ଜନ୍ମଦିନରେ ନବୀନଙ୍କ ସମ୍ପର୍କରେ…

ଜଣେ ଭାଗ୍ୟବାନ୍ ରାଜନୈତିକ ବ୍ୟକ୍ତି
ଜନ୍ମଦିନରେ ନବୀନ ବାବୁଙ୍କୁ ଶୁଭେଚ୍ଛା। ଭଗବାନ ତାଙ୍କୁ ଭଲ ସ୍ବାସ୍ଥ୍ୟ ଦିଅନ୍ତୁ ଓ ଭଲ ମନ ବି ଅର୍ପଣ କରନ୍ତୁ। ସେ ଜଣେ ପୃଥିବୀର ଭାଗ୍ୟବାନ୍ ରାଜନୈତିକ ବ୍ୟକ୍ତି। ଏତେ ଦିନ ଧରି କ୍ଷମତାରେ ରହି ଲୋକଙ୍କ ସେବା କରିବା ପାଇଁ ସେ ଯେଉଁ ସୁଯୋଗ ପାଇ ଆସିଛନ୍ତି ସେପରି ଦୃଷ୍ଟାନ୍ତ ଦେଖିବା ବିରଳ।

– ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ନବୀନ ବାବୁ ଜଣେ ଭଲ ମଣିଷ
ନବୀନ ପଟ୍ଟନାୟକ ରାଜନୀତିକୁ ଆସିବେ ବୋଲି କେବେ ଚିନ୍ତା କରି ନ ଥିଲେ। ଆମପରି ବିଜୁ ଅନୁଗତମାନେ ତାଙ୍କୁ ସ୍ବେହ ଓ ଶ୍ରଦ୍ଧାର ସହ ଓଡ଼ିଶାକୁ ପାଛୋଟି ଆଣି ରାଜନୀତିର ମଙ୍ଗ ଧରିବାକୁ ପ୍ରବର୍ତ୍ତାଇଥିଲୁ। ସବୁ ପ୍ରତିକୂଳ ସ୍ଥିତି ଓ ରାଜନୈତିକ ଝଡ଼ଝଞ୍ଜା ଭିତରେ ରହି ସେ ଓଡ଼ିଶାବାସୀଙ୍କୁ ଦୀର୍ଘ ୨୦ ବର୍ଷ ଧରି ସୁଶାସନ ଦେଇଆସିଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ କାମନା କରୁଛି।

– ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ

ନିଜ ସ୍ବାସ୍ଥ୍ୟ ଓ ରାଜ୍ୟର ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିରାମୟ ଜୀବନ କାମନା କରୁଛି। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ତାଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ। ସେ ନିଜ ସ୍ବାସ୍ଥ୍ୟକୁ ସଡ଼ାଡ଼ିବା ସହ ରାଜ୍ୟର ସ୍ବାସ୍ଥ୍ୟକୁ ସଜା଼ଡ଼ିବାରେ ଅଧିକରୁ ଅଧିକ ପ୍ରୟାସ କରିବେ ବୋଲି ଆଶା କରୁଛି।

– କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ବିଜେପି ନେତା

ସ୍ଥିର ସରକାର ଦେବାରେ ସଫଳ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ନବୀନ ବାବୁ ରାଜ୍ୟକୁ ସ୍ଥିର ସରକାର ଦେବାରେ ସଫଳ ହୋଇଛନ୍ତି। ରାଜ୍ୟର ପ୍ରଗତି ପାଇଁ ସରକାରରେ ସ୍ଥିରତା ଆବଶ୍ୟକ। ବିରୋଧୀ ଦଳଙ୍କ ସହଯୋଗ ବିନା ସରକାର ଲୋକଙ୍କ ଉନ୍ନତି ବି କରିପାରିବେ ନାହିଁ। ଆଶାକରୁଛି, ଲୋକେ ଯେଉଁ ଆଶା ଓ ଭରସା କରି ନବୀନ ବାବୁଙ୍କୁ ୫ମ ଥର ପାଇଁ ଭୋଟ ଦେଇ କ୍ଷମତାକୁ ଆଣିଛନ୍ତି ତାହା ପୂରଣ େହବ। ସେ ଦୀର୍ଘାୟୁ ହୁଅନ୍ତୁ।

– ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ନିଜକୁ ନିଜେ ସମୀକ୍ଷା କରନ୍ତୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ବିକାଶ ଓ ସୁଶାସନ ଦେବାରେ ସେ କେତେ ସଫଳ ରାଜ୍ୟବାସୀ ବିଚାର କରନ୍ତୁ। ତାଙ୍କ ଜନ୍ମଦିନରେ ନିଜେ ମୁଖ୍ୟମନ୍ତ୍ରୀ ଆତ୍ମ ସମୀକ୍ଷା କରନ୍ତୁ। ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ ବୋଲି ପ୍ରାର୍ଥନା କରୁଛି।

– ବିଜୟ ମହାପାତ୍ର, ବରିଷ୍ଠ ବିଜେପି ନେତା

ତାଙ୍କ ସାଧୁତା ଓ ସରଳତାକୁ ଓଡ଼ିଶାବାସୀ ଭଲ ପାଉଛନ୍ତି
ନବୀନ ପଟ୍ଟନାୟକ ବ୍ୟକ୍ତିଗତ କ୍ଷେତ୍ରରେ ସାଧୁତା ଓ ସରଳତାକୁ ସବୁବେଳେ ନିଜ ଜୀବନରେ ଆପଣାଇଛନ୍ତି। ସେଥିପାଇଁ ସେ ବାରମ୍ବାର ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇ ଶାସନକୁ ଆସିଛନ୍ତି। ଭଲ ବହି ପଢ଼ିବା ତାଙ୍କର ଏକ ବିଶେଷ ଗୁଣ। ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।

– ଭବାନୀ ଚରଣ ପଟ୍ଟନାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ

ଶାସନଗାଦିରେ ବି ଅନାସକ୍ତ ରହିଛନ୍ତି
ଯେତେଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାମ କରିଛି, କେତେବେଳେ ବି ନିୟମ ବିରୁଦ୍ଧରେ କାମ କରିବାକୁ ସେ କହିନାହାନ୍ତି। ଦୁର୍ନୀତି ସହିତ ଲିପ୍ତ ଥିବା ଲୋକଙ୍କଠୁ ଦୂରରେ ରହିବାକୁ ସେ ସବୁବେଳେ କହିଆସିଛନ୍ତି। ବିଶେଷକରି ଶାସନଗାଦିରେ ବସି କାହାପ୍ରତି ଆସକ୍ତି ନ ରଖି ଦୀର୍ଘ ବର୍ଷ ଧରି ରାଜ୍ୟକୁ ଶାସନ କରିବା ମୁଖ୍ୟମନ୍ତ୍ରୀଙ୍କର ବିଶେଷ ଭଲ ଗୁଣ। ଆଜି ତାଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା।

– ବିଜୟ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ

ସମ୍ବନ୍ଧିତ ଖବର