ଝାରସୁଗୁଡ଼ା: ‘ଦ୍ବିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ଜନ୍ମସ୍ଥଳୀ ହୀରାକୁଦ ବନ୍ଧରେ ଲୀନ ହୋଇଯାଇଥିବା ଗ୍ରାମ ପଦ୍ମପୁର। ଏନେଇ ପ୍ରାମାଣିକ ଓ ଗବେଷକ ତଥ୍ୟ ବି ଉପଲବ୍ଧ। ଆଜିର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ଭିକମପାଲି ଗ୍ରାମ ଏହି ପଦ୍ମପୁରର ଅଂଶବିଶେଷ। ରାଜ୍ୟର ଅନ୍ୟ ବୌଦ୍ଧସ୍ଥଳୀ ରତ୍ନଗିରି, ଧଉଳି ଭଳି ପଦ୍ମସମ୍ଭବଙ୍କ ଜନ୍ମପୀଠ ଏହି ଭିକମପାଲିର ବି ବିକାଶ ହେବ। ଏହି ପୀଠ ଯେଭଳି ଭାବେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେବ ସେନେଇ ପ୍ରଚେଷ୍ଟା କରାଯିବ।’ ଆଜି ଭିକମପାଲି ପଦ୍ମାସିନୀ ମନ୍ଦିର ପରିସରରେ ଅନୁଷ୍ଠିତ ପଦ୍ମସମ୍ଭବଙ୍କ ଜୟନ୍ତୀ ସମାରୋହରେ ଯୋଗ ଦେଇ ଅତିଥିମାନେ ଏଭଳି କିଛି ମତବ୍ୟକ୍ତ କରିଥିଲେ।
ଉଦୟକର ପ୍ରଧାନଙ୍କ ସଭାପତିତ୍ବରେ ସନ୍ଧ୍ୟାରେ ହୋଇଥିବା ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଶ ପାଇଁ ଏହି ଅଞ୍ଚଳର ବଳିଦାନକୁ ମନେ ପକାଇଥିଲେ। ଏହାରି ଭିତରେ ଶ୍ରୀ ପୂଜାରୀ ସାଂସଦ ଥିବା ସମୟରେ ଏହି ଭିକମପାଲିରୁ ହିଁ ହୀରାକୁଦ ଜଳଭଣ୍ଡାରର ଭିତରେ ବରଗଡ଼ର ଜରିମୂଲିକୁ ସେତୁ ସଂଯୋଗୀକରଣର ଚିନ୍ତାଧାରା କିଭଳି ମନ ଭିତରକୁ ଆସିଥିଲା ତାହା ମନେ ପକାଇଥିଲେ। ଏପରିକି ଉକ୍ତ ସେତୁ ପାଇଁ ଟଙ୍କା ମଞ୍ଜୁର ହୋଇଯିବା ପରେ ବି ସେତୁ କରାଇ ନଦେବା ପାଇଁ ଚକ୍ରାନ୍ତ ହୋଇ ସାଢ଼େ ୩ ବର୍ଷ କାଳ ଫାଇଲ୍କୁ ଆଗକୁ ବଢ଼ିବାକୁ ଦିଆଯାଇନଥିଲା। ଭିକମପାଲିର ମା’ ପଦ୍ମାସିନୀଙ୍କ ଇଚ୍ଛା ଥିଲା ବୋଧେ ତେଣୁ ରାଜ୍ୟରେ ସରକାର ବଦଳିଲା ଓ ଶ୍ରୀ ପୂଜାରୀ ବିଧାୟକ ଭାବେ ଲଢ଼ି ଜିତିବା ସହ ରାଜ୍ୟରେ ମନ୍ତ୍ରୀପଦ ପାଇ ପୁଣିଥରେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ାଇଥିଲେ ବୋଲି କହିଥିଲେ।
ଏବେ ପୁଣି ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥଳୀ କଥା ସାମ୍ନାକୁ ଆସିଛି। ଭିକମପାଲିକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା କିଭଳି ମିଳିବ ସେନେଇ ରାଜ୍ୟ ସରକାର ଚେଷ୍ଟିତ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଥିଲେ, ଗନ୍ଧମାର୍ଦ୍ଦନ ପର୍ବତରେ ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନ ଏକଦା ବିଶ୍ବବିଦ୍ୟାଳୟ ସ୍ଥାପନ କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଖନନ ସମୟରେ ଏନେଇ ଅନେକ ପ୍ରମାଣ ବି ମିଳିଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଏହି ମାଟିରେ ପଦ୍ମସମ୍ଭବଙ୍କ ଭଳି ଜଣେ ସନ୍ଥ ଜନ୍ମ ନେଇଛନ୍ତି। ଆମେ ଆମର ଆଚରଣରେ ବି ଏହାକୁ ପ୍ରମାଣିତ କରିବାକୁ ହେବ। କେବଳ ଏଠାରେ ନୁହେଁ ବରଂ ସାରା ଓଡ଼ିଶାରେ ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ ହେଉ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ ସାମଲ ଯୋଗଦେଇ ଅନ୍ୟକୁ ସମ୍ମାନ ଜଣାଇବା ଏହି ଅଞ୍ଚଳର ସଂସ୍କୃତିରେ ଅଛି ବୋଲି କହିଥିଲେ। ଗବେଷକ ଡ. ପ୍ରବୀର ପଟ୍ଟନାୟକ, ଏମ୍ସିଏଲ ଜିଏମ୍ ଅୱଧ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଟ୍ରଷ୍ଟର ସ୍ମରଣିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଟ୍ରଷ୍ଟ ତରଫରୁ ଜ୍ଞାନବ୍ରତ ଭୋଇ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସଭାକାର୍ଯ୍ୟକୁ ସାମ୍ବାଦିକ ମେହେବୁବ ମହତାବ ପରିଚାଳନା କରିଥିଲେ।
ସକାଳୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ବୁଦ୍ଧ ଗୁରୁ ଜେତୁଲ ରିଂ ପୋଚେ ଉଦ୍ଘାଟନ କରିଥିଲେ। ଗାଁରେ ଘରେ ଘରେ ଶୁଭ କଳସ ସହ ଏକ ସଂକୀର୍ତ୍ତନରେ ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏକ ପରିକ୍ରମା କରାଯାଇଥିଲା। ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବ ଜନ୍ମପୀଠ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଟହଲୁ ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଗବେଷକ ଡ. ପ୍ରବୀର ପଟ୍ଟନାୟକ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ଜନ୍ମସ୍ଥଳୀ ପଦ୍ମପୁର ବୋଲି ପ୍ରାମାଣିକ ଓ ଗବେଷକ ତଥ୍ୟ ଉପସ୍ଥାପନା କରିଥିଲେ। ପୂର୍ବତନ ସୂଚନା ଲୋକ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ ବି ଯୋଗଦେଇ ପଦ୍ମସମ୍ଭବ ସମ୍ବଳକ ରାଜ୍ୟର, ଏଣୁ ଏହା ଗବେଷଣା ଦ୍ୱାରା ପ୍ରମାଣିତ ବୋଲି ମତ ଦେବା ସହ ଅଞ୍ଚଳବାସୀ ଅଧିକ ଗବେଷଣା କରିବାକୁ ଅନୁରୋଧ କରିଥିଲେ। ଡ. ସୁବ୍ରତ ପୃଷ୍ଟି ଆଲୋଚନାରେ ଅଂଶଗ୍ରହଣ କରି ଯାଜପୁରର ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସହିତ ସମ୍ପୃକ୍ତି ବିଷୟରେ ଆଲୋକପାତ କରିଥିଲେ। ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ନରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ତପନ ବାରିକ, ଡ. ସ୍ୱର୍ଣ୍ଣମୟୀ ପୁରୋହିତ, ରମେଶ ପଶାୟତ, ଶୁଭମ୍ ନାଏକ ଉପସ୍ଥିତ ଥିବା ବେଳେ ଅଧିବେଶନକୁ ଅଞ୍ଜଳି ପଟ୍ଟନାୟକ ଓ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ପରିଚାଳନା କରିଥିଲେ। ଏହି ଅବସରରେ କ୍ଷମାସାଗର ଭୋଇ, ସୁବାସ ଚନ୍ଦ୍ର ପ୍ରଧାନ, ସୁରଙ୍ଗ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।