ମନ୍ମଥ-ମନୋଜ ଦାସଙ୍କ ଜନ୍ମସ୍ଥାନ ହେବ ସଂସ୍କୃତି ଓ ପର୍ଯ୍ୟଟନ ପୀଠ

ମନୋଜ ଦାସଙ୍କ ସ୍ମୃତି ଜଡ଼ିତ ସମସ୍ତ ଆସବାବପତ୍ର ପଣ୍ଡିଚେରୀ ଓ ଭୁବନେଶ୍ୱରରୁ ଅଣାଯିବ

ଭୋଗରାଇ : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର ପଦ୍ମଶ୍ରୀ ମନୋଜ ଦାସ ଓ ବଡ଼ଭାଇ ବିଶିଷ୍ଟ ଐତିହାସିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ. ମନ୍ମଥନାଥ ଦାସଙ୍କ ଶଙ୍ଖାରିସ୍ଥିତ ଜନ୍ମପୀଠକୁ ସରକାରଙ୍କ ପକ୍ଷରୁ ଅବିଳମ୍ବେ ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଶଙ୍ଖାରିସ୍ଥିତ ତାଙ୍କ ଜନ୍ମପୀଠରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ତଥା ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହା କହିଛନ୍ତି। ଏଥିସହିତ ମନୋଜ ଦାସଙ୍କ ସ୍ମୃତି ଜଡ଼ିତ ସମସ୍ତ ଆସବାବପତ୍ର ପଣ୍ଡିଚେରୀ ଓ ଭୁବନେଶ୍ୱରରୁ ଅଣାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭୋଗରାଇ ବିଧାୟକ ତଥା ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଅନନ୍ତ ଦାସଙ୍କ ପୌରୋହିତ୍ୟରେ ମନ୍ମଥ-ମନୋଜ ଦାସଙ୍କ ବାସଭବନରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ, ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ, ନିର୍ଦ୍ଦେଶକ ସଚିନ ଆର ଯାଦବ, ସଂସ୍କୃତି ଡିଜାଇନର ମଲ୍ଲିକା ମିତ୍ର, ମନୋଜ ଦାସଙ୍କ ପୁତ୍ରବଧୂ ରଞ୍ଜିତା ଦାସ, ବିଡିଓ ଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପୀଠସ୍ଥଳୀର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ପର୍ଯ୍ୟଟନ ବିଭାଗ ତରଫରୁ ୧୪ କୋଟି ଟଙ୍କା ବ୍ୟୟ କରାଯାଇ ଏହି ଦୁଇ ବରପୁତ୍ରଙ୍କ ଜନ୍ମପୀଠକୁ ଏକ ପର୍ଯ୍ୟଟନ କ୍ଷେତ୍ର ସହିତ ଗବେଷଣା କରାଯିବ। ସ୍ମୃତିପୀଠରେ ଥିବା ଘରଟିକୁ ଚୂନ ପଲସ୍ତରାରେ ପୁରୁଣା କଳା ଶୈଳୀରେ ମରାମତି କରାଯିବା ସହିତ ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ସ୍ମୃତିପୀଠରେ ସ୍ଥାପନ କରାଯିବ। ପୀଠସ୍ଥଳୀରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଭାଗ ଅଧୀନରେ ରହିବ। ସେହିପରି ୨ଟି ପୋଖରୀର ମଧ୍ୟ ସୌନ୍ଦର୍ଯ୍ୟୀକରଣ କରାଯିବ। ପୀଠସ୍ଥଳୀର ଚାରିପାଖରେ ପୁରୁଣା କଳା ଶୈଳୀରେ ପାଚେରି ନିର୍ମାଣ କରାଯିବା ସହିତ ପାର୍କିଂ, ମେଳଣ ପଡ଼ିଆ, ମେଡିଟେସନ୍ ସେଣ୍ଟର, ଲାଇବ୍ରେରି, ଶିଶୁ ଉଦ୍ୟାନ ଓ ଅଡିଓ ଭିଜୁଆଲ ଅଡିଟୋରିୟମ୍ ନିର୍ମାଣ କରାଯିବ। ସମସ୍ତ ନିର୍ମାଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଉନ୍ନତମାନର କରିବା ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ସଂସ୍କୃତି ଡିଜାଇନର ସୁଶ୍ରୀ ମିତ୍ର ପ୍ରସ୍ତାବିତ ମନ୍ମଥ-ମନୋଜ ସ୍ମୃତି ପୀଠସ୍ଥଳୀର ଡିଜାଇନ୍ ପ୍ରଦର୍ଶନ କରିଥିବା ବେଳେ ମନ୍ମଥ-ମନୋଜ ଫାଉଣ୍ଡେସନ ତରଫରୁ ସୁଶାନ୍ତ ନାୟକ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର