‘ସଫଳ ବ୍ୟକ୍ତିଙ୍କ ଆତ୍ମଜୀବନୀ ହେଉଛି ସମୟର ଇତିହାସ’

ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ଜନ୍ମଶତବାର୍ଷିକୀ

ଭୁବନେଶ୍ବର : ରାଜ୍ୟରେ ଆଉ ଆତ୍ମଜୀବନୀ ଲେଖାଯାଉନି। ଆମର ସମକାଳୀନ ଇତିହାସ ଦୁର୍ବଳ ଥିବାବେଳେ ଇତିହାସକୁ ଠିକ୍ ଭାବେ ଲେଖା ଯାଇନାହିଁ। ପୋଥି ଯୋଗୁଁ ବହୁ ଅତୀତକୁ ଉଦ୍ଧାର କରି ନିଜ ସଂପର୍କରେ କହିପାରୁଛୁ। ଇତିହାସର ପ୍ରଲେଖନ ହୋଇ ନ ଥିବାରୁ ଉତ୍ତରପିଢ଼ି ଅତୀତ ସଂପର୍କରେ ସଚେତନ ହୋଇପାରୁ ନାହାନ୍ତି ବୋଲି ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ ଜନ୍ମ ଶତବାର୍ଷିକୀରେ ଯୋଗଦେଇ ସାଂସଦ ତଥା ‘ସମ୍ବାଦ’ ‘ସଂପାଦକ’ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ଜନ୍ମଶତବାର୍ଷିକୀ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ସଭାପତି ହରିହର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ସଫଳ ବ୍ୟକ୍ତିମାନଙ୍କ ଆତ୍ମଜୀବନୀ ହେଉଛି ସେ ସମୟର ଏକ ଇତିହାସ। ଶ୍ରୀ ଦାଶ ଜଣେ ସଫଳ କାହାଣୀର ନାୟକ ଥିଲେ। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ପ୍ରଫେସର ଦାଶ ଆମ ସମାଜକୁ ‌ଯାହା ଦେବା କଥା ତାହା ଆମେ ତାଙ୍କଠାରୁ ପାଇପାରୁ ନାହୁଁ। ‌ସବୁ ଭଲ ଛାତ୍ରମାନେ ତାଙ୍କ ନିକଟରେ ପାଠ ପଢ଼ୁଥିଲେ। ସମସ୍ତଙ୍କୁ ବାନ୍ଧି ରଖିବାର ସାମର୍ଥ୍ୟ ତାଙ୍କ ପାଖରେ ରହିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ବରଂଜନ କହିଲେ, ଅର୍ଥନୀତି ବିଭାଗର ପ୍ରଫେସର ଥିଲେ ହେଁ, ଶ୍ରୀ ଦାଶ ହେଉଛନ୍ତି ଓଡ଼ିଶାରେ ରାଜନୀତି ବିଜ୍ଞାନର ଜନକ। ଅଦ୍ଭୁତ ସ୍ମରଣଶକ୍ତି ସହିତ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରଚଣ୍ଡ ଜ୍ଞାନ ରହିଥିଲା। ପରିଣତ ବୟସରେ ଆଇନରେ ସଫଳତା ପାଇଥିଲେ। କେବଳ ବିଶ୍ବବିଦ୍ୟାଳୟ ନୁହେଁ, ସାମାଜିକ ଜନଜୀବନରେ ସେ ଥିଲେ ଜଣେ ପ୍ରବାଦ ପୁରୁଷ। ପ୍ରଚଣ୍ଡ ଆତ୍ମବିଶ୍ବାସ ଯୋଗୁଁ ଦୁର୍ଭାଗ୍ୟକୁ ସୁଯୋଗରେ ପରିଣତ କରିପାରୁ ଥିଲେ। ଜୀବନରେ ଈର୍ଷଣୀୟ ସଫଳତା ପାଇଥିବା ଶ୍ରୀ ଦାଶଙ୍କ ମଧ୍ୟ ଅନେକ ଶତ୍ରୁ ଥିଲେ। ଏପରିକି ତାଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କୁହାଯାଇଥିଲା ବୋଲି ଅଧ୍ୟାପକ ବିଶ୍ବରଂଜନ କହିଥିଲେ। ଅନ୍ୟତମ ଅତିଥି ତଥା ଏକାଡେମିର କାର୍ଯ୍ୟକାରୀ ପରିଷଦର ସଦସ୍ୟ ବିଜୟାନନ୍ଦ ସଂହ କହିଲେ, ସ୍ବାଧୀନତା ପରବର୍ତୀ ସମୟରେ ଓଡ଼ିଶାର ଶିକ୍ଷା, ରାଜନୀତି, ସଂସ୍କୃତିକୁ ଶ୍ରୀ ଦାଶ ଆଲୋକିତ କରିପାରିଥିଲେ। କେବଳ ଜଣେ ଶିକ୍ଷାବିତ୍ ନୁହେଁ ସମାଜର ବିଭିନ୍ନ ଦିଗକୁ ସେ ସ୍ପର୍ଶ କରିପାରି ଥିଲେ। ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ମଣିଷ ଥିଲେ ଶ୍ରୀ ଦାଶ। ଯାହା ଭାବୁଥିଲେ ତାହା କରୁଥିଲେ। ଓଡ଼ିଶା ରାଜନୀତି ବିଜ୍ଞାନର ସେ ଜନକ ଥିଲେ ବୋଲି ଶ୍ରୀ ସିଂହ ମଧ୍ୟ କହିଥିଲେ। ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର