ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ରାଜ୍ୟବାସୀ ୭୫ଲକ୍ଷ ଗଛ ଲଗାଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଉପହାର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ। ରାଜ୍ୟବାସୀଙ୍କ ମଧ୍ୟରେ ଆଜି ଏନେଇ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଦେଇଥିବା ଲକ୍ଷ୍ୟର ପ୍ରାୟ ଦୁଇଗୁଣା ଅର୍ଥାତ୍ ୧କୋଟି ୪୯ଲକ୍ଷ ୧୧ହଜାର ୩୩୯ଟି ଗଛ ସାରା ରାଜ୍ୟରେ ଲାଗିଛି। ରାଜ୍ୟର ୭୧,୯୨୪ଟି ସ୍ଥାନରେ ବିଭିନ୍ନ ବର୍ଗର ଲୋକ ଏହି ଅଭିଯାନରେ ସାମିଲ ହୋଇ ଗଛ ଲଗାଇଛନ୍ତି।
ଧାର୍ଯ୍ୟଲକ୍ଷ୍ୟର ପ୍ରାୟ ଦୁଇ ଗୁଣ ଗଛ ଲାଗିଲା
ସୁନ୍ଦରଗଡ଼ରେ ସର୍ବାଧିକ ୧୪,୨୧,୬୧୮
ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼ରେ ସର୍ବାଧିକ ୧୪,୨୧,୬୧୮
ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିବାବେଳେ ଅପରାହ୍ଣ ୧ଟା ୩୩ ସୁଦ୍ଧା ୭୫ଲକ୍ଷ ଗଛ ଲଗାଇବା ଲକ୍ଷ୍ୟ ପୂରଣ ହୋଇଯାଇଥିଲା। କିନ୍ତୁ ଏହାପରେ ବି ବିଭିନ୍ନ ସ୍ଥାନରେ ଉତ୍ସାହର ସହ ଲୋକେ ଗଛ ଲଗାଇ ଚାଲିଥିଲେ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ସର୍ବାଧିକ ୧୪,୨୧,୬୧୮ଟି ଗଛ ଲଗାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୋରାପୁଟ ଜିଲ୍ଲା ୧୧,୦୧,୬୨୪ ଟି ଗଛ ଲଗାଇ ଦ୍ୱିତୀୟ ସ୍ଥାନ ଏବଂ କେନ୍ଦୁଝର ଜିଲ୍ଲା ୧୦,୪୨,୯୨୭ଟି ଗଛ ଲଗାଇ ତୃତୀୟ ସ୍ଥାନ ଅଧିକାର କରିଛି।
ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏହି ଭଲପାଇବା ତାଙ୍କୁ ଅଭିଭୂତ କରିଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମର ସଫଳତା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ସମସ୍ତ ସମ୍ପୃକ୍ତ ବିଭାଗର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।