ଗତ ଜୁଲାଇ ମାସରୁ ଏସ୍‌ଓଏସ୍‌ ଭିଲେଜରେ ରହୁଥିଲେ
ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ଅଭି‌ଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଓ ସିଏଚ୍‌ଏସ୍‌ସି ଡାକ୍ତର ଗିରଫ ହୋଇଥିଲେ

Advertisment

ରାଉରକେଲା : ବହୁଚର୍ଚ୍ଚିତ ବୀରମିତ୍ରପୁର ଥାନା ଦୁଷ୍କର୍ମ ଘଟଣାର ନାବାଳିକା ପୀଡ଼ିତା ଗତକାଲି ରାତିରେ ନିଖୋଜ ହୋଇ ପ୍ରାୟ ୨୬ ଘଣ୍ଟା ପରେ ଆଜି ରାତିରେ ଉଦ୍ଧାର ହୋଇଛନ୍ତି। ବୀରମିତ୍ରପୁର ନିକଟସ୍ଥ ଏକ ଗାଁରେ ଲୋକେ ତାଙ୍କୁ ବୁଲୁଥିବାର ଦେଖି ଅଟକ ଖବର ଦେଇଥିଲେ। ଏ ଖବର ଲେଖା ହେବାବେଳକୁ ରାଉରକେଲା ଓ ବୀରମିତ୍ରପୁର ପୁଲିସ ଏବଂ ସେ ରହୁଥିବା ଛେଣ୍ଡ ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ତାଙ୍କୁ ଆଣିବାକୁ ଯାଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ପକ୍ଷରୁ ନାବାଳିକା ପୀଡିତାଙ୍କୁ ଗତ ଜୁଲାଇ ୨୦ରେ ଚାଇଲ୍‌ଡ ଲାଇନ୍‌ 'ଦିଶା'ରୁ ଅଣାଯାଇ ରାଉରକେଲା ଛେଣ୍ଡସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ରଖାଯାଇଥିଲା। ଗତକାଲି ରାତିରେ ସେ ସେଠାରୁ ନିଖୋଜ ହୋଇ ଯାଇଥିଲେ। ତା'ପରେ ଏସ୍‌ଓଏସ୍‌ ଭିଲେଜ ପକ୍ଷରୁ ପୀଡିତାଙ୍କୁ ଖୋଜାଖୋଜି କରାଯାଇଥିଲା। ପତ୍ତା ନ ମିଳିବାରୁ ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସିଡବ୍ଲ୍ୟୁସିଙ୍କୁ ଜଣାଇଥିଲେ। ଆଜି ଏସ୍‌ଓଏସ୍‌ ଭିଲେଜ କର୍ତ୍ତୃପକ୍ଷ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏସ୍‌ଓଏସ୍‌ ଭିଲେଜରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ବିଳମ୍ବିତ ସନ୍ଧ୍ୟାରେ ବୀରମିତ୍ରପୁର ଅଞ୍ଚଳର ଝୁରୁମୁର ଗାଁରେ ତାଙ୍କୁ ବୁଲୁଥିବାର ଗାଁଲୋକେ ଚିହ୍ନି ପାରିଥିଲେ। ସେମାନେ ନାବାଳିକାଙ୍କୁ ଅଟକାଇ ତାଙ୍କ ମାଆଙ୍କୁ ଖବର ଦେଇଥିଲେ। ମାଆ ସେ ଖବର ଛେଣ୍ଡ ଏସ୍‌ଓଏସ୍‌ ଭିଲେଜକୁ ଜଣା ଦେଇଥିଲେ ଓ ଭିଲେଜ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ।

ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତେ ଯଦିଓ ଆଶ୍ବସ୍ତ ହୋଇଛନ୍ତି, କିନ୍ତୁ ନାବାଳିକା ଫେରାର ହେବା ଏସ୍‌ଓଏସ୍‌ ଭିଲେଜର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖନୀୟ ଯେ ଏହି ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝି ଚାକିରିରୁ ବହିଷ୍କୃତ ହେବା ସହିତ ପରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ପୁଣି ‌ନାବାଳିକାଙ୍କର ବେଆଇନ ଗର୍ଭପାତ କରିଥିବା ଅଭିଯୋଗରେ ବୀରମିତ୍ରପୁର ସିଏଚ୍‌ଏସ୍‌ସିର ଜଣେ ଡାକ୍ତର ମଧ୍ୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏଭଳି ଏକ ସଙ୍ଗୀନ ମାମଲାର ନାବାଳିକା ପୀଡ଼ିତାଙ୍କ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବିଷୟରେ ପ୍ରଶାସନ ଯେତିକି ଗମ୍ଭୀର ହେବାକଥା, ତାହା ହୋଇ ନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଇଛି। ଏ ଭଳି ମାମଲାରେ ଏତେ ଅବହେଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏସ୍‌ଓଏସ୍‌ ଭିଲେଜର ନିର୍ଦ୍ଦେଶକ ତପନ କୁମାର ସୁନାଙ୍କ କହିବାନୁଯାୟୀ, ପୀଡ଼ିତାଙ୍କ ନିଜ ମାଆ ପୀଡିତାଙ୍କୁ ଦୁଇଥର ଦେଖା କରିବାକୁ ଆସିଛନ୍ତି। ସେ ସବୁବେଳେ ତାଙ୍କ ମାଆଙ୍କ ପାଖକୁ ଯିବାକୁ ଜିଦ୍‌ ଧରୁଥିଲେ। ଏ ସଂକ୍ରାନ୍ତରେ ଏସ୍‌ଓଏସ୍‌ ଭିଲେଜ ପକ୍ଷରୁ ସିଡବ୍ଲ୍ୟୁସିଙ୍କୁ ଅବଗତ କରାଯାଇଥିଲା। ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି, ପୀଡିତା ମାଆଙ୍କର ଘର ନଥିଲା। ଏହା ସହିତ ପରିବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ଘରକୁ ଛଡା ଯାଉ ନଥିଲା। ତଥାପି ସେ ଜିଦ୍ କରୁଥିଲେ। ଏହି କାରଣରୁ ସେ ଗତକାଲି ଏସ୍ଓଏସ୍‌ ଭିଲେଜରୁ ପଳାଇ ଯାଇଥିଲେ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୧୪ ରାତି ପ୍ରାୟ ୯ଟାରେ ନାବାଳିକା ପୀଡିତା ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରେ ଏକାକୀ ବୁଲୁଥିବା ଦେଖି ତାଙ୍କୁ ସେଠାରୁ ବୀରମିତ୍ର୍ରପୁର ପୁଲିସ ଉଦ୍ଧାର କରିଥିଲା। ପୀଡିତା ଗର୍ଭପାତ ଜଣାପଡିବା ପରେ ବୀରମିତ୍ରପୁର ସିଏଚ୍‌ସିକୁ ଆଣି ଜୋରଜବରଦସ୍ତ ଗର୍ଭପାତ କରାଯାଇଥିଲା। ଏହା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।