ଭୁବନେଶ୍ବର : ମହାବୋଧି ଓଡ଼ିଶା ଶାଖା ପକ୍ଷରୁ ପ୍ରଥମଥର ପାଇଁ ଶନିବାର ଦିନ ବୁଦ୍ଧ ମନ୍ଦିର ପରିସରରେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମ ସଂସ୍କୃତିରେ ଜନ୍ମ ଦିନ ପାଳନ ପରମ୍ପରା ଦ୍ବାରା ଆମେ ବ୍ୟକ୍ତି, ସ୍ଥାନ ଓ ଅତୀତ ସହ ଯୋଡ଼ି ହୋଇଥାଉ। ଏଇଥିରୁ ଆମେ ଆମ ଗୌରବମୟ ଇତିହାସ ସହ ଅବଗତ ହୋଇଥାଉ। ସେ ଦୃଷ୍ଟିରୁ ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ ଅନେକ ଗୁରୁତ୍ବ ବହନ କରୁଛି। ବାହୁଡ଼ା ଯାତ୍ରା ଭଳି ପବିତ୍ର ଦିନରେ ଏହି ଜନ୍ମୋତ୍ସବ ଆରମ୍ଭ ହୋଇଛି। ତେଣୁ ଆଗାମୀ ପିଢ଼ିଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡ଼ିବା ପାଇଁ ଏହାକୁ ଏକ ତିଥି ଭାବେ ଉପସ୍ଥାପିତ କରାଯାଇପାରିଲେ, ଆଜିର କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ରହିବ। ଏଭଳି କାର୍ଯ୍ୟକ୍ରମ ବାରମ୍ବାର ଆୟୋଜନ ଦ୍ବାରା ଉତ୍ତରପିଢ଼ି ଅନୁଭବ କରିପାରିବେ ଯେ ପ୍ରକୃତରେ ଏଭଳି ଜଣେ ମହାପୁରୁଷ ଓଡ଼ିଶାରେ ଜନ୍ମଲାଭ କରିଥିଲେ।
ଅନୁଷ୍ଠାନର ସଭାପତି ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ସାରା ବିଶ୍ବରେ ଜଗନ୍ନାଥଙ୍କୁ ଆମର ଶ୍ରେଷ୍ଠ ସମ୍ପଦ ଭାବରେ ଉପସ୍ଥାପନ କରିବାରେ ଆମେ ଏକପ୍ରକାର ସଫଳ ହୋଇଛେ। କିନ୍ତୁ ଆମେ ଉଚ୍ଚାରଣରେ ଯେତିକି ସଫଳ, ଆଚରଣରେ ବୋଧହୁଏ ସେତିକି ହୋଇପାରିନାହେଁ। ଜଗନ୍ନାଥଙ୍କ ଭଳି ପଦ୍ମସମ୍ଭବ ବି ଆମର ଆଉ ଏକ ଶ୍ରେଷ୍ଠ ସମ୍ପତ୍ତି। କିନ୍ତୁ ତାଙ୍କୁ ଠିକ୍ ଭାବେ ଉପସ୍ଥାପନ କରିପାରିନେ। ତେଣୁ ତାଙ୍କ ଜନ୍ମଦିନକୁ ସବୁ ବର୍ଗର ବ୍ୟକ୍ତି ପାଳନ କଲେ, ତାହା ଆମ ଉଚ୍ଚାରଣ ଓ ଆଚରଣରେ ସମତା ଆଣିପାରିବ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଐତିହାସିକ ପ୍ରବୀର ପଟ୍ଟନାୟକ ଗୁରୁ ପଦ୍ମସମ୍ଭବଙ୍କ ଉପରେ ଏକ ଗବେଷଣାତ୍ମକ ପ୍ରବନ୍ଧ ପାଠ କରି ତାଙ୍କର ଜନ୍ମବୃତ୍ତାନ୍ତ ଓ ବୌଦ୍ଧ ଧର୍ମର ପ୍ରଚାରପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ପୌରୁଷର ସମ୍ପାଦକ ଅସିତ ମହାନ୍ତି କହିଲେ, ଦ୍ବିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭବ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ଓଡ଼ିଶାର ବହୁ ଲୋକ ଏହି ମହାପୁରୁଷଙ୍କ ବିଷୟରେ ଅଜ୍ଞ। ତେଣୁ ଏହି ଉତ୍ସବ ପାଳନ ଦ୍ବାରା ଲୋକମାନେ ତାଙ୍କୁ ଜାଣିପାରିବେ। ପୂର୍ବତନ ପ୍ରଶାସକ ନରେନ୍ଦ୍ର ମିଶ୍ର ସୋନପୁର ସହର ସଂଲଗ୍ନରେ ଥିବା ଲଙ୍କେଶ୍ବରୀ ମନ୍ଦିର ଓ ଗୁରୁ ପଦ୍ମସଂଭବଙ୍କ ମଧ୍ୟରେ ଥିବା ଐତିହାସିକ ବୃତ୍ତାନ୍ତ ବ୍ୟାଖାନ କରିଥିଲେ। ଗବେଷକ ଅନୀଲ ଧୀର କହିଲେ, ଗୁରୁ ପଦ୍ମସମ୍ଭବ ଓଡ଼ିଶାର ବୋଲି ଏହାର ବହୁଳ ପ୍ରମାଣ ସମ୍ବଲପୁର ଗୁଢ଼ି ଅଞ୍ଚଳରେ ଦେଖିବାକୁ ମିଳେ।
ଅନୁଷ୍ଠାନର ସଭାପତି ଶ୍ରୀ ମହାନ୍ତି, ଗୁରୁ ପଦ୍ମସମ୍ଭବଙ୍କ ଉପରେ ୨୦୧୨ ମସିହାରେ ଏକ ଉପାଦେୟ ଇଂରାଜୀ ପୁସ୍ତକ ରଚନା କରିଥିଲେ।ଏଥିପାଇଁ ସଭାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୌରେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ଐତିହାସିକ ସୁରେନ୍ଦ୍ର ମହାରଣା, ସିଦ୍ଧାନ୍ତ ପଣ୍ଡା, କମଳ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।