ଜନ୍ମ ମୃତ୍ୟୁ ପଞ୍ଜୀକରଣ ନିୟମର ଅପବ୍ୟବହାର ଅଭିଯୋଗ : ଜନସ୍ବାର୍ଥ ମାମଲାରେ ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ୍‌, ହାଇକୋର୍ଟଙ୍କ ଜବାବ ତଲବ

କଟକ : ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ରାଜ୍ୟରେ ରହିଥିବା ନିୟମାବଳୀ ଅପବ୍ୟବହାର ପ୍ରସଂଗକୁ ନେଇ ଦାୟର ଜନସ୍ବା‌ର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଜବାବ ତଲବ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଅଜିତ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ମେ ୪ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ଜନ୍ମ ମୃତ୍ୟୁ ପଞ୍ଜୀକରଣ ପାଇଁ ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥସ୍ ଆଣ୍ଡ୍ ଡେଥ୍ସ୍‌ ଆଇନ, ୧୯୬୯ ରହିଥିବାବେଳେ ରାଜ୍ୟ ସରକାର ଏହି ଆଇନ କାର୍ଯ୍ୟକାରୀ ପାଇଁ ବିଭିନ୍ନ ସମୟରେ ନିୟମାବଳୀ ପ୍ରଣୟନ କରିଥିଲେ। ଏବେ ୨୦୦୧ର ନିୟମାବଳୀ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶା ରେଜିଷ୍ଟ୍ରେସନ ଅଫ୍ ବାର୍ଥସ୍‌ ଆଣ୍ଡ ଡେଥ୍ସ୍‌ ରୁଲ୍ସ, ୨୦୦୧ ଅନୁସାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ କରାଯାଉଛି। ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥସ୍ ଆଣ୍ଡ୍ ଡେଥ୍ସ ଆଇନର ଧାରା ୧୩(୩) ଅନୁସା‌ରେ ଯଦି କୌଣସି ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଘଟଣାର ୧ ବର୍ଷ ଭିତରେ ହୋଇ ନଥିବ ତେବେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ କିମ୍ବା ପ୍ରେସିଡେନ୍ସି ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ପରେ ଏପରି ପଞ୍ଜୀକରଣ ହୋଇ ପାରିବ। ଅନ୍ୟପକ୍ଷରେ ୨୦୦୧‌ର ନିୟମାବଳୀ ୯(୩) ଅନୁସାରେ ଏପରି କ୍ଷେତ୍ରରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ କିମ୍ବା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ କିମ୍ବା ପ୍ରେସିଡେନ୍ସି ମାଜିଷ୍ଟ୍ରେଟ୍‌ଙ୍କ ନି‌ର୍ଦ୍ଦେଶନାମା ଆବଶ୍ୟକ। ୨୦୦୧ ନିୟମାବଳୀ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧ ବର୍ଷ ମଧ୍ୟରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ହୋଇ ନଥିବା ସ୍ଥଳେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ମିସ୍ କେସ୍ କରାଯାଉଛି ଓ ଏଥିରେ ନିର୍ଦ୍ଦେଶନାମା ମିଳିବା ପରେ ପଞ୍ଜୀକରଣ କରାଯାଉଛି। ଏଭଳି ଆବେଦନ ସହିତ ମୃତ୍ୟୁ ତାରିଖ ସପକ୍ଷରେ ଦୁଇଜଣ ସାକ୍ଷୀଙ୍କ ସତ୍ୟପାଠ ଓ ଅନ୍ୟାନ୍ୟ ନଥିପତ୍ର ଆବେଦନକାରୀ ଦାଖଲ କରୁଛନ୍ତି। ଅଧିକାଂଶ ସ୍ଥଳେ ଆବେଦନକାରୀ ପ୍ରଦାନ କରୁଥିବା ତଥ୍ୟ ପ୍ରମାଣକୁ ଆଧାର କରି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ଜନ୍ମ ବା ମୃତ୍ୟୁର ପଞ୍ଜୀକରଣ ପାଇଁ ଆଦେଶ ଦେଉଛନ୍ତି। କେତେକ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ମିସ୍ କେସ୍ ଆବେଦନ ତଥା ସାକ୍ଷୀଙ୍କ ସତ୍ୟପାଠରେ ଭୁଲ ତଥ୍ୟ ଦେଇ ଜନ୍ମ ମୃତ୍ୟୁ ପଞ୍ଜୀକରଣ ହାସଲ କରୁଛନ୍ତି। ଏପରି ବ୍ୟବସ୍ଥାର ଫାଇଦା ଲୋକମାନେ ନେଇ ଜମିବାଡି କାରବାର ପ୍ରସଂଗରେ ଚଞ୍ଚକତା କରୁଥିବା ଅଭିଯୋଗ ହେଉଛି।

ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥସ୍ ଆଣ୍ଡ୍ ଡେଥ୍ସ ଆଇନ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ଏଭଳି ପଞ୍ଜୀକରଣ ପାଇଁ କୌଣସି କ୍ଷମତା ପ୍ରଦାନ କରି ନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ୨୦୦୧ ନିୟମାବଳୀର ୯(୩) ଅନୁସାରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ମୃତ୍ୟୁ ପଞ୍ଜୀକରଣ ପ୍ରସଂଗରେ ଆଦେଶ ପ୍ରଦାନ କ୍ଷମତା ରହିଛି। କୌଣସି ନିୟମାବଳୀ ଏ ସଂପର୍କିତ ଆଇନର ଉର୍ଦ୍ଧ୍ବରେ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ରହିଛି। ଏଭଳି ପରିସ୍ଥିତିରେ ଓଡ଼ିଶା ରେଜିଷ୍ଟ୍ରେସନ ଅଫ୍ ବାର୍ଥସ୍‌ ଆଣ୍ଡ ଡେଥ୍ସ ରୁଲ୍ସ, ୨୦୦୧ର ନିୟମାବଳୀ ୯(୩)କୁ ଅସାମ୍ବିଧାନିକ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ରେଜିଷ୍ଟ୍ରେସନ୍ ଅଫ୍ ବାର୍ଥସ୍ ଆଣ୍ଡ୍ ଡେଥ୍ସ ଆଇନ, ୧୯୬୯ ଆଧାରରେ ରାଜ୍ୟରେ ନିୟମାବଳୀ ପ୍ରଣୟନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ‘ସମ୍ବାଦ’ର ୨୦୨୦, ଜାନୁଆରି ୧୭ରେ ଏ ସଂପର୍କିତ ଖବର ପ୍ରକାଶ ପାଇଥିଲା। ପ୍ରକାଶିତ ଖବରର ନକଲ ରିଟ୍ ପିଟିସନ୍ ସହିତ ହାଇକୋର୍ଟରେ ଦାଖଲ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର