ଦେଶରେ ସାମ୍ରାଜ୍ୟବାଦୀ ସରକାର ଚାଲିଛି: ମାନିକ ସରକାର

ବନମାଳୀ ଦାସ ଜନ୍ମ ଶତବାର୍ଷିକୀ ସମାରୋହ

ବାଲେଶ୍ୱର : ଦେଶରେ ବର୍ତ୍ତମାନ ଏକ ଅସହିଷ୍ଣୁ ସାମ୍ରାଜ୍ୟବାଦୀ ସରକାର ଚାଲିଛି। ରାଜ୍ୟଗୁଡ଼ିକର ସ୍ୱାଧୀନ ସ୍ୱରକୁ ଚାପି ଦିଆଯାଉଛି। ସବୁକଥାରେ କେନ୍ଦ୍ର ଦାଦାଗିରି ଦେଖାଉଛି। ବିରୋଧୀଙ୍କ ମତ ଓ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଉନାହିଁ। ଏଭଳି ସମୟରେ ଏକ ସଂଗଠିତ ବିରୋଧୀ ଏହାର ଦୃଢ଼ ମୁକାବିଲା କରିପାରିବ। ରାଷ୍ଟ୍ର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକଜୁଟ୍‌ ହେବାକୁ ପଡ଼ିବ ବୋଲି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର କହିଛନ୍ତି।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ବନମାଳୀ ଦାସଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବାଲେଶ୍ୱର ସହରସ୍ଥିତ ଗାନ୍ଧିସ୍ମୃତି ଭବନରେ ଆୟୋଜିତ ସମାରୋହରେ ଶ୍ରୀ ସରକାର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ସରକାର ସ୍ମୃତିଚାରଣ କରି କହିଥିଲେ ଯେ, ସ୍ୱର୍ଗତ ବନମାଳୀ ଦାସ ପ୍ରକୃତ ଅର୍ଥରେ ଜଣେ କମ୍ୟୁନିଷ୍ଟ ଥିଲେ। ସେ ଗଡ଼ଜାତ ରାଜାଙ୍କ ଅତ୍ୟାଚାରୀ ଶାସନ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ, ସେହି ସଂଗ୍ରାମ ପରବର୍ତ୍ତୀ ବ୍ରିଟିଶ ସାମ୍ରାଜ୍ୟବାଦ ହଟିବା ପର୍ଯ୍ୟନ୍ତ ଜାରି ରଖିଥିଲେ।

ନୀଳଗିରିର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଅରୁଣ ଦେ, ସିପିଆଇ ନେତା ଦିବାକର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ବନମାଳୀ ଦାସଙ୍କ ସୁପୁତ୍ରୀ ପ୍ରାଧ୍ୟାପିକା ଉର୍ମିବାଳା ଦାସ, ଶିବାନନ୍ଦ ରାୟ, ଅଳିକିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ନିର୍ମଳ ନାୟକ, ପୁରସ୍ତମ ବିଶ୍ୱାଳ, ଶମ୍ଭୁନାଥ ମହାନ୍ତି, ଅରୁଣ ଜେନା, ଗୌରାଙ୍ଗ ପାଣିଗ୍ରାହୀ ଓ ଅଜୟ ନାୟକଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସୀତାଂଶୁ ସେନାପତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର