ଅନୁଗୁଳ: ପୁଅ-ଝିଅ ସମାନ ବୋଲି ଯେତେ କହିଲେ ବି ଲୋକେ ବୁଝୁ ନାହାନ୍ତି। କନ୍ୟା ଘରର ଲକ୍ଷ୍ମୀ ବୋଲି ନାରା ଦେଉଥିଲେ ମଧ୍ୟ ଏହାକୁ କାମରେ ଲଗାଇବାକୁ କୁନ୍ଥକୁନ୍ଥ ହେଉଛନ୍ତି। ପୁଅ ପ୍ରତି ରହିଥିବା ଦୁର୍ବଳତା ଆଗରେ ଫିକା ପଡ଼ି ଯାଉଛି କନ୍ୟାପ୍ରେମ। ସେଥିପାଇଁ ଅନୁଗୁଳ ଜିଲ୍ଲାରେ ଶିଶୁକନ୍ୟା ସଂଖ୍ୟା କମି କମି ଯାଉଛି। ଗତ ୨ ବର୍ଷରେ ଅନୁଗୁଳ ଜିଲ୍ଲାରେ ଯେତିକି ପୁଅ ଜନ୍ମ ହୋଇଛନ୍ତି, ତା’ ତୁଳନାରେ ଝିଅ ସଂଖ୍ୟା ପ୍ରାୟ ହଜାରେ କମ୍।
ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲାରେ ଝିଅ ସଂଖ୍ୟା ଉଦ୍ବେଗଜନକ ଭାବେ ହ୍ରାସ ପାଉଛି। ସରକାରୀ ତଥ୍ୟ ହିସାବରେ ୨୦୨୩ରୁ ୨୦୨୪ ଭିତରେ ଅନୁଗୁଳ ଜିଲ୍ଲାରେ ୧୮,୦୬୨ ଜଣ ଶିଶୁ ଜନ୍ମ ହୋଇଛନ୍ତି। ଏଥିରୁ ୯୪୮୩ ଜଣ ପୁଅ ହୋଇଥିଲା ବେଳେ ୮୫୭୯ ଜଣ ଝିଅ। ଅର୍ଥାତ୍ ଏହି ସମୟ ଭିତରେ ପୁଅଙ୍କ ତୁଳନାରେ ୯୦୪ ଜଣ ଝିଅ କମ୍ ଜନ୍ମ ହୋଇଛନ୍ତି। ୨ ବର୍ଷ ଭିତରେ ଏତେ ସଂଖ୍ୟାରେ ଝିଅ କମ୍ ଜନ୍ମ ହେବା ଶୁଭ ସଙ୍କେତ ନୁହେଁ ବୋଲି କୁହାଯାଉଛି। ଏପଟେ କ’ଣ ପାଇଁ ପୁଅ- ଝିଅ ସଂଖ୍ୟା ଭିତରେ ତାରତମ୍ୟ ବଢ଼ିବାରେ ଲାଗିଛି ତା’କୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହା ଏକ ସ୍ବାଭାବିକ ପ୍ରକ୍ରିୟା ନା’ ଝିଅମାନଙ୍କ ପ୍ରତି ରହିଥିବା ନକାରାତ୍ମକ ମନୋଭାବ ପାଇଁ ଝିଅ ସଂଖ୍ୟା କମୁଛି ବୋଲି ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଛି।
ଆଗରୁ ପୁଅ- ଝିଅ ତାରତମ୍ୟ ପ୍ରାୟ ସମାନ ରହୁଥିଲା। ସ୍ବାସ୍ଥ୍ୟସେବାରେ ଉନ୍ନତି ପରେ ଝିଅ ସଂଖ୍ୟା କମି କମି ଯିବା ଏକ ଭିନ୍ନ ସଙ୍କେତ ଦେଉଛି। ଆଗୁଆ ଭ୍ରୂଣ ଚିହ୍ନଟ କରିବା ସହଜ ହୋଇ ଯାଉଥିବାରୁ କନ୍ୟା ସନ୍ତାନ ଚାହୁ ନଥିବା ଦମ୍ପତି ସତର୍କ ହୋଇ ଯାଉଛନ୍ତି। ଗୋଟିଏ ଝିଅ ପରେ ଦ୍ବିତୀୟ ସନ୍ତାନ ବେଳକୁ ସେମାନେ ଜାଣିଶୁଣି ଭ୍ରୂଣ ଚିହ୍ନଟ କରାଇ ନେଉଛନ୍ତି। ସରକାରୀ ଭାବେ ଭ୍ରୂଣ ଚିହ୍ନଟ ବେଆଇନ୍ ହୋଇଥିଲେ ମଧ୍ୟ କିଛି କ୍ଲିନିକ୍ର ଅସାଧୁ କର୍ମଚାରୀ ଏଥିରେ ସହଯୋଗ କରୁଥିବା ଅଭିଯୋଗ ଆସୁଛି। ଏପରିକି ଜିଲ୍ଲା ବାହାରକୁ ଯାଇ ଲୋକେ ଭ୍ରୂଣ ଚିହ୍ନଟ କରି ନେଉଛନ୍ତି। ଏଣୁ ଝିଅ ଚାହୁ ନଥିବା ଦମ୍ପତି ଗର୍ଭପାତକୁ ଗ୍ରହଣ କରି ନେଉଛନ୍ତି। ପୁଅ-ଝିଅ ତାରତମ୍ୟ ବଢ଼ିବାରେ ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ମଧ୍ୟ ସ୍ବୀକାର କରିଛନ୍ତି। ତାଙ୍କ କହିବାନୁଯାୟୀ, ଶିଶୁକନ୍ୟା ପ୍ରତି ବାଛବିଚାର ନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ପୁଅ ଓ ଝିଅ ସମାନ ବୋଲି ଲୋକଙ୍କୁ ବୁଝାଯାଉଛି। ତଥାପି ଝିଅ ସଂଖ୍ୟା କମିବା ନିଶ୍ଚିତ ଭାବେ ଉଦ୍ବେଗର ବିଷୟ। ଏଣୁ ଭ୍ରୂଣ ଚିହ୍ନଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନିଆଯିବା ଦରକାର। ଏଥିନେଇ ରହିଥିବା ପିସିପିଏମ୍ଡିଟି ଆହୁରି ସକ୍ରିୟ ହୋଇ ଚଢ଼ଉ କରିବା ଦରକାର। କେଉଁ ସ୍ତରରେ ଭ୍ରୂଣ ଚିହ୍ନଟ କରାଯାଉଛି ଓ ଶିଶୁକନ୍ୟା କାହିଁକି କମୁଛନ୍ତି ତା’ ଉପରେ ଦୀର୍ଘମିଆଦି ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।