ରାଉରକେଲା : ସାରା ଓଡ଼ିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ରାଉରକେଲାର ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବ କ୍ରୀଡ଼ା ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ଦେଇଛି। ଏହି ହକି ଷ୍ଟାଡିୟମ ସମଗ୍ର ଦେଶକୁ ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ଉପହାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
/sambad/media/post_attachments/wp-content/uploads/2023/01/rkl-m3-750x430.jpg)
ଗୁରୁବାର ଦିନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡ଼ରେ ଆଜି ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ ଓଡ଼ିଶା ମାଟିର ଗୌରବ ଗାନ କରୁଛି। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବରେ ଗଢ଼ି ତୋଳିବ। ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ଶ୍ରେଷ୍ଠ ଶକ୍ତି ଭାବରେ ପ୍ରତିଷ୍ଠା ଲାଭ କରିବ। ଏହି ଷ୍ଟାଡିୟମ ସାରାବିଶ୍ବ ପାଇଁ ହକିର ମୁଖ୍ୟକେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍ଗୁଡ଼ିକୁ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ। ଓଡ଼ିଶାର ଏହି ଉଦ୍ୟମ ଦେଶର ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବ। ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରିବ। ମହାପ୍ରଭୁଙ୍କ ଆଶୀର୍ବାଦ, ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁ ଓଡ଼ିଶାର ସ୍ବପ୍ନ ସାକାର ହୋଇଛି। ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ଏକ ପ୍ରତିଫଳନ। ଦେଶର କ୍ରୀଡ଼ା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିୟମ ଓଡ଼ିଶାର ଛବିକୁ ଆହୁରି ଉଜ୍ଜ୍ବଳ କରିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଷ୍ଟାଡିଅମ ମୁକୁଟମଣି ହୋଇ ହକି ପ୍ରତି ଭାରତୀୟମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ। ଏହା ଭାରତୀୟ ହକିର ଅନ୍ତୁଡ଼ିଶାଳ ହୋଇ ରହିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଥିଲେ। ଉଲ୍ଲେଖନୀୟ ଯେ ମାତ୍ର ୧୫ ମାସ ସମୟ ମଧ୍ୟରେ ଏହି ବିଶାଳ ଷ୍ଟାଡିୟମର ନିର୍ମାଣ ହୋଇ ରେକର୍ଡ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2023/01/rkl-s2-750x430.jpg)
ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଦକ୍ଷତା ବିକାଶମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭି.କେ. ପାଣ୍ଡିଆନ୍, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟ ଠାରୁ ୪୦ ମିନିଟ୍ ବିଳମ୍ବ, ଅର୍ଥାତ୍ ଅପରାହ୍ନ ପ୍ରାୟ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଥିଲେ। ପ୍ରଥମେ ଷ୍ଟାଡିୟମ ପରିସରସ୍ଥ ହକି ବିଶ୍ବକପ୍ ଗ୍ରାମକୁ ଉଦ୍ଘାଟନ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଡିଏଭି ପୋଖରୀ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୧୦୯ କୋଟି ୨୪ ଲକ୍ଷର ୩୫୯ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେହି ଅବସରରେ ୪୧୭ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ, ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ଡିଏଭି ପୋଖରୀର ୱାଟର ପାର୍କ, ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ, ସେକ୍ଟର-୫ ପାନ୍ଥନିବାସର ଉନ୍ନତୀକରଣ ଆଦି ଜିଲ୍ଲାର ଛୋଟ ବଡ଼ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ଆହୁରି ମଧ୍ୟ ସେ ରାଉରକେଲାରେ ପ୍ରଥମ ପର୍ଯ୍ୟାୟରେ ଚାଲିବାକୁ ଥିବା ୩୦ଟି ‘ମୋ ବସ୍’ ସେବାର ମଧ୍ୟ ଶୁଭାରମ୍ଭ କରିଥିଲେ। ଉଦ୍ଘାଟନୀ ଅବସରରେ ଭାରତୀୟ ଖେଳାଳିଙ୍କୁ ନେଇ ଗଠିତ ଦୁଇଟି ଦଳ ‘ଭାରତ-ନୀଳ’ ଓ ଭାରତ-ଧଳା’ ଏବଂ ଓଡ଼ିଶା ଓ ଝାଡ଼ଖଣ୍ଡ କନିଷ୍ଠ ବାଳକ ଦଳ ମଧ୍ୟରେ ଦୁଇଟି ପ୍ରଦର୍ଶନ ମ୍ୟାଚ୍ ଖେଳାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା। ମୋଟ୍ ୩୬ ପ୍ଲାଟୁନ ପୁଲିସ ଫୋର୍ସ ସହ ୩୩ ଇନ୍ସପେକ୍ଟର, ୧୩୫ ଏସ୍ଆଇ ଓ ଏଏସ୍ଆଇ, ୩ ଅତିରିକ୍ତ ଏସ୍ପି ଓ ୩ ଡିଏସ୍ପି ମୁତୟନ ହୋଇଥିଲେ। ଉଦ୍ଘାଟନୀ ଉତ୍ସବ ଓ ପ୍ରଦର୍ଶନୀ ମ୍ୟାଚ୍ ଦେଖିବାକୁ ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକର ପ୍ରାୟ ୧୫ ହଜାରରୁ ଅଧିକ ଖେଳପ୍ରେମୀ ଓ ଦର୍ଶକଙ୍କୁ ଷ୍ଟାଡିୟମକୁ ଅଣାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/rkl-k1.jpg)