ଭୁବନ: ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆଙ୍କ ବୀରତ୍ବର ପ୍ରମାଣ। ମାତ୍ର ୧୨ ବର୍ଷ ବୟସରେ ସେ ବ୍ରିଟିସ୍ ଦମନଲୀଳାକୁ ବିରୋଧ କରି ଗୁଳିର ଶିକାର ହୋଇଥିଲେ। ତାଙ୍କ ସାହସ ଯୁବବର୍ଗଙ୍କ ଆଦର୍ଶ। ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ତାଙ୍କ ଆଦର୍ଶ ଅନୁସରଣୀୟ ବୋଲି ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳଜିଲ୍ଲା ଭୁବନ ବ୍ଲକ୍ର ନୀଳକଣ୍ଠପୁରଠାରେ ଆୟୋଜିତ ସହିଦଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଭୁବନେଶ୍ବରରେ ଏକ ରାସ୍ତାକୁ ବାଜି ରାଉତଙ୍କ ନାମରେ ନାମିତ କରାଯିବା ସହ ତାଙ୍କ ନାମରେ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବାଜି ରାଉତଙ୍କ ସ୍ମୃତିପୀଠରେ ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାଲୁକା କଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବାଜି ରାଉତଙ୍କ ଦେଶପ୍ରେମ, ସାହସ ଓ ତ୍ୟାଗ ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ। ବାଜି ରାଉତଙ୍କ ଗାଁକୁ ବରପୁତ୍ର ଆଦର୍ଶ ଗ୍ରାମ ଘୋଷଣା କରାଯାଇ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହ ତାଙ୍କ ସ୍ମୃତିରେ ଢେଙ୍କାନାଳଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଜି ରାଉତଙ୍କ ଦାୟାଦ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟ ଏକାଡେମି ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଢେଙ୍କାନାଳ ଗଣସଂଗ୍ରାମର ଅମର ସହିଦ ବାଜି ରାଉତ’ ଓ ବାଜିରାଉତଙ୍କ ଫଟୋ ଉନ୍ମୋଚନ କରିଥିଲେ। ଏହାକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବଣ୍ଟନ କରାଯିବ। ସମାରୋହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ରୁଦ୍ର ନାରାୟଣ ପାଣି, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ଡକ୍ଟର ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/06/untitled-14-2025-10-06-07-17-57.jpg)