ୟୋତ୍ସ୍ନାମୟୀ ପ୍ରଧାନ ଘଟଣାର ତଦନ୍ତ କରିବା ପରେ ତୁରନ୍ତ ପଦକ୍ଷେପ ରୂପେ ଶ୍ରୀ ମାଝିଙ୍କୁ ବୀରମିତ୍ରପୁର ଥାନାରୁ ସୁନ୍ଦରଗଡ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ଡିଏସ୍‌ପି ଜ୍ୟୋତ୍ସ୍ନାମୟୀ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ କହିଛନ୍ତି। ତେବେ ଦୁଷ୍କର୍ମ ବା ଗର୍ଭପାତ ମାମଲାରେ ସଂପୃକ୍ତ ଡାକ୍ତର ଓ ଅନ୍ୟମାନଙ୍କ ପାଖରେ ଆଇନର ହାତ କେବେ ପହଞ୍ଚିବ, ତା’କୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ସମସ୍ତ ନୀତି ନିୟମ ଅନୁଯାୟୀ ନାବାଳିକାଙ୍କ ଗର୍ଭପାତ କରାଯାଇଥିବା ଚାରିଜଣିଆ ଡାକ୍ତରୀ ଟିମ୍‌ ଗତକାଲି ଯେଉଁ ରିପୋର୍ଟ ଦେଇଛନ୍ତି, ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ ଗର୍ଭଧାରଣର ମାମଲା ରୁଜୁ ନକରି ତଥା ଶିଶୁ କଲ୍ୟାଣ କମିଟିର ଅନୁମତି ନନେଇ ଗର୍ଭପାତ କରା ଯାଇଥିଲା। ତେଣୁ ସେଥିରେ ଆଇନର ଉଲଂଘନ ହୋଇଥିବା ସ୍ପଷ୍ଟ ଜଣା ପଡୁଛି। କେଉଁ କାରଣରୁ ଅଭିଯୁକ୍ତ ସରକାରୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରାଯାଉଛି, ତାକୁ ତୁରନ୍ତ ସ୍ପଷ୍ଟ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି। କେବଳ ଏତିକି ନୁହେଁ, ଏକ ଘରୋଇ ଗାଡିରେ ନାବାଳିକାଙ୍କୁ ପ୍ରତି ରବିବାର ଦିନ ଥାନାକୁ ଅଣାଯାଉଥିବା ଅଭିଯୋଗ ରହିଛି। ସେ ଘରୋଇ ଗାଡିର ମାଲିକ କିଏ ଓ ଡ୍ରାଇଭର କିଏ, ଏହାକୁ ସର୍ବସାଧାରଣରେ ସ୍ପଷ୍ଟ କରାଯିବାର ଆବଶ୍ୟକତା ରହିଛି। ସବୁଠାରୁ ଉଲ୍ଲେଖନୀୟ ହେଉଛି, ଏଭଳି ଏକ ଭୟଙ୍କର ଅପରାଧକୁ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଉ ନଥିବା ଆଲୋଚନା ହେଉଛି। ପୁଣି ନିଲମ୍ବନ ପରେ ଥାନା ଅଧିକାରୀ ଫେରାର ହୋଇଯାଇଥିବାର ଚର୍ଚ୍ଚା ଯଦି ସତ୍ୟ ହୁଏ, ତେବେ ତାହା ଏକ ଦୁର୍ଭାଗ୍ୟଜନକ ଉଦାହରଣ ସୃଷ୍ଟି କରିବ। ଏଥିପାଇଁ ତାଙ୍କୁ ସୁଯୋଗ ଦିଆଯାଇଛି ବୋଲି ବୁଝିବାକୁ ପଡ଼ିବ।

ସେପଟେ ଗତକାଲି ରାତି ପ୍ରାୟ ୮ଟାରେ ରାଉରକେଲା ଜେନେରାଲ ହସ୍‌ପିଟାଲ (ଆର୍‌ଜିଏଚ୍‌)ରେ ପୁଲିସ ନାବାଳିକାଙ୍କର ୧୬୧ ବୟାନ ରେକର୍ଡ କରିଛି। ପ୍ରାୟ ଦେଢ଼ଘଣ୍ଟା ଧରି ନାବାଳିକାଙ୍କୁ ଘଟଣା ସଂକ୍ରାନ୍ତରେ ପଚରାଉଚୁରା କରାଯାଇଥିଲା। ନାବାଳିକା ପୂର୍ବରୁ ଥାନା ବଡବାବୁ ଓ ଡାକ୍ତରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଯେଉଁ ବୟାନ ଦେଇଥିଲେ, ସେହି ସମାନ କଥା କହିଥିଲେ ବୋଲି ସୂଚନା ମିଳିଛି। ନାବାଳିକା ଅସୁସ୍ଥ ଥିବାରୁ ଆଜି ସୁନ୍ଦରଗଡ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ହେବାକୁ ଥିବା ୧୬୪ ବୟାନ ହୋଇ ପାରିନାହିଁ। ସେ ସୁସ୍ଥ ହେବା ପରେ ଆସନ୍ତା ସୋମବାର ଦିନ ତାହା ରେକର୍ଡ କରାଯିବ ବୋଲି ଜଣାପଡିଛି। ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ଶିଶୁ କଲ୍ୟାଣ କମିଟି ପକ୍ଷରୁ ଦୁଇଜଣ ମହିଳା ସହାୟିକାଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର