ମନୋଜ ଦାସଙ୍କ ଜନ୍ମସ୍ଥାନ ସ୍ମାରକୀ ଘୋଷଣା; ବାସଭବନର ସ୍ଥିତି ଅନୁଧ୍ୟାନ କଲା ସଂସ୍କୃତି ବିଭାଗ

ଭୋଗରାଇ: ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ ପରେ ତାଙ୍କର ପୈତୃକ ବାସଭବନକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ ମଙ୍ଗଳବାର ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ଗ୍ରାମସ୍ଥିତ ମନୋଜ ଦାସଙ୍କ ପୈତୃକ ବାସଭବନକୁ ମନ୍ମଥ-ମନୋଜ ସ୍ମାରକୀ ଭାବେ ଘୋଷଣା କରିବା ସହ ସେଠାରେ ଏକ ଲାଇବ୍ରେରି ଓ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ତେବେ ଘୋଷଣାର ଚବିଶ ଘଣ୍ଟା ନ ପୂରୁଣୁ ସଂସ୍କୃତି ବିଭାଗ ତରଫରୁ ନିଯୁକ୍ତ ବୈଷୟିକ ସଂସ୍ଥା ଇନଟାକର ଏକ ଟିମ୍ ଆଜି ଏଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ଇନଟାକର ନିର୍ଦ୍ଦେଶିକା ମଲ୍ଲିକା ମିତ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଭୁବନେଶ୍ୱରରୁ ଆସି ଶଙ୍ଖାରି ଗ୍ରାମସ୍ଥିତ ମନୋଜ ଦାସଙ୍କ ପୈତୃକ ବାସଭବନ ପରିଦର୍ଶନ କରିବା ସହିତ ତାର ଅବସ୍ଥା ଅନୁଧ୍ୟାନ କରିବା ସହିତ ନୂତନ ନିର୍ମାଣ ପାଇଁ ଜମି ମାପଚୁପ କରିଥିଲେl ଏହି ଟିମ ସହିତ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ବ୍ଲକ ସହକାରୀ ଯନ୍ତ୍ରୀ ବ୍ରଜେନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ରହି ପ୍ରତିନିଧି ଦଳଙ୍କ ସହିତ ଆଲୋଚନା କରିଥିଲେl ଏହି ଅବସରରେ ସ୍ଥାନୀୟ ସରପଞ୍ଚ ରାଧାବିନୋଦ ଦାସ, ମନ୍ମଥ ମନୋଜ ଫାଉଣ୍ଡେସନର ସମ୍ପାଦକ ସୁବାସ ଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ସୁଶାନ୍ତ ନାୟକ, ସହସମ୍ପାଦକ ଶାଶ୍ୱତ ଜେନା ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ଏହି ସ୍ମାରକୀ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ଏଠାରେ ଏକ ସମ୍ମିଳନୀ କକ୍ଷ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସୂଚନାଯୋଗ୍ୟ ଗତ ଏପ୍ରିଲ ୨୭ ତାରିଖ ସନ୍ଧ୍ୟାରେ ପୁଡୁଚେରୀଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା। ତା ପରଠୁ ଅଗଣିତ ମନୋଜ ପ୍ରେମୀଙ୍କ ସହିତ ଶଙ୍ଖାରି ସ୍ଥିତ ମନ୍ମଥ-ମନୋଜ ଫାଉଣ୍ଡେସନ, ଭୋଗରାଇ ବିଧାୟକ ଅନନ୍ତ ଦାସ ପ୍ରମୁଖ ମନୋଜ ଦାସ ଏବଂ ତାଙ୍କ ଜ୍ୟେଷ୍ଠ ଭ୍ରାତା ଐତିହାସିକ ଡ. ମନ୍ମଥନାଥ ଦାସଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭୋଗରାଇ ବ୍ଲକ ଶଙ୍ଖାରୀ ଗ୍ରାମରେ ଥିବା ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀରେ ପରିଣତ କରିବା ପାଇଁ ଦାବି ଉଠାଇ ଥିଲେl ବିଭିନ୍ନ ମହଲରୁ ଦାବି ଉଠିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଆଗ୍ରହ ପ୍ରକାଶ କରିଥିଲେ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଗତ ୨୮ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରବୀନ୍ଦ୍ର ନାଥ ସାହୁ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ତେବେ ଆଜି ଏହି ବୈଷୟିକ ପ୍ରତିନିଧି ଦଳ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର