ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତଦନ୍ତ ଆରମ୍ଭ

କଟକ: ବୀରମିତ୍ରପୁତ୍ର ଥାନା ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ପି-୧ ତପନ ପଟ୍ଟନାୟକଙ୍କ ନେତୃତ୍ବରେ ୫ ଜଣିଆ ଏସଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଆଜି ସକାଳୁ ବୀରମିତ୍ରପୁର ଗସ୍ତ କରିଛି। ଜଣେ ମହିଳା ଡିଏସ୍‌ପି ଘଟଣାର ତଦନ୍ତଭାର ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଥାନାରେ ରୁଜୁ ହୋଇଥିବା ମାମଲା ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଗ୍ରହଣ କରିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ନିଲମ୍ବିତ ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ସମେତ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବାକୁ ତାଲିକା ପ୍ରସ୍ତୁତ କରିଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ଏହି ମାମଲାରେ ସମ୍ପୃକ୍ତ ଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ଅନୁସନ୍ଧାରୁ ଜାଣିବାକୁ ପାଇଛି। ତେବେ ଆଜି ସନ୍ଧ୍ୟାରେ ମାମଲାର ତଦନ୍ତଭାର ଗ୍ରହଣ କରାଯାଇଥିବା ବେଳେ ଆସନ୍ତାକାଲିଠାରୁ ସେମାନଙ୍କୁ ପୃଥକ ଜେରା କରାଯିବାକୁ ଯୋଜନା କରାଯାଉଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଜଣେ ୧୩ ବର୍ଷିୟା ନାବାଳିକା ଉଦ୍ଧାର ହୋଇଥିବା ଦର୍ଶାଇ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ନାବାଳିକାଙ୍କୁ ଗଲା ୧୫ ତାରିଖରେ ରାଉରକେଲା ସିଡବ୍ଲୁସିରେ ହାଜର କରିଥିଲେ। ସିଡବ୍ଲୁସି କର୍ତ୍ତୃପକ୍ଷ ନାବାଳିକାଙ୍କୁ ବିଶ୍ରା ନିକଟରେ ଥିବା ସରକାରୀ ଥଇଥାନ କେନ୍ଦ୍ରରେ ରଖିଥିଲେ। ସେଠାରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ପ୍ରଥମେ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ତାକୁ ଦୁଇ ପୁରୁଷ ବନ୍ଧୁ, ଜଣେ ସାବତ ବାପା ଓ ଦୁଇଜଣ ପୁଲିସ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ସାମନାକୁ ଆସିଥିଲା। ଜିଲ୍ଲା ଡିସିପିଓ(ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ)ଙ୍କ ପକ୍ଷରୁ ରାଇବଗା ଥାନାରେ ଗଲା ୨୩ ତାରିଖରେ ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ସହିତ ଉପରୋକ୍ତ ୪ଜଣ ଏବଂ ତାଙ୍କ ଗର୍ଭପାତ କରିଥିବା ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ମାମଲା(କେସ୍ ନଂ-୪୧/୨୦୨୦) ରୁଜୁ ହୋଇଥିଲା। ଏବେ ସେହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୁଲିସ ଡିଜି ଅଭୟ ଏହି ଘଟଣାରେ ସଂପୃକ୍ତ ବୀରମିତ୍ରପୁର ଆଇଆଇସି ଶ୍ରୀ ମାଝୀଙ୍କୁ ଚାକିରିରୁ ନିଲମ୍ବନ କରିଥିବା ବେଳେ ଆଜି ସକାଳେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍‌ପି-୧ ତପନ ପଟ୍ଟନାୟକଙ୍କୁ ପୁରା ମାମଲାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜଣେ ମହିଳା ଡିଏସ୍‌ପି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ସମ୍ପୃକ୍ତ ମହିଳା ଡିଏସ୍‌ପିଙ୍କୁ ସହଯୋଗ କରିବାକୁ ଆଉ ୩ଜଣ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ବେଳେ କ୍ରାଇମବ୍ରା଼ଞ୍ଚ ଟିମ୍ କଟକରୁ ବାହାରିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର