ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଉରକେଲାର ବିର୍ସା ଛକଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ୍‌ଟେଲିକ୍‌ ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି। ଏହା ସହିତ ଷ୍ଟାଡିୟମ ସହିତ ସଂଯୁ୍କ୍ତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଲେକ୍ସ ଓ ବହୁତଳ କାର୍‌ ପାର୍କିଂ ସୁବିଧା ମଧ୍ୟ ଉଦ୍‌ଘାଟିତ ହୋଇଛି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୯୬୪ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନବନ୍ଦ​ରରେ ଓହ୍ଳାଇବାପରେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ବିର୍ସା ମୁଣ୍ଡା ଆଥ୍‌ଟେଲିକ୍‌ ଷ୍ଟାଡିୟମରେ ପହଞ୍ଚିଥିଲେ। ପ୍ରଥମେ ୧୫୭. ୨୧ କୋଟି ଟଙ୍କା ଖର୍ଚ୍ଚରେ ତଥା ୧୦ ଏକର ଜମିରେ ତିଆରି ଏହି ଷ୍ଟାଡିୟମ୍‌ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ। ତା’ପରେ ୯୬୪ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ବା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Advertisment

ଏକକାଳୀନ ବସିପାରିବେ ୧୦ ହଜାର ଦର୍ଶକ
୯୬୪ କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ସେହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ‘‘ଷ୍ଟାଡିୟମ‌ର ଉଦ୍‌ଘାଟନ ନେଇ ଆପଣମାନେ ଖୁସି ତ?’’ ପଚାରିଥିଲେ। ଉତ୍ତରରେ ଲୋକେ ଅତି ଖୁସିରେ ପାଟିକରି ସମ୍ମତି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ତା’ପରେ ତାଙ୍କ ନିଜସ୍ବ ଶୈଳୀରେ ‘‘ମୁଁ ବି ବହୁତ ଖୁସି’’ ବୋଲି କହିଥିଲେ। ତା’ପରେ ନୂଆ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ପ୍ରଦର୍ଶନୀ ଫୁଟ୍‌ବଲ୍‌ ମ୍ୟାଚ୍‌କୁ ସେ ଉଦ୍‌ଘାଟନ କରିଥିଲେ। ତା’ପରେ ତୁରନ୍ତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିସରସ୍ଥ ବିଶ୍ବ ହକିଗ୍ରାମକୁ ଯାଇଥିଲେ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହକି ପ୍ରୋଲିଗ୍‌ ଉଦ୍‌ଘାଟନୀ ମ୍ୟାଚ୍‌କୁ ସେ କିଛି ସମୟ ଉପଭୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ​ ଯେ ଆସନ ଦୃଷ୍ଟିରୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଗିନିଜ୍ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ଆଜି ମ୍ୟାଚ୍‌ର ମଧ୍ୟାନ୍ତରରେ ମୁଖ୍ୟମନ୍ତ୍ରୀ ପଡ଼ିଆ ମଧ୍ୟକୁ ଯାଇ ଦର୍ଶକଙ୍କ ପ୍ରବଳ ତାଳିମାଡ଼ ମଧ୍ୟରେ ଗିନିଜ୍ ବୁକ୍‌ର ଉକ୍ତ ପ୍ରମାଣପତ୍ର ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ହକିଗ୍ରାମରେ ଆଜି ରାତ୍ରୀଯାପନ କରିବେ। ଆସନ୍ତାକାଲି (ଶନିବାର) ପୂର୍ବାହ୍ନ ସାଢ଼େ ୧୦ଟାରେ ସେ ଭୁବନେଶ୍ବର ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଅଛନ୍ତି। ଶ୍ରୀ ପାଣ୍ଡିଆନ ଦୁଇଦିନ ରହି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତରେ ଯାଇ ବିକାଶମୂଳକ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଉଲ୍ଲେଖନୀୟ ଯେ ଆଜି ଉଦ୍‌ଘାଟିତ ହୋଇଥିବା ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡିୟମରେ ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ବସି ଖେଳ ଉପଭୋଗ କରିପାରିବେ। ଏଠାରେ ଫୁଟବଲ ସମେତ ଡ୍ରାଗ୍‌ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ। ଏହି ପରିସରରେ ନିର୍ମିତ ସୁଇମିଂ ପୁଲ୍‌ରେ ସନ୍ତରଣ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ‌ହେବ। ଷ୍ଟାଡିୟମ ପରିସରରେ ୨ମହଲା ବିଶିଷ୍ଟ ମଲ୍ଟି ଲେବଲ୍‌ କାର‌ ପାର୍କିଂ ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା, ପରିମଳ, କୃଷି ଓ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

publive-image

ସେଗୁଡ଼ିକ ମଧ୍ୟରେ ରହିଛି ୫୩.୫୩ କୋଟି ଟଙ୍କାରେ ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧.୭୭ କୋଟି ଟଙ୍କାରେ ଆସ୍ଥାଗୃହ (ମାନସିକ ରୋଗରେ ପୀଡିତ ମହିଳାଙ୍କ ପାଇଁ), ୨୩୨ କୋଟି ଟଙ୍କାରେ ୫ଟି ଉଚ୍ଚ କ୍ଷମତାସମ୍ପନ୍ନ ଉଠା ଜଳସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକ୍‌ର ଉଜ୍ଜଳପୁରରେ ୨.୫୫ କୋଟି ଟଙ୍କାରେ ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩.୯୦ କୋଟି ଟଙ୍କାରେ ୧୪ଟି ଅନୁସୂଚିତ ଜାତି ଓ ଜନଜାତି / ପଛୁଆ ବର୍ଗଙ୍କ ନିମନ୍ତେ ଛାତ୍ରାବାସ। ସେମିତି ୨୩୭.୨୦ କୋଟି ଟଙ୍କାରେ ୬୬ଟି ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାରେ ୨୭୩ ଟି ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସରଫଗଡ଼ରେ ୭୫ ଲକ୍ଷ ଟଙ୍କାରେ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ୨୩ଟି ଅଙ୍ଗନଓ୍ବାଡି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ୪୭ ଟି ଗୋଷ୍ଠୀ ସଭାଗୃହ, ୨୫.୩୭ କୋଟି ଟଙ୍କାରେ ୮୫ଟି ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ୩ଟି ଗୋଷ୍ଠୀ ଉପ ସ୍ବାସ୍ଥ୍ୟକେନ୍ଦ୍ର। ଅନୁରୂପ ଭାବେ ମୁଖ୍ରମନ୍ତ୍ରୀ ୬୬.୯୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ଯ୍ୟ , ୮.୭୯ କୋଟି ଟଙ୍କାରେ ୨୯ଟି ଗୋଷ୍ଠୀ ସଭାଗୃହ, ୩୫.୨୬ କୋଟି ଟଙ୍କାରେ ୭୩ଟି ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ‌ ଠାରେ ପ୍ରାକୃତି ପର୍ଯ୍ୟଟନସ୍ଥଳର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।